Latest Odisha News

BREAKING NEWS

କୋଭିଡ ପୁଣିଥରେ ଭୟାବହ ଆଣିପାରେ, ଚେତାଇଲେ ଆନ୍ଥୋନି ଫାଉସି

ନ୍ୟୁୟର୍କ: ପ୍ରଥମ ଏବଂ ଦ୍ୱିତୀୟ ବର୍ଷ ତୁଳନାରେ କରୋନା ମହାମାରୀ ତୃତୀୟ ବର୍ଷରେ ସେତେଟା ଘାତକ ନାହିଁ । ଟିକାକରଣ ଓ ଲୋକଙ୍କ ସଚେତନତାରୁ କରୋନା ଦୁର୍ବଳ ହୋଇଛି ବୋଲି ବିଶେଷଜ୍ଞ କହିଛନ୍ତି । କିନ୍ତୁ କରୋନାର ଦ୍ୱିତୀୟ ଏବଂ ପ୍ରଥମ ଲହର କେତେ ଗମ୍ଭୀର ଥିଲା ତାହା ଆମେରିକା, ଇଟାଲୀ, ୟୁରୋପ ଆଦି ଦେଶର ସେଦିନର ଚିତ୍ର ଦେଖିଲେ ଆଜି ବି ମଣିଷ ନିଜକୁ ଘର ଭିତରେ ଆବଧ କରି ରହିବାକୁ ପସନ୍ଦ କରିବ । ଏହାରି ଭିତରେ କିନ୍ତୁ ପୁଣିଥରେ କରୋନା ସଂକ୍ରମଣ ବ୍ୟାପିଛି ।

ବିଦେଶରେ ଏବେ ଯେଉଁ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେମାନଙ୍କ ପାଖରେ ଅଧିକାଂଶ କରୋନାର ଓମିକ୍ରନ୍ BA.2 ଭାରିଆଣ୍ଟ ରହିଛି। ଭାରତରେ ଏକ ବଡ ଅଂଶ ଟିକା ନେଇଥିଲେ ମଧ୍ୟ ଓମିକ୍ରନ ଭାରିଆଣ୍ଟ ଚିନ୍ତାର କାରଣ ପଡିଥିଲା। ଏବେ ଏହି BA.2 ଭାରିଆଣ୍ଟ ମଧ୍ୟ ଅଧିକ ବ୍ୟାପୁଛି। ଏଭଳି ପରିସ୍ଥିତିରେ କରୋନା ପୁଣି ଚିନ୍ତା ବଢାଇଛି। ଆମେରିକାର ବରିଷ୍ଠ ଚିକିତ୍ସା ବିଶେଷଜ୍ଞ ଡକ୍ଟର ଆନ୍ଥୋନୀ ଫୌସି ଚେତାବନୀ ଦେଇଛନ୍ତି ଯେ ଆସନ୍ତା ସପ୍ତାହରେ ଆମେରିକାରେ କରୋନା ସଂକ୍ରମଣ ବୃଦ୍ଧି ଘଟିପାରେ। ସେ ଏହା ମଧ୍ୟ କହିଛନ୍ତି ଯେ କୋଭିଡର ଦ୍ୱିତୀୟ ବୁଷ୍ଟର୍ ଡୋଜ କିମ୍ବା ଚତୁର୍ଥ ଡୋଜ୍ ମଧ୍ୟ ଆବଶ୍ୟକ ହୋଇପାରେ।

ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଫାଇଜର ଏବଂ ମୋଡେର୍ଣ୍ଣା ଚତୁର୍ଥ ଟିକା ପ୍ରସ୍ତୁତ କରି ସାରିଛନ୍ତି। ଏହି କମ୍ପାନୀଗୁଡିକ ଚତୁର୍ଥ ଡୋଜର ବ୍ୟବହାର ପାଇଁ ଆମେରିକା ସରକାର ଠାରୁ ଅନୁମୋଦନ ଲୋଡିଛନ୍ତି। ହ୍ୱାଇଟ ହାଉସର ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଫୌସି ୟୁରୋପରେ ମାମଲା ବୃଦ୍ଧି ହେବାର ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, “ଓମିକ୍ରନ୍ ଅପେକ୍ଷା BA.2 ପ୍ରକାର ପ୍ରାୟ ୫୦ ରୁ ୬୦ ପ୍ରତିଶତ କିମ୍ବା ଅଧିକ ସଂକ୍ରାମକ । ଏହାର ଅର୍ଥ ହେଉଛି ଆଗାମୀ ଦିନରେ ଏହା ଅଧିକରୁ ଅଧିକ ବ୍ୟାପିପାରେ। ଚିନ୍ତାଜନକ କଥା ହେଉଛି ୟୁରୋପରେ କରୋନା ମହାମାରୀ ଶୀଘ୍ର ବ୍ୟାପିପାରେ।”

ଏଥି ସହିତ, WHOର କୋଭିଡ-୧୯ର ବୈଷୟିକ ମୁଖ୍ୟ ମାରିଆ ୱେନ କେର୍କୋଭ କହିଛନ୍ତି ଯେ ମହାମାରୀ ଶେଷ ହୋଇଛି, ଓମିକ୍ରନ୍ ହାଲୁକା ଏବଂ ଏହା କୋଭିଡର ଶେଷ ଭାରିଆଣ୍ଟ। କେର୍କୋଭ କହିଛନ୍ତି ଯେ BA.2 ଏ ପର୍ଯ୍ୟନ୍ତ କ୍ଷୀପ୍ରଗତିରେ ବ୍ୟାପୁଥିବା ଭାରିଆଣ୍ଟ।

ସେ ସୂଚନା ଦେଇଛନ୍ତି, ‘ଜନସଂଖ୍ୟା ସ୍ତରରେ BA.1 ତୁଳନାରେ ଆମେ BA.2ର ଗମ୍ଭୀରତାରେ କୌଣସି ପରିବର୍ତ୍ତନ ଦେଖିନୁ। ତଥାପି, ଅଧିକ ସଂକ୍ରମଣ ହେତୁ ଡାକ୍ତରଖାନାରେ ଭର୍ତ୍ତି ହେବା ସଂଖ୍ୟା ବୃଦ୍ଧି ପାଇବ ଯାହା ପରବର୍ତୀ ମୂହୁର୍ତ୍ତରେ ମୃତ୍ୟୁ ସଂଖ୍ୟାରେ ପରିଣତ ହୋଇପାରେ।

ଉଲ୍ଲେଖଯୋଗ୍ୟ, ୟୁରୋପର ଇଟାଲୀରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ରବିବାର୬୦ ହଜାର ୪୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଦେଖିବାକୁ ମିଳିଛି। ଗୋଟିଏ ଦିନ ପୂର୍ବରୁ ଇଟାଲୀରେ ୭୪ ହଜାର ୨୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। ୟୁକେରେ ମଧ୍ୟ ଦୈନିକ ସଂକ୍ରମଣ ବୃଦ୍ଧି ଘଟୁଛି। ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୧୪ରେ ବ୍ରିଟେନରେ ୧ ଲକ୍ଷ ୭୦ ହଜାର ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ତେବେ ୟୁରୋପରେ ସଂକ୍ରମଣ ବୃଦ୍ଧି ପଛରେ ଇଷ୍ଟର ପର୍ବରେ କୋଭିଡ ପ୍ରତିବନ୍ଧକକୁ ହଟାଇବା ପ୍ରମୁଖ କାରଣ ବୋଲି କୁହାଯାଉଛି। ଅନ୍ୟପଟେ ଦୁଇ ବର୍ଷ ପରେ ସବୁଠାରୁ ହଠାତ ଦୈନିକ କରୋନା ବିସ୍ଫୋରଣ ଦେଖାଦେଇଛି ଚୀନରେ। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଚୀନ୍ କଡା ପ୍ରତିବନ୍ଧକ ଲଗାଇଛି। ୧୩ଟି ସହର ଲକଡାଉନ୍ କରିଛି ବେଜିଂ । ଏଥିସହିତ ଅନ୍ତର୍ଜାତୀୟ ଉଡାଣ ସେବାକୁ ମଧ୍ୟ କଡାକଡି କରିଛି।

Leave A Reply

Your email address will not be published.