ଆତ୍ମହତ୍ୟାର ହବ୍ ପାଲଟିଛି ‘କୋଟା’! ପୁଣି ଜଣେ ମେଡିକାଲ ଛାତ୍ରଙ୍କ ଆତ୍ମହତ୍ୟା
“ସରି, ମୁଁ ଯାହା ବି କରିଛି ମୋ ନିଜ ଇଚ୍ଛାରେ କରିଛି । ତେଣୁ ପ୍ଲିଜ୍ ମୋ ସାଙ୍ଗସାଥି କି ମୋ ପରିବାରକୁ କୌଣସି ହଇରାଣ କରିବେନି । ହାପି ବାର୍ଥ ଡେ ବାପା” । ଏ ଥିଲା ୧୮ ବର୍ଷୀୟ ଛାତ୍ର ମନଜିତ ସିଂଙ୍କର ଶେଷ ଚିଠି । ଆଉ ତା’ପରେ…..
ରାଜସ୍ଥାନ: କୋଟା କହିଲେ ପ୍ରତିଯୋଗିତାର ଏକ ସହର ବୋଲି ସମସ୍ତେ ବୁଝିଥାନ୍ତି । ହେଲେ ଏବେ ଏହା ଆତ୍ମହତ୍ୟାର କେନ୍ଦ୍ର ପାଲଟିଥିବା ଦେଖାଯାଉଛି । କାରଣ ଜାନୁୟାରୀରୁ ଅଗଷ୍ଟ ମାସ ଭିତରେ ୧୯ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିବା ଖବର ଅଭିଭାବକଙ୍କୁ ଚିନ୍ତାରେ ପକାଇଛି । ଏହାରି ଭିତରେ ସାମ୍ନାକୁ ଆସିଛି ଅଉ ଏକ ଆତ୍ମହତ୍ୟା ଖବର । ଡାକ୍ତରୀ ପାଠ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ସର୍ବଭାରତୀୟସ୍ତରେ ନିଟ୍ ପ୍ରବେଶିକା ପରୀକ୍ଷା ପାଇଁ ପ୍ରଶିକ୍ଷଣ ନେବାକୁ ରାଜସ୍ଥାନର କୋଟା ସହରକୁ ଆସିଥିବା ଜଣେ ୧୮ ବର୍ଷୀୟ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡିଛି ।
ସୂଚନା ଅନୁସାରେ, ରାଜସ୍ଥାନର କୋଟାରେ ମେଡିକାଲ ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତ ହେଉଥିବା ଜଣେ ୧୮ ବର୍ଷୀୟ ଛାତ୍ର ମନଜିତ ସିଂ ଆତ୍ମହତ୍ୟା କରିଛନ୍ତି। ମନଜିତଙ୍କ ଘର ଉତ୍ତରପ୍ରଦେଶର ରାମପୁରରେ। ଚଳିତ ବର୍ଷ ଏପ୍ରିଲରେ ସେ କୋଟା ଯାଇଥିଲେ। ନିଟ୍ ପାଇଁ ପ୍ରସ୍ତୁତ ହେବାକୁ ସେ ଏକ କୋଚିଂ ସେଣ୍ଟରରେ ଆଡମିସନ ନେଇଥିଲେ। ତେବେ ଆତ୍ମହତ୍ୟାର ଖବର ପାଇ ଯେତେବେଳେ ପୋଲିସ ହଷ୍ଟେଲ ରୁମରେ ପହଞ୍ଚିଲା ସେତେବେଳେ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖିଥିଲା । ତା’ସହ ମନଜିତ ମୁହଁରେ ପଲିଥିନ ଓ ଦୁଇ ହାତ ପଛକୁ ବନ୍ଧା ହୋଇଥିବା ଦେଖିବାକୁ ପାଇଥିଲା ପୋଲିସ । ମୃତଦେହ ସହ ପୋଲିସ ହଷ୍ଟେଲରୁ ଏକ ସୁଇସାଇଡ ନୋଟ୍ ମଧ୍ୟ ଜବତ କରିଥିଲା ।
ଯେଉଁଥିରେ ମନଜିତ ନିଜ ମୃତ୍ୟୁ ପାଇଁ ନିଜକୁ ଦାୟୀ କରିଥିଲେ । ମିଳିଥିବା ସୁଇସାଇଡ ନୋଟରେ ମନଜିତ “ସରି, ମୁଁ ଯାହା ବି କରିଛି ମୋ ନିଜ ଇଚ୍ଛାରେ କରିଛି । ତେଣୁ ପ୍ଲିଜ୍ ମୋ ସାଙ୍ଗସାଥି କି ମୋ ପରିବାରକୁ କୌଣସି ହଇରାଣ କରିବେନି । ହାପି ବାର୍ଥ ଡେ ବାପା” ଲେଖିଥିଲେ । ଏନେଇ ସୁଚନା ଦେଇଛନ୍ତି ଏସ୍ପି ଶରଦ ଚୌଧୁରୀ । ଏବେ ପ୍ରଶ୍ନ ଉଠୁଛି ଯେ, ଯେଉଁ ବୟସରେ ପିଲା ମାନେ ହସି ଖେଳି ଜୀବନକୁ ଉପଭୋଗ କରିବା କଥା ସେହି ସମୟରେ ଛାତ୍ରଛାତ୍ରୀ ମାନେ ଆତ୍ମହତ୍ୟା ପରି ଚରମ ନିଷ୍ପତି ନେଉଛନ୍ତି କ’ଣ ପାଇଁ ?
ଚଳିତ ବର୍ଷ କୋଟାରେ ଏହା ୧୯ତମ ଘଟଣା। ଗତମାସରେ କୋଟାରେ ଆଇଆଇଟି ଏଣ୍ଟ୍ରାନ୍ସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଜଣେ ୧୭ ବର୍ଷୀୟ ଛାତ୍ର ଆତ୍ମହତ୍ୟା କରିଥିଲେ। ଉଲ୍ଲେଖଯୋଗ୍ୟ, କୋଚିଂ ସେଣ୍ଟର ପାଇଁ ପ୍ରସିଦ୍ଧ ଥିବା କୋଟା ଏବେ ଆତ୍ମହତ୍ୟା କାରଣ ପାଇଁ ବଦନାମ ହେବାରେ ଲାଗିଛି। କେବଳ ମେ’ ମାସରେ କୋଟାରେ ୫ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି ।
Comments are closed.