Latest Odisha News

BREAKING NEWS

ଧାରା ୩୭୦ ପୁଣିଥରେ ଲାଗୁ ହୋଇପାରିବନି : ଗୁଲାମ

ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେଉଥିବା ଧାରା ୩୭୦ ଏବଂ ୩୫-ଏ ପୁଣିଥରେ ଲାଗୁ ହେବ ବୋଲି ଯେଉଁମାନେ ପ୍ରତିଶ୍ରୁତି ଦେଉଛନ୍ତି ନେତାମାନେ ତାହା କେବେ ହୋଇପାରିବ ନାହଁ। ଏହା କହିଛନ୍ତି ନିକଟରେ କଂଗ୍ରେସ ଛାଡି ନୂଆ ଦଳ ଗଢିବାକୁ ଥିବା ଗୁଲାମ ନବୀ ଆଜାଦ। ଯିଏକି ନିଜେ ଧାରା ୩୭୦ଏ ଉଚ୍ଛେଦକୁ ସଂସଦରେ ବିରୋଧ କରିଥିଲେ।

ଏବେ ଗୁଲାମ କଂଗ୍ରେସ ଛାଡିବା ପରେ ବିଜେପିର ଶୀର୍ଷ ନେତାଙ୍କ ନିକଟତମ ହୋଇଥିବା କୁହାଯାଉଛି। ଆଉ ଗୁଲାମଙ୍କ ଏପରି ବୟାନ ଜମ୍ନୁ କଶ୍ମୀର ରାଜନୀତିରେ ଟ୍ବିଷ୍ଟ ଆଣିଛି। କାରଣ ସେ ଏପରି କହି ତାଙ୍କର ପୁରୁଣା ବନ୍ଧୁ ତଥା ସହଯୋଗୀ ରାଜନୈତିକ ଦଳ ପିଡିପି, ନ୍ୟାଶନାଲ କନଫରେନସ ଏବଂ ନିଜର ପୁରୁଣା ଦଳ କଂଗ୍ରେସକୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି।

ଗତକାଲି ଉତ୍ତର କଶ୍ମୀର ବରମୁଲାରେ ଏକ ରାଲି କରିବା ବେଳେ ଗୁଲାମ ନବୀ ଆଜାଦ କହିଛନ୍ତି, ଯେଉଁମାନେ ଧାରା ୩୭୦ଏବଂ ୩୫ଏ ପୁଣିଥରେ ଲାଗୁ ହେବ ବୋଲି କହୁଛନ୍ତି, ସେମାନେ ଜମ୍ମୁ କଶ୍ମୀରବାସୀଙ୍କୁ ମିଛ ପ୍ରତିଶ୍ରୁତି ଦେଉଛନ୍ତି । ଏଭଳି କହି ସେମାନେ କେବଳ ଭୋଟ୍ ବ୍ୟାଙ୍କ କଥା ଚିନ୍ତା କରୁଛନ୍ତି । ଲୋକଙ୍କୁ ଉସକାଇ ହିଂସା କରିବାକୁ ଚେଷ୍ଟା କରୁଛନ୍ତି।

ସେ କହିଛନ୍ତି, ଆଗାମୀ ୧୦ ଦିନ ମଧ୍ୟରେ ସେ ତାଙ୍କ ରାଜନୈତିକ ଦଳର ନାଁ ଘୋଷଣା କରିବେ । ଯାହା ଆଞ୍ଚଳିକ ଦଳ ହେବ। କଶ୍ମୀରବାସୀଙ୍କ ବିକାଶକୁ ନେଇ ରାଜନୀତି ହେବ। ଯାହା ହୋଇପାରିବ ନାହିଁ ତାକୁ ସେ କେବେ ପ୍ରତିଶ୍ରୁତି ଦେବେ ନାହିଁ ବୋଲି କହିଛନ୍ତି। ଯେଉଁ ଦଳ ମିଛ ପ୍ରତିଶ୍ରୁତି ଦେବ ସେ ପ୍ରଥମେ ତାଙ୍କୁ ସାମ୍ନା କରିବ । ନଚେତ ତାଙ୍କୁ ମାରିବା ପରେ ସେ ତାଙ୍କର ମିଛ ଏଜେଣ୍ଡା ଚଳାଇପାରିବେ ବୋଲି ଗୁଲାମ କହିଛନ୍ତି।

ଉଲ୍ଲେଖଯୋଗ୍ୟ, କଂଗ୍ରେସ ଛାଡିବା ପରେ ଗୁଲାମନବୀ ଜମ୍ମୁ କଶ୍ମୀରରେ ଦ୍ୱିତୀୟ ରାଜନୈତିକ ଇନିଂସ ଆରମ୍ଭ କରିଛନ୍ତି । ଆଗକୁ ଜମ୍ମୁ କଶ୍ମୀରରେ ନିର୍ବାଚନ ହେବ ବୋଲି ସୂଚନା ରହିଛି। ତେଣୁ ଏହା ପୂର୍ବରୁ ଗୁଲାମ ଫୁଲ ଦମରେ ନିଜ ଦଳକୁ ଛିଡା କରିବାକୁ ଅଣ୍ଟା ଭିଡିଥିବା ସୂଚନା ରହିଛି।

Comments are closed.