ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରେ ଥିବା କପିଳେଶ୍ୱର ମନ୍ଦିରକୁ ରାଷ୍ଟ୍ରୀୟ ଐତିହ୍ୟ ମାନ୍ୟତା ଭାବେ ଘୋଷଣା କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ମେ ୫ରେ ଏକ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁଥିରେ ଏ ବାବଦରେ ସୂଚନା ମିଳିଛି। ଆଉ ଏଵେ ତିନି ଦିନ ପରେ ଦଳର ଅନ୍ୟତମ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କପିଳେଶ୍ୱର ମନ୍ଦିରର ସଂରକ୍ଷଣ ଦାୟିତ୍ୱ ଏଏସଆଇକୁ ଦିଆଯାଉ ବୋଲି ଦାବି କରି କେନ୍ଦ୍ର ସଂସୃତି ମନ୍ତ୍ରୀଙ୍କୁ ଚିଠି ଲେଖିବା ବା ଦାବି କରିବା ରାଜ୍ୟରେ ଦୁଇ ନେତାଙ୍କ ମଧ୍ୟରେ ଥିବା କନ୍ଦଳକୁ ବା ସମାନ ପ୍ରସଙ୍ଗରେ ଶ୍ରେୟ ନେବାକୁ ରାଜନୀତି ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି।
ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଟ୍ବିଟ୍ କରି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରି କହିଛନ୍ତି ଯେ କପିଳେଶ୍ୱର ମନ୍ଦିର ଏଏସ୍ଆଇର ସଂରକ୍ଷିତ ସ୍ମାରକୀ ତାଲିକାକୁ ଯିବ ଯାହା ଉତ୍ତମ ସଂରକ୍ଷଣ ଓ ରକ୍ଷଣାବେକ୍ଷଣକୁ ସୁନିଶ୍ଚିତ କରିବ।
ସେ କହିଛନ୍ତି, ମନ୍ଦିର ପୂଜକଙ୍କ ଅନୁରୋଧ କ୍ରମେ ମୁଁ କିଛି ସମୟ ପୂର୍ବରୁ ମନ୍ଦିରକୁ ଯାଇ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ। ଏ ନେଇ ସେ କେନ୍ଦ୍ରମନ୍ତ୍ରୀ କିଷାନ ରେଡ୍ଡୀଙ୍କୁ ମଧ୍ୟ ଭେଟିଥିଲେ। ଆଉ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଅନ୍ୟପଟେ ଭୁବନେଶ୍ୱର ସ୍ଥିତ କପିଳେଶ୍ୱର ମନ୍ଦିରର ସଂରକ୍ଷଣ ଏବଂ ଉନ୍ନତି ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ବା ଏଏସଆଇକୁ ଦାୟିତ୍ୱ ନେବାକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଧର୍ମେନ୍ଦ୍ର ପ୍ରଧାନ ଏଏସଆଇକୁ ମନ୍ଦିର ସୁରକ୍ଷା ଏବଂ ବିକାଶ ଯୋଜନାରେ କପିଳେଶ୍ୱର ମନ୍ଦିରକୁ ଅନ୍ତର୍ଭୃକ୍ତ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ବିଭାଗୀୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି। ଏହି ପ୍ରାଚୀନ ମନ୍ଦିରକୁ ସୁରକ୍ଷିତ ରଖିବା ପାଇଁ ଏଏସଆଇ ଆବଶ୍ୟକ ପଦକ୍ଷେପ ନେବା ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି । କପିଳେଶ୍ୱର ମନ୍ଦିର ଏକ ଧାର୍ମିକ ସ୍ଥଳୀ ନୁହେଁ ବରଂ ଜାତୀୟ ସମ୍ପତ୍ତି । ଏଏସଆଇ ଦ୍ୱାରା ମନ୍ଦିରର ସଂରକ୍ଷିତ ସୁନିଶ୍ଚିତ କରାଯାଉ ବୋଲି ଧର୍ମେନ୍ଦ୍ର ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ।
ବଡ଼କଥା ହେଲା କପିଳେଶ୍ବର ମନ୍ଦିର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଛି ତାହା ସ୍ପଷ୍ଟ କରୁଛି ଯେ ଏଏସଆଇ ସଂରକ୍ଷିତ ତାଲିକାକୁ ଏହା ଯିବ। ହେଲେ ପୁଣି ଧର୍ମେନ୍ଦ୍ର ପ୍ରଧାନ ସମାନ ଦାବି କରିବା ହିଁ ସୂଚାଉଛି କପିଳେଶ୍ବର ମନ୍ଦିର ପ୍ରସଙ୍ଗରେ ଦୁଇ ନେତାଙ୍କ ଶ୍ରେୟ ରାଜନୀତିକୁ।
Comments are closed.