Latest Odisha News

ସ୍ଥଗିତ ରହିଲା ଅରିଜିତଙ୍କ ୟୁକେ କନ୍‌ସର୍ଟ, ଜାଣନ୍ତୁ କାରଣ…

ମୁମ୍ବାଇ: ବ୍ରିଟେନରେ ହେବାକୁ ଥିବା କନ୍‌ସର୍ଟକୁ ସ୍ଥଗିତ ରଖିଲେ ଲୋକପ୍ରିୟ ଗାୟକ ଅରିଜିତ୍ ସିଂହ l ଅରିଜିତଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ି ଯିବାରୁ ବ୍ରିଟେନରେ ହେବାକୁ ଥିବା କନ୍‌ସର୍ଟକୁ ସ୍ଥଗିତ ରଖାଯାଇଛି l ଏନେଇ ସୂଚନା ଦେଇଛନ୍ତି ନିଜେ ଗାୟକ ଅରିଜିତ l ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଅରିଜିତ ଏହି ସୂଚନା ଦେବା ସହ ଦୁଃଖ ପ୍ରକାଶ କରିଛନ୍ତି l

ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ଅରିଜିତ କହିଛନ୍ତି ଯେ ତାଙ୍କର ସ୍ୱାସ୍ଥ୍ୟ ଗତ ସମସ୍ୟା ହେତୁ ସେ ବ୍ରିଟେନରେ କନସର୍ଟ କରିବାକୁ ଅସମର୍ଥ l ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି l ଅରିଜିତ କହିଛନ୍ତି ଯେ, ଦୁଃଖର ସହ ମୁଁ ଘୋଷଣା କରୁଛି ଯେ, କିଛି ଚିକିତ୍ସା ପରିସ୍ଥିତି ଯୋଗୁ ଅଗଷ୍ଟରେ ହେବାକୁ ଥିବା ମୋର ସଙ୍ଗୀତ କାର୍ଯ୍ୟକ୍ରମକୁ ମୋତେ ସ୍ଥଗିତ ରଖିବାକୁ ପଡ଼ିଛି। ମୁଁ ଜାଣେ ଆପଣମାନେ ଏହି ଶୋ’କୁ କେତେ ଉତ୍ସାହର ସହିତ ଅପେକ୍ଷା କରିଥିଲେ ଏବଂ ମୁଁ ପ୍ରକୃତରେ ଖୁବ୍‌ ଦୁଃଖିତ ଏବଂ ନିରାଶ ହୋଇଛି ଯେ ଏହି ଶୋ ହେଉନାହିଁ। ଆପଣମାନଙ୍କ ଭଲପାଇବା ଏବଂ ସହଯୋଗ ମୋର ଶକ୍ତି।

ବର୍ତ୍ତମାନ ହେବାକୁ ଥିବା କନ୍‌ସର୍ଟକୁ ସ୍ଥଗିତ ରଖିବା ସହ ନୂଆ ତାରିଖ ମଧ୍ୟ ଘୋଷଣା କରିଛନ୍ତି ଅରିଜିତ । ନୂତନ ତାରିଖ ଅନୁସାରେ ସେପ୍ଟେମ୍ବର ୧୫ରେ (ଲଣ୍ଡନ), ସେପ୍ଟେମ୍ବର ୧୬ (ବର୍ମିଂହାମ୍‌), ସେପ୍ଟେମ୍ବର ୧୯ (ରୋଟରଡ୍ୟାମ), ସେପ୍ଟେମ୍ବର ୨୨ (ମାଞ୍ଚେଷ୍ଟର) ହେବ ତାଙ୍କର ଲାଇଭ କନ୍‌ସର୍ଟ । ତେବେ ବର୍ତ୍ତମାନର ଟିକେଟ୍‌ ନୂଆ କନ୍‌ସର୍ଟ ପାଇଁ ବୈଧ ରହିବ ବୋଲି ସେ କହିଛନ୍ତି। ଅନ୍ୟପଟେ ଅରିଜିତ୍ ଅସୁସ୍ଥ ଥିବା ଓ ଚିକିତ୍ସିତ ହେଉଥିବା ଖବର ଶୁଣି ତାଙ୍କ ପ୍ରଶଂସକମାନେ ଦୁଃଖ ଓ ଚିନ୍ତା ପ୍ରକଟ କରିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Comments are closed.