Latest Odisha News

BREAKING NEWS

ହେଲମେଟରେ ଲାଗୁଥିବା ଜିଏସଟି ପାଇଁ ଅନେକ ପ୍ରାଣ ହରାଉଛନ୍ତି କି?

ନୂଆଦିଲ୍ଲୀ: ଦେଶରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ସରକାର ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା କମ୍ କରିବାକୁ ନିରନ୍ତର ପ୍ରୟାସ କରୁଛନ୍ତି। ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଏବଂ ଆହତଙ୍କ ସଂଖ୍ୟା କମ୍ କରିବାକୁ ହେଲେ ହେଲମଟ ପିନ୍ଧିବା ଆବଶ୍ୟକ। ଯଦିଓ ଏବେ ପୂର୍ବ ଅପେକ୍ଷା ଅଧିକାଂଶ ହେଲମେଟ ପିନ୍ଧୁଛନ୍ତି ହେଲେ ଅଧିକାଂଶ ଭଲ ହେଲମେଟ୍ ବା ଗୋଟିଏ ଷ୍ଟାଣ୍ଡାର୍ଡ ହେଲମେଟ ପିନ୍ଧୁନାହାନ୍ତି। ଏପରି କରି ସଂପୃକ୍ତ ବ୍ୟକ୍ତି ଯଦିଓ ଟ୍ରାଫିକ ଚାଲାଣରୁ ବର୍ତ୍ତି ଯାଉଛନ୍ତି ହେଲେ ଦୁର୍ଘଟଣା ଜନିତ କ୍ଷତିକୁ ରୋକିବାରେ ବିଫଳ ହେଉଛନ୍ତି। ତେଣୁ  ହେଲମେଟ ଉପରୁ ଅତ୍ୟଧିକ ଜିଏସଟିକୁ କମ୍ କରିବାକୁ ହେବ ବୋଲି ଦାବି ହୋଇଛି।

ବିଶ୍ୱ ସଡ଼କ ସୁରକ୍ଷା ସଂସ୍ଥା ଆନ୍ତର୍ଜାତୀୟ ସଡକ ଫେଡେରେସନ୍ (ଆଇଆରଏଫ୍) ଦୁଇ ଚକିଆ ଗାଡି ଚାଳକଙ୍କ ପାଇଁ ଜୀବନ ରକ୍ଷାକାରୀ ଉପକରଣ ଉପରେ ଜିଏସଟିକୁ ୧୮% ରୁ ୦% ହ୍ରାସ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଅନୁରୋଧ କରିଛି। ଅନ୍ତର୍ଜାତୀୟ ସଡକ ଫେଡେରେଶନ (ଆଇଆରଏଫ) ସଭାପତି ଏମରିଟସ୍ କେ. କେ କପିଲା ଅର୍ଥମନ୍ତ୍ରୀ ସୀତାରମଣଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ ସଡ଼କ ଦୁର୍ଘଟଣାରେ ସାରା ବିଶ୍ୱରୁ ପ୍ରାୟ ୧୧ ପ୍ରତିଶତ ଭାରତରେ ଘଟୁଛି।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଆଇଆରଏଫର ସଭାପତି ଲେଖିଥିବା ଚିଠିରେ ଲେଖିଛନ୍ତି, ଦୁଇ ଚକିଆ ଯାନ ଦୁର୍ଘଟଣାରେ ଆଘାତ ଏବଂ ମୃତ୍ୟୁକୁ ହ୍ରାସ କରିବା ପାଇଁ ଅନ୍ୟତମ ପ୍ରଭାବଶାଳୀ ପଦକ୍ଷେପ ହେଉଛି ଷ୍ଟାଣ୍ଡାର୍ଡ ହେଲମେଟ ବ୍ୟବହାର। ଆମ ଦେଶରେ ହେଲମେଟର ବ୍ୟବହାର କମ୍ ବୋଲି ଜଣାପଡିଛି। ଦେଶରେ ଟ୍ରାଫିକ ଦୁର୍ଘଟଣା, ଆଘାତ ଏବଂ ମୃତ୍ୟୁ ସଂଖ୍ୟା ବଢୁଥିବାରୁ ଦୁର୍ଘଟଣାରେ ଅଧିକାଂଶ ସମ୍ମୁଖୀନ ହେଉଛନ୍ତି।

ଏକ ରିପୋର୍ଟ ଅନୁଯାୟୀ ୨୦୧୯ରେ ସାରା ଭାରତରେ ୪ ଲକ୍ଷ ୮୦ ହଜାର ୬୫୨ ସଡକ ଦୁର୍ଘଟଣା ଘଟିଛି। ମୋଟ ୧ ଲକ୍ଷ ୫୧ ହଜାର ୧୧୩ ଜଣଙ୍କର ମୃତ୍ୟୁ ଘଟିଛି। ଦିନକୁ ହାରାହାରି ୪୧୪ କିମ୍ବା ଘଣ୍ଟାରେ ୧୭ ଜଣଙ୍କର ମୃତ୍ୟୁ ଘଟୁଛି। ସଡ଼କ ଦୁର୍ଘଟଣାରେ ମୋଟ୍ ମୃତ୍ୟୁ ମଧ୍ୟରୁ ୩୧.୪% ଦୁଇ ଚକିଆ ଚାଳକ ରହିଛନ୍ତି। କେନ୍ଦ୍ରୀୟ ମୋଟର ଯାନ ଅଧିନିୟମ, ୧୯୮୮ ର ଧାରା ୧୨୯ ଅନୁଯାୟୀ, ଦୁଇ ଚକିଆ ଆରୋହୀଙ୍କ ପାଇଁ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ।

ଏବେ ହେଲମେଟରେ ଜିଏସଟି ୧୮% ରହିଛି ଯାହାକି ଏକ ଜୀବନ ରକ୍ଷାକାରୀ ଉପକରଣ। ସଡକ ସୁରକ୍ଷା ବିଶେଷଜ୍ଞଙ୍କ ଅନୁଯାୟୀ, ୨୦୩୦ ସୁଦ୍ଧା ସଡକ ଦୁର୍ଘଟଣାର ମୃତ୍ୟୁକୁ ୫୦% ହ୍ରାସ କରିବାକୁ ହେଲମେଟରେ ଜିଏସଟି ରହିବା ଉଚିତ ନୁହେଁ। ଏପରି ହେଲେ ଦାମୀ ଏବଂ ଭଲ ହେଲମେଟର ଦାମ୍ କମିଯିବ। ଲୋକମାନେ ଏହିପରି ହେଲମେଟ କିଣିବାକୁ ଆଗ୍ରହ ଦେଖାଇବେ। ଏହା କେବଳ ସଡ଼କ ଦୁର୍ଘଟଣାର ମୃତ୍ୟୁ ହ୍ରାସ କରିବାରେ ସହାୟକ ହେବ ନାହିଁ ବରଂ ଦେଶର ଅର୍ଥନୀତିକୁ ମଧ୍ୟ ମଜବୁତ କରାଇବ। କାରଣ ଦୁର୍ଘଟଣାର ଶିକାର ହେଉଥିବା ଅଧିକାଂଶ ୧୮ ରୁ ୪୫ ବର୍ଷ ବୟସ ବର୍ଗର । ଯେଉଁମାନେକି ଦେଶର ଅର୍ଥନୀତିକୁ ମଜବୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି।

Comments are closed.