ନୂଆଦିଲ୍ଲୀ: ଦିନକୁ ଦିନ ଅସମ୍ଭାଳ ହେଉଛି ଦିଲ୍ଲୀ ପ୍ରଦୂଷଣ । ଅଣନିଶ୍ଵାସୀ ହୋଇଗଲେଣି ଦିଲ୍ଲୀ ବାସୀ । ସହର ଓ ଆଖପାଖ ଅଞ୍ଚଳକୁ ଘେରି ରହିଛି ପ୍ରଦୂଷଣର ଚାଦର । ପ୍ରଦୂଷଣର ମୋଟା ଆସ୍ତରଣ ଓ ଧୂଆଁଳିଆ ପରିବେଶରେ ଲୋକମାନେ ଅଣନିଃଶ୍ୱାସୀ ଅନୁଭବ କରୁଛନ୍ତି ।ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବାର ନିଷ୍ପତି ନେଇଛନ୍ତି ଦିଲ୍ଲୀ ସରକାର । ତେବେ ଅନଲାଇନ ମୋଡରେ ଚାଲିବ ପାଠପଢା। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ, ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟ କେବଳ ଅନଲାଇନ ମୋଡରେ ଚାଲିବ ବୋଲି ସୂଚନା ମିଳିଛି।
ଅନ୍ୟପଟେ ଦିଲ୍ଲୀରେ ଦୃଶ୍ୟମାନ ଦୂରତା ବି ହ୍ରାସ ପାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଗ୍ରାପ୍-୩ ଲାଗୁ କରାଯାଇଛି । ଏଥିସହ ନିର୍ମାଣ କାର୍ଯ୍ୟ ମଧ୍ୟ ବନ୍ଦ କରାଯାଇଛି । ସେପଟେ ଦିଲ୍ଲୀର AQI ପୂର୍ବ ଅପେକ୍ଷା ସାମାନ୍ୟ ହ୍ରାସ ପାଇଛି । ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ AQI ୪୦୯ ରହିଥିବା ନେଇ ସୂଚନା ମିଳିଛି । ସେହିପରି ଆନନ୍ଦ ବିହାରରେ ୪୪୧, ଅଶୋକ ବିହାରରେ ୪୪୦, ବାୱାନାରେ ୪୫୫, ଦ୍ୱାରକାରେ ୪୪୪, ଇନ୍ଦିରାଗାନ୍ଧୀ ବିମାନବନ୍ଦରରେ ୪୪୬, ଜାହାଙ୍ଗୀରପୁରୀରେ ୪୫୮, ମେଜର ଧ୍ୟାନ୍ ଚାନ୍ଦ ଷ୍ଟାଡିୟମରେ ୪୨୨, ମୁଣ୍ଡକାରେ ୪୪୯, ନଜଫାଗଡରେ ୪୦୪, ନରେଲାରେ ୪୨୮ AQI ରହିଛି ।
ତେବେ ଆଜି ସକାଳୁ ସକାଳୁ ଦିଲ୍ଲୀରେ ଘନ କୁହୁଡି ସହ ଥଣ୍ଡା ଅନୁଭୁତ ହୋଇଛି । ଦିଲ୍ଲୀ ସହ ୟୁପିର ଅନେକ ସହରରେ ଘନ କୁହୁଡ଼ି ଦେଖାଦେଇଛି । ଅନ୍ୟପଟେ ବିହାରର ଅନେକ ଜିଲ୍ଲାରେ ତାପମାତ୍ରା ହ୍ରାସ ପାଇଛି।