Latest Odisha News

ଏହି ୟୁଜର୍ସଙ୍କ ପାଇଁ ସରକାର ଜାରି କଲେ ଚେତାବନୀ, ସାବଧାନ ! ହୋଇପାରେ ହ୍ୟାକିଂ

ନୂଆଦିଲ୍ଲୀ: ଯଦି ଆପଣ Windows କମ୍ପ୍ୟୁଟର କିମ୍ବା Microsoft Office ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଚେତାବନୀ ରହିଛି। ଭାରତ ସରକାରଙ୍କ ସାଇବର ସୁରକ୍ଷା ବିଭାଗ CERT-In ଜୁଲାଇ ୨୦୨୫ରେ ଏକ ଉଚ୍ଚ ସୁରକ୍ଷା ବିପଦ ଚେତାବନୀ ଜାରି କରିଛି। ଏହା କହିବା ଭୁଲ ହେବ ନାହିଁ ଯେ କୋଟି କୋଟି ଉପଭୋକ୍ତାଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି, କାରଣ ଏହି ଚେତାବନୀରେ କୁହାଯାଇଛି ଯେ Windows ଏବଂ Microsoftର ଅନେକ ପ୍ରୋଡକ୍ଟରେ ଗମ୍ଭୀର ସୁରକ୍ଷା ତ୍ରୁଟି ଚିହ୍ନଟ ହୋଇଛି।

CERT-Inର ରିପୋର୍ଟ ଅନୁଯାୟୀ, Microsoftର ପ୍ରୋଡକ୍ଟଗୁଡ଼ିକରେ ଅନେକ ସୁରକ୍ଷା ତ୍ରୁଟି ମିଳିଛି। ଏହି ତ୍ରୁଟିଗୁଡ଼ିକର ଫାଇଦା ଉଠାଇ ହ୍ୟାକରମାନେ ଆପଣଙ୍କ ସିଷ୍ଟମକୁ ହ୍ୟାକ କରିପାରନ୍ତି। ଚେତାବନୀରେ କୁହାଯାଇଛି ଯେ ଏହି ତ୍ରୁଟିଗୁଡ଼ିକ ହେତୁ ହ୍ୟାକରମାନେ ଉପଭୋକ୍ତାଙ୍କ ଡିଭାଇସର ନିୟନ୍ତ୍ରଣ ନେଇପାରନ୍ତି, ସମ୍ବେଦନଶୀଳ ତଥ୍ୟ ଚୋରି କରିପାରନ୍ତି, ରିମୋଟ କୋଡ ଏକ୍ସିକ୍ୟୁସନ ଆଟାକ୍ କରିପାରନ୍ତି, ସୁରକ୍ଷା ବ୍ୟବସ୍ଥାକୁ ବାଇପାସ କରି ସିଷ୍ଟମ ସେଟିଂସ ପରିବର୍ତ୍ତନ କରିପାରନ୍ତି ଏବଂ ଡିନାୟଲ ଅଫ ସର୍ଭିସ (DoS) ଆଟାକ୍ ମଧ୍ୟ କରିପାରନ୍ତି।

ସରଳ ଭାଷାରେ କହିବାକୁ ଗଲେ, ଯଦି ହ୍ୟାକରମାନେ ଏହି ତ୍ରୁଟିଗୁଡ଼ିକର ଫାଇଦା ଉଠାନ୍ତି, ତେବେ ସେମାନେ ଆପଣଙ୍କ ପିସିକୁ କ୍ଷତି ପହଞ୍ଚାଇପାରନ୍ତି, ଡାଟା ଚୋରି କରିପାରନ୍ତି ଏବଂ ସିଷ୍ଟମକୁ କ୍ରାସ ମଧ୍ୟ କରିପାରନ୍ତି।

କାହାକୁ ବିପଦ?
CERT-In ଅନୁଯାୟୀ, ଏହି ତ୍ରୁଟିଗୁଡ଼ିକ କେବଳ Windowରେ ସୀମିତ ନୁହେଁ। ବରଂ Microsoftର ଅନେକ ପ୍ରୋଡକ୍ଟ ମଧ୍ୟ ଏହି ବିପଦରେ ଅଛି। ଏଥିରେ Microsoft Windows, Microsoft Office (Word, Excel, PowerPoint), Microsoft Dynamics, Edge ବ୍ରାଉଜର, Azure କ୍ଲାଉଡ ପ୍ଲାଟଫର୍ମ, SQL Server, Developer Tools ଏବଂ System Center ଅନ୍ତର୍ଭୁକ୍ତ।

ଆପଣ ବ୍ୟକ୍ତିଗତ ଲାପଟପ ବ୍ୟବହାର କରୁଥାନ୍ତୁ କିମ୍ବା କୌଣସି ବଡ଼ କମ୍ପାନୀର ଲାପଟପ, ଯଦି ଆପଣ Microsoftର ସିଷ୍ଟମ କିମ୍ବା ଆପ୍ ବ୍ୟବହାର କରୁଛନ୍ତି, ତେବେ ଆପଣ ଏହି ବିପଦରେ ଅଛନ୍ତି।

 କିପରି ରହିବେ ସୁରକ୍ଷିତ?
Microsoft ଏହି ତ୍ରୁଟିଗୁଡ଼ିକୁ ଦୂର କରିବା ପାଇଁ ସୁରକ୍ଷା ଅପଡେଟ୍ ଜାରି କରିଛି। କମ୍ପାନୀ କହିଛି ଯେ ଏଯାଏ ଏହି ତ୍ରୁଟିଗୁଡ଼ିକର ବଡ଼ ପରିମାଣରେ ଦୁରୁପଯୋଗ ହୋଇନାହିଁ, କିନ୍ତୁ ସିଷ୍ଟମକୁ ଅପଡେଟ କରିବା ଅତ୍ୟନ୍ତ ଆବଶ୍ୟକ।

  • Windows ଅପଡେଟ କରନ୍ତୁ: ସେଟିଂସକୁ ଯାଆନ୍ତୁ, ‘Update & Security’ ଉପରେ କ୍ଲିକ କରନ୍ତୁ ଏବଂ ସର୍ବଶେଷ ଅପଡେଟ ଇନଷ୍ଟଲ କରନ୍ତୁ। ଅଟୋ ଅପଡେଟ ଅନ ରଖନ୍ତୁ, ଯାହା ଦ୍ୱାରା ପ୍ରତ୍ୟେକ ନୂଆ ପ୍ୟାଚ ସ୍ୱୟଂଚାଳିତ ଭାବେ ଇନଷ୍ଟଲ ହେବ। ଅପଡେଟ ପରେ ସିଷ୍ଟମକୁ ରିଷ୍ଟାର୍ଟ କରନ୍ତୁ।
  • ଯଦି ଆପଣ Microsoft Office କିମ୍ବା Azure ଭଳି ସେବା ବ୍ୟବହାର କରୁଛନ୍ତି, ତେବେ ସେଗୁଡ଼ିକର ମଧ୍ୟ ଅପଡେଟ ଯାଞ୍ଚ କରନ୍ତୁ।
    ଯଦି ଆପଣ ଅପଡେଟ ନକରନ୍ତି, ତେବେ ହ୍ୟାକରମାନେ ଆପଣଙ୍କ ସିଷ୍ଟମକୁ ହ୍ୟାକ କରି ଆପଣଙ୍କ ଡାଟା ଚୋରି କରିପାରନ୍ତି।

ଏହି ସୁରକ୍ଷା ଚେତାବନୀ ଆପଣଙ୍କ ଡିଭାଇସ ଓ ଡାଟାର ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ। ତେଣୁ ତୁରନ୍ତ ଆପଣଙ୍କ ସିଷ୍ଟମକୁ ଅପଡେଟ କରନ୍ତୁ ଓ ସୁରକ୍ଷିତ ରୁହନ୍ତୁ।

 

Comments are closed.