ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଦୁଇଟି ପ୍ରତିଷ୍ଠିତ ସ୍କୁଲକୁ ସୋମବାର ଦିନ ବୋମା ଧମକ ମିଳିଛି। ଇମେଲଗୁଡ଼ିକରେ ଦାବି କରାଯାଇଥିଲା ଯେ ସ୍କୁଲ ପରିସରରେ ବୋମା ରହିଛି। ସୂଚନା ପାଇବା ପରେ ଉଭୟ ସ୍କୁଲକୁ ହାଇ ଆଲର୍ଟ ଜାରି କରାଯିବା ସହ ସୁରକ୍ଷା ବୃଦ୍ଧି କରାଯାଇଥିଲା।
ବୋମା ଧମକ ନେଇ ସ୍କୁଲ ପ୍ରଶାସନ ସକାଳେ ଦିଲ୍ଲୀ ପୋଲିସକୁ ସୂଚନା ଦେଇଥିଲା। ଯାହା ପରେ ପୋଲିସ ଘଟଣାକୁ ଗମ୍ଭୀରତାର ସହ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଦିଲ୍ଲୀ ପୋଲିସ ଟିମ, ବୋମା ନିଷ୍କ୍ରିୟକାରୀ ଟିମ, ଡଗ ସ୍କ୍ୱାର୍ଡ ଏବଂ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଧୌଲା କୁଆଁର ଆର୍ମି ପବ୍ଲିକ୍ ସ୍କୁଲରେ ପହଞ୍ଚିଥିଲେ। ତୁରନ୍ତ ପରିସରକୁ ଖାଲି କରାଯାଇଥିଲା ଏବଂ ତଲାସୀ କରାଯାଇଥିଲା। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ସାଇବର ସେଲ୍ ସହିତ ମିଶି ଇମେଲର ଉତ୍ସ ତଦନ୍ତ କରାଯାଉଛି। ଏପର୍ଯ୍ୟନ୍ତ କୌଣସି ସନ୍ଦେହଜନକ ସାମଗ୍ରୀ ମିଳିନାହିଁ କିନ୍ତୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏକ ତଦନ୍ତ ଚାଲିଛି।
ସେହିପରି ବାୟୁସେନା ବାଲ ଭାରତୀ ସ୍କୁଲରେ ସମାନ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ଉଭୟ ସ୍କୁଲରେ ଛାତ୍ର ଏବଂ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରାଯାଉଛି। ବର୍ତ୍ତମାନ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନଥିବା ଜଣାପଡିଛି।
ଅପରପକ୍ଷରେ ଫେବୃଆରୀ ଆରମ୍ଭରେ ଅନେକ ସ୍କୁଲକୁ (ଯେପରିକି ଲୋରେଟୋ କନଭେଣ୍ଟ, କେମ୍ବ୍ରିଜ୍ ସ୍କୁଲ, ଭେଙ୍କଟେଶ୍ୱର) ସମାନ ଇମେଲ୍ ଧମକ ମିଳିଥିଲା, ଯାହା ପରେ ଗୁଜବ ବୋଲି ଜଣାପଡ଼ିଥିଲା।
Comments are closed.