Latest Odisha News

BREAKING NEWS

‘ପ୍ରତୀକ୍ଷା’କୁ ମିଳିଲା ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ସମ୍ମାନ-୨୦୨୩

ଭୁବନେଶ୍ୱର/ନୂଆଦିଲ୍ଲୀ:ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି ଫିଲ୍ମ ‘ପ୍ରତୀକ୍ଷା’ । ଆଜି ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି ଫିଲ୍ମର ପ୍ରଯୋଜକ ତଥା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ।

ଅନୁପମ ପଟ୍ଟନାୟକ  ପ୍ରତିଷ୍ଠିତ ଓଡ଼ିଆ ପ୍ରଯୋଜକ ତଥା ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକଙ୍କ ପୁଅ । ପ୍ରତୀକ୍ଷାର ଏହି ସଫତଳା ପାଇଁ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ପୁରସ୍କାର ଭାବେ ଏକ ରୌପ୍ୟ କମଳ ସହ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଗ୍ରହଣ କରିଛନ୍ତି ।

ସାରଳା ପୁରସ୍କାର ପ୍ରାପ୍ତ ଲୋକପ୍ରିୟ ଲେଖକ ଗୌରହରୀ ଦାସଙ୍କ ଲିଖିତ କ୍ଷୁଦ୍ର ଗଳ୍ପ ‘ବାପା’ଙ୍କୁ ନେଇ ପ୍ରସ୍ତୁତ ହୋଇଛି ଫିଲ୍ମ ‘ପ୍ରତୀକ୍ଷା’ । ଅନେକ ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମ ଏକ ପ୍ରେରଣାଦାୟୀ ଫିଲ୍ମ । ଜଣେ ବେକାର ଯୁବକ  ଅନୁକମ୍ପାମୂଳକ ଚାକିରୀ ପାଇବା ପାଇଁ ବାପାଙ୍କ ମୃତ୍ୟୁକୁ ଅପେକ୍ଷା କରିଥିବାବେଳେ ତା’ର ମାନସିକ ଦ୍ୱନ୍ଦ୍ୱକୁ ନେଇ ଆଗେଇଛି କାହାଣୀ ।   ଏଥିରେ ଦୀପାନ୍ୱୀତା ଦାଶମହାପାତ୍ର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

୨୦୨୨ ଡିସେମ୍ବରରେ ଫିଲ୍ମଟି ପରଦାକୁ ଆସିଥିଲା ଏବଂ ଦର୍ଶକଙ୍କ ମନକୁ ବେଶ ଛୁଇଁଥିଲା । ରୋସନ ବିଶୋୟୀ ଫିଲ୍ମଟିର ସଂଳାପ ଲେଖିଛନ୍ତି । ଖାଲି ଓଡ଼ିଶା ନୁହେଁ ବାହାରେ ମଧ୍ୟ ଫିଲ୍ମଟି ବେଶ ପ୍ରଶଂସା ସାଉଁଟିଥିଲା । ବଲିଉଡ ଷ୍ଟାର ଅନୁପମ ଖେର ଏହାର ହିନ୍ଦୀ ରିମେକ କରିବାକୁ ମଧ୍ୟ ଘୋଷଣା କରିଥିଲେ ।

 

Comments are closed.