Latest Odisha News

BREAKING NEWS

ଅକ୍ଟୋବର ୩୧ରେ ନବୀନ ନିବାସ ଘେରାଓ ନେଇ ବିଜେପିର ଚେତାବନୀ

ଭୁବନେଶ୍ୱର: ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଓ ବ୍ଲାକମେଲର ଅର୍ଚ୍ଚନା ନାଗ ଘଟଣାରେ ସରକାରଙ୍କୁ ଘେରିଛି ବିଜେପି । ଶାସକ ଦଳର ବହୁ ନେତା ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ଆଣି ବିଜେପି ୨ ଦିନ ଧରି ସିପିଙ୍କ କାର୍ଯ୍ୟାଳୟ ଆଗରେ ସତ୍ୟାଗ୍ରହ ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘରାଓ ପାଇଁ ଚେତାବନୀ ଦେଇଛି ।

ଦଳର ନେତା କହିଛନ୍ତି, ଧର୍ମେନ୍ଦ୍ର ସାହୁ ମୃତ୍ୟୁର ଅଭିଯୁକ୍ତ ମନ୍ତ୍ରୀ ସମୀର ଦାଶ ଓ ଅର୍ଚ୍ଚନା ନାଗ ସ୍କାଣ୍ଡାଲରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ସରକାର ନୀରବ ଦ୍ରଷ୍ଟା ସାଜିଛନ୍ତି । ସବୁ କଥାରେ ଆଖି ବନ୍ଦ କରି ବସିଛନ୍ତି ମୁଖ୍ୟମନ୍ତ୍ରୀ । ଅଭିଯୁକ୍ତଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ଥିବା ସତ୍ତ୍ୱେ ଶାସକ ବିଜେଡିର ଚାପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଏପରିକି ଶାସକ ବିଜେଡିର ଚାପରେ ଅଭିଯୁକ୍ତ ତଥା ପ୍ରଭାବଶାଳୀ ମନ୍ତ୍ରୀ ଓ ନେତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉନାହିଁ । ମୃତ୍ୟୁ ପୂର୍ବରୁ ସ୍ୱର୍ଗତଃ ଧର୍ମେନ୍ଦ୍ର ସାହୁଙ୍କ ବୟାନ ଆଧାରରେ ଅଭିଯୁକ୍ତ ମନ୍ତ୍ରୀ ସମୀର ଦାଶଙ୍କୁ ଜେରା କରିବା ତ ବହୁ ଦୂରର କଥା, ଏବେ ଯାଏ ତଦନ୍ତ ପରିସରଭୁକ୍ତ କରାଯାଇନାହିଁ ।

ଏହି ଦୁଇଟି ବଡ ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ଗତ କାଲିଠାରୁ ପୋଲିସ କମିଶନରେଟ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣା ଦିଆଯାଇଥିଲା । ତଥାପି ପୋଲିସ ପ୍ରଶାସନ ଚୁପ୍ ହୋଇ ବସି ରହିଛି । ଆଗାମୀ ୪୮ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ଜେରା କରାନଗଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ । ପୋଲିସ ପ୍ରଶାସନ ନୀରବ ସାଜିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ତେଣୁ ଏହି ଅନ୍ଦୋଳନକୁ ଅହୁରି ଶାଣିତ କରିବା ପାଇଁ ଆସନ୍ତା ୩୧ ତାରିଖ ଦିନ ବିଜେପି ତରଫରୁ ନବୀନ ନିବାସ ଘେରାଓ କରାଯିବ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

ଚାପମୁକ୍ତ ହୋଇ ଜନସାଧାରଣଙ୍କୁ ସୁରକ୍ଷା ପ୍ରଦାନ କରିବା ପୋଲିସର ପ୍ରାଥମିକତା । ମାତ୍ର ରାଜ୍ୟର ଗୃହମନ୍ତ୍ରୀ ଦାୟୀତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ କାରଣରୁ ପୋଲିସ ଚାପର ବଶବର୍ତ୍ତୀ ହୋଇ ଶାସକ ବିଜେଡି ହିତରେ କାର୍ଯ୍ୟ କରୁଛି । ଏହି କାରଣରୁ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି । ମହିଳା ସଶକ୍ତୀକରଣ ବଦଳରେ ମହିଳାଙ୍କୁ ଶୋଷଣ କରାଯାଉଛି ଏବଂ ପୋଲିସ ପ୍ରଶାସନର ଅପବ୍ୟବହାର କରାଯାଇ ଅଭିଯୁକ୍ତମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଉଛି । ରାଜ୍ୟ ସରକାରଙ୍କ ଚାପର ବଶବର୍ତୀ ହୋଇ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନମାନଙ୍କରେ ରାଜ୍ୟର ସମସ୍ତ ଜିଲ୍ଲା ଏବଂ ସବଡିଭିଜନରେ ଦୁର୍ନୀତିଖୋର, ଅନାଚାର ଓ ବ୍ୟଭିଚାର ଶାସକ ବିଜେଡି ବିରୁଦ୍ଧରେ ଆନ୍ଦୋଳନ ଜରିଆରେ ଜନଜାଗରଣ ସୃଷ୍ଟି କରାଯିବ ବୋଲି ହରିଚନ୍ଦନ କହିଛନ୍ତି ।

ଆଜି ଦ୍ୱିତୀୟ ଦିବସରେ ବରିଷ୍ଠ ନେତ୍ରୀ ସୁରମା ପାଢୀ, ରାଜ୍ୟ ଉପସଭାପତି ପ୍ରଭାତୀ ପରିଡା, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ପୁରୀ ଜିଲ୍ଲା ସଭାପତି ଆଶ୍ରୀତ ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓମପ୍ରକାଶ ମିଶ୍ରଙ୍କ ସମେତ ରାଜ୍ୟ ତଥା ଜିଲ୍ଲାର ବହୁ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।

Leave A Reply

Your email address will not be published.