Latest Odisha News

BREAKING NEWS

ମେ’ ୨୯ ତାରିଖରୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ, ୨୯ ଜୁଲାଇରୁ ପାଠପଢ଼ା

ଭୁବନେଶ୍ୱର: ମେ’ ୨୯ ତାରିଖରୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ହେବ। ଉଚ୍ଚ ଶିକ୍ଷା ବିଭାଗର ପୋର୍ଟାଲ SAMS ଜରିଆରେ କମନ ଆପ୍ଲିକେସନ ଫର୍ମ ଜରିଆରେ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।

ମିିିଳିଥିବା ସୂଚନା ଅନୁଯାୟୀ, ଜୁନ ୨୦ ଆବେଦନ କରିବାର ଶେଷ ତାରିଖ ରହିଥିବା ବେଳେ ଜୁନ ୨୮ ତାରିଖରେ ପ୍ରକାଶ ପାଇବ ପ୍ରଥମ ମେରିଟ୍‌ ଲିଷ୍ଟ। ୨୯ ଜୁନରୁ ୫ ଜୁଲାଇ ମଧ୍ୟରେ ପ୍ରଥମ ମେରିଟ ଲିଷ୍ଟରେ ଥିବା ଛାତ୍ରଛାତ୍ରୀ ଆଡମିଶନ ବା ନାମଲେଖାଇ କରିପାରିବେ। ସେହିପରି ୧୩ ଜୁଲାଇରେ ଦ୍ବିତୀୟ ପର୍ଯ୍ଯାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ସେମାନେ ୧୪ ଜୁଲାଇରୁ ୧୭ ଜୁଲାଇ ମଧ୍ଯରେ ନାମ ଲେଖାଇ ପାରିବ। ଚଳିତ ଥର ସ୍ପଟ ଆଡମିଶନ ପାଇଁ ଅନ୍ ଲାଇନ୍ ବ୍ୟବସ୍ଥା ହୋଇପାରେ। ୨୯ ଜୁଲାଇରୁ ଯୁକ୍ତ ଦୁଇ ପାଇଁ ପାଠ ପଢ଼ା ଆରମ୍ଭ ହେବ। ସାରା ରାଜ୍ୟରେ ଯୁକ୍ତ ଦୁଇରେ ୫ ଲକ୍ଷ ୯ ହଜାର ସିଟ୍ ସଂଖ୍ୟା ରହିଛି।

ମାଟ୍ରିକ୍ ପରୀକ୍ଷାରେ ୫ ଲକ୍ଷ ୧୨ ହଜାର ପାସ୍ କରିଛନ୍ତି। ଯାହା ମୋଟ୍ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୯୬.୪ ପ୍ରତିଶତ ପାସ ହାର ରହିଛି। ତେଣୁ ରାଜ୍ଯ ସରକାରଏବେ ପ୍ଲସ୍ ଟୁ ବା ଯୁକ୍ତ ଦୁଇ ନାମଲେଖା ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ସିଟ୍ ସଂଖ୍ୟା ବୃଦ୍ଧି ପାଇଁ ପଦକ୍ଷେପ ନେବାକୁ ବିଚାର କରୁଛନ୍ତି। ପ୍ଲସ୍ ଟୁ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବଶ୍ୟକ ସିଟ୍ ଯୋଗାଇ ଦେବାକୁ ସରକାର ଉପଯୁକ୍ତ ପଦକ୍ଷେପ ନେବେ ବୋଲି ଛାତ୍ରଛାତ୍ରୀଙ୍କୁ ଆଶ୍ୱାସନା ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ନିକଟରେ ଏହି ସୂଚନା ଦେଇଥିଲେ।

ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷାରେ ପାସ୍ ହାର ୯୬.୪ ପ୍ରତିଶତରେ ପହଞ୍ଚିଛି, ଯାହାକି ଗତବର୍ଷର ୯୦.୫୫ ପ୍ରତିଶତ ତୁଳନାରେ ଯଥେଷ୍ଟ ବୃଦ୍ଧି ପାଇଛି। ଲିଙ୍ଗଗତ ଅନୁଯାୟୀ ପାସ୍ ହାର ମଧ୍ୟରେ ପୁଅମାନେ ୯୫.୭୫ ପ୍ରତିଶତ ପାସ୍ କରିଥିବା ବେଳେ ଝିଅମାନେ ୯୭.୦୫ ପ୍ରତିଶତ ପାସ୍ କରିଛନ୍ତି। ମୋଟ୍ ୩,୨୨୨ଟି ସ୍କୁଲରେ ପାସ୍ ହାର ଶତକଡା ୯୭.୯୯ ପ୍ରତିଶତ ରହିଥିବା ବେଳେ କଟକ ଓ ଜଗତସିଂହପୁର ଜିଲ୍ଲାରେ ପାସ୍ ହାର ଶତକଡା ୯୭.୯୯ ପ୍ରତିଶତ ରହିଛି।

 

Comments are closed.