ସ୍କୁଲରେ ପଢୁଥାଏ ମୁଁ। କଟକରେ, ରେଭେନଶା କଲେଜିଏଟ ସ୍କୁଲରେ, ହଠାତ୍ ଦିନେ ସ୍କୁଲରୁ ଫେରିଲା ବେଳକୁ, ବୋଉ କହିଲେ “ଆଜି ଆଉ ଖେଳିବାକୁ ଯାଅନି। ଆଜି ସନ୍ଧ୍ୟାରେ ଆମେ ଓଡ଼ିଆ ସିନେମା ଦେଖିବାକୁ ଯିବା। ଖୁସିରେ ତାଳି ମାରି ଡେଇଁପଡିଲି ମୁଁ। ଏମିତିଆ କାଁ ଭାଁ କେତେବେଳେ କେମିତି ମିଳୁଥିଲା।
ନନା ବୋଉଙ୍କ ସାଙ୍ଗରେ ଆମେ ଗଲୁ ସିନେମା ଦେଖିବାକୁ। ଫିଲିମର ନାଁ ଥିଲା “ପରିଣାମ”। ଉତ୍କଳ ଚଳଚ୍ଚିତ୍ର ପ୍ରତିଷ୍ଠାନର ପ୍ରଥମ ଫିଲିମ ଥିଲା ମହାଲକ୍ଷ୍ମୀ ପୂଜା, ତାପରେ ଏକ ଫିଲିମ କଂସ। ଠିକ ତାପରେ ପରେ ପ୍ରଯୋଜକ କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ ପ୍ରଯୋଜନା କରିଥିଲେ ପରିଣାମ।
ସେଥିରେ ନାୟକ ଭୂମିକାରେ ଥିଲେ ପ୍ରମୋଦ ପାଣିଗ୍ରାହୀ ଆଉ ନାୟିକା ଥିଲେ ଡ଼. ଗୀତି ସୁଧା। ଦୁଃଖୀରାମ ସ୍ୱାଇଁ ମଧ୍ୟ ଥିଲେ। କାହିଁକି କେଜାଣି ମୁଁ ଭୀଷଣ ଭାବରେ ଆକର୍ଷିତ ହୋଇଗଲି ପ୍ରମୋଦ ପାଣିଗ୍ରାହୀଙ୍କ ଅଭିନୟରେ। ସୁନ୍ଦର ମୁହ, ସୁନ୍ଦର ହସ ଆଉ ତା ସାଙ୍ଗକୁ ମିଠା ମିଠା ସଂଳାପ। ବହୁ ଦିନ ପର୍ୟ୍ୟନ୍ତ ପରିଣାମ କଥାଚିତ୍ରର ଦୁଇଜଣ ମୋ ମନକୁ ଆଚ୍ଛାଦିତ କରି ରଖିଲେ – ନାୟକ ପ୍ରମୋଦ ପାଣିଗ୍ରାହୀ ଆଉ ଗୀତଟିଏ,
ରାଧିକାମୋହନ ଏବେ ପଦ ତଳେ ନିଅ ଡାକି
ଆଉ କେତେ କନ୍ଦାଇବ ନୟନ ଯେ ଗଲା ସୁଖି
ଜୀବନରେ ବହୁ ଚମତ୍କାରିତା ମୁଁ ଅନୁଭବ କରିଥିଲି। ଭାବିନଥିଲି କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ପରବର୍ତ୍ତୀ ସିନେମା “ଦସ୍ୟୁରତ୍ନାକର” ରେ ମୋତେ ଅଭିନୟର ଡାକରା ଆସିବ। ମିଟିଙ୍ଗ୍ ପାଇଁ ଆସ୍କା ଗଲୁ। ସେଠି ପହଞ୍ଚିବା ମାତ୍ରକେ ମୁଁ ଧୀର ବିଶ୍ୱାଳଙ୍କୁ କହିଲି, ପ୍ରମୋଦ ପାଣିଗ୍ରାହୀଙ୍କ ସଙ୍ଗେ ମୋତେ ଭେଟେଇ ଦେବାକୁ। ସେଇ ଦିନ ସନ୍ଧ୍ୟା ବେଳେ ପ୍ରମୋଦ ପାଣିଗ୍ରାହୀ ଆଉ ଶରତ ପୂଜାରୀ ଆମେ ରହୁଥିବା କେମ୍ପରେ ପହଞ୍ଚିଲେ।
ମନ ଭରି ଦେଖିଲି ତାଙ୍କୁ। ସେଇ ଦିନଠୁଁ ମୋର ପ୍ରମୋଦ ଭାଇନା ଡାକ ଆରମ୍ଭ ହୋଇଗଲା। ମୁଁ ଆସ୍କାରେ ୨୦ ଦିନ ରହିଲି ଆଉ ସେ ସବୁ ଦିନ ଆସି ମୋତେ ଗେହ୍ଲା କରନ୍ତି ଆଉ କହନ୍ତି-
ତମେ ଆଗାମୀ ଦିନରେ ବହୁତ ବଡ଼ କଳାକାର ହବ। ମୁଁ ମନେ ମନେ ହସି ଦେଇଥିଲି ସେତେବେଳେ। ନିଜକୁ ନିଜେ ପଚାରୁଥିଲି, “ମୋ ଭିତରେ ସେ କ’ଣ ଏମିତି ଦେଖିଲେ କି ଯାହା ଆଉ କାହାରିକୁ ଦେଖାଯାଉନି?”
ଦସ୍ୟୁରତ୍ନାକର ସୁଟିଙ୍ଗ ସରୁସରୁ ୧୯୫୯ ମସିହା ହୋଇଗଲା। ତାପରେ ଆଉ ଦେଖା ହେଇନି ତାଙ୍କ ସଙ୍ଗେ। ପୁଣି ଥରେ ତାଙ୍କ ସଙ୍ଗେ ଦେଖାହେଲା ବରହମପୁରରେ। ସେତେବେଳେ ଓଡ଼ିଆ ସଙ୍ଗିତ ନାଟକ ଏକାଡ଼େମୀ ଆନୁକୁଲ୍ୟରେ ଓଡ଼ିଆର ସବୁ ସୌଖୀନ କଳାକାରମାନଙ୍କଦ୍ୱାରା ନାଟକ ପରିବେଷିତ ହେଉଥିଲା ଆଉ ପ୍ରତିଯୋଗିତା ମଧ୍ୟ। ସେ ବର୍ଷ ଏ ପ୍ରତିଯୋଗିତା ବରହମପୁରରେ ହେଉଥିଲା। ଓଡ଼ିଶାର ବିଭିନ୍ନ ନାଟ୍ୟ ସଂସ୍ଥା ଏଥିରେ ଯୋଗ ଦେଇଥିଲେ। ଶରତ ପୂଜାରୀ, ହେମନ୍ତ ଦାସ, ଅକ୍ଷୟ ମାହାନ୍ତି (କାଶ୍ୟପ), ଗୋବିନ୍ଦ ତେଜ, ସଚ୍ଚି ଦାସ ପ୍ରମୁଖ। କିନ୍ତୁ ସେଠି ସର୍ବଶ୍ରେଷ୍ଠ ନାୟକ ହିସାବରେ ପୁରସ୍କୃତ ହେଲେ ପ୍ରମୋଦ ଭାଇନା। ଆଉ ଖୁସିର କଥା ମୁଁ ଶ୍ରେଷ୍ଠ ବାଳ କଳାକାର ହେଲି। ସେଇ ଦିନଠୁ ଆମ ସମ୍ପର୍କ ବଢିଯାଇଥିଲା। ତାଙ୍କ ବିଷୟରେ ମୁଁ ଯାହା ଜାଣେ ଯେ ସେ କେବଳ ଅଭିନେତା ହୋଇ ନଥିଲେ, ସେ ଉଚ୍ଚକୋଟୀର ସାହିତ୍ୟ ରଚନା କରିପାରୁଥିଲେ। ତାଙ୍କର ଗଳ୍ପ ଓ କବିତା ପ୍ରାୟ ନାମିଦାମି ମେଗାଜିନରେ ପ୍ରକାଶ ପାଉଥିଲା।
ଖାଲି ସେତିକି ନୁହେଁ, ଅନେକ କିଛି ଚଳଚ୍ଚିତ୍ରରେ ସେ ଗୀତ ମଧ୍ୟ ଲେଖିଛନ୍ତି। କହିବାକୁ ଗଲେ ସେ ଏକ ସ୍ୱୟଂସମ୍ପୂର୍ଣ୍ଣ କଳା ଓ ସାହିତ୍ୟର ପୂଜାରୀ।
କିନ୍ତୁ ଭଗବାନଙ୍କ ନିଷ୍ପତ୍ତି ବେଳେବେଳେ ଆଶ୍ଚର୍ୟ୍ୟ ଲାଗେ ମୋତେ। କଳା ସାହିତ୍ୟର ଏତେ ବଡ଼ ପ୍ରତିଭାକୁ ଜଳାଞ୍ଜଳି ଦେଇ ସେ ନ୍ୟାୟିକ ବ୍ୟବସ୍ଥାକୁ ଆପଣେଇ ନେଲେ ତାର ଏକ ଅଙ୍ଗ ହୋଇ। ବିଭିନ୍ନ ଜିଲ୍ଲାରେ ଡ଼ିଷ୍ଟ୍ରିକ୍ଟ ଜଜ୍ ହିସାବରେ ନ୍ୟାୟ ପ୍ରଦାନ କରିବାରେ ଲାଗିଲେ।
କଟକରେ ଡ଼ିଷ୍ଟ୍ରିକ୍ଟ ଜଜ୍ ଥିଲା ବେଳେ ମୁଁ ଯାଇଥିଲି ତାଙ୍କୁ ସାକ୍ଷାତ କରିବାକୁ, ବହୁ ଦିନର ଇଚ୍ଛା ପୂରଣ କରିବାକୁ। ସେତେବେଳକୁ ମୁଁ ଜଣେ ପ୍ରତିଷ୍ଠିତ କଳାକାର ଓ ନିର୍ଦ୍ଦେଶକ ହୋଇସାରିଥାଏ।
ସାକ୍ଷାତ ହେଲା। ତାଙ୍କ ମୁହଁକୁ ଭଲ କରି ଚାହିଁଲି। ତାଙ୍କ ହସ ସେ ପରି ଅମଳିନ ଫୁଲ କଢ଼ ପରି ସତେଜ ଆଉ ଆପଣାପଣର ଏକ ସ୍ୱାଗତ ସମ୍ବୋଧନ, ଆଜି ଯାଏଁ ବି ଭୁଲି ପାରିନି।
ମୋତେ ଦେଖୁଦେଖୁ ସେ କହିଲେ, “ଦେଖିଲ ପ୍ରଶାନ୍ତ, ମୁଁ ତମ ବିଷୟରେ ଯାହା ଆକଳନ କରିଥିଲି ତା ହେଲା କି ନାହିଁ?”
ମୁଁ ହସି ଦେଇ କହିଲି, “ତୁମର ଆକଳନ ସମ୍ପୂର୍ଣ୍ଣ ସତ୍ୟ ହେବ ଯେଉଁ ଦିନ ତୁମେ ମୋ ଚଳଚ୍ଚିତ୍ରରେ ଅଭିନୟ କରିବ”। ହସ ମୌଳି ଗଲା ତାଙ୍କର। କହିଲେ, “ଇଚ୍ଛା ତ ଅଛି। ଭାରି ଖୁସି ଲାଗନ୍ତା ତୁମକୁ ସେଟରେ ନିର୍ଦ୍ଦେଶକ ଦେଖି ହେଲେ ମୁଁ ନିରୁପାୟ। ନ୍ୟାୟପାଳ ହେବା ପରେ ଏତେ ଏକୁଟିଆ ହୋଇଯିବାକୁ ପଡ଼େ ଯେ ନିଜ ପରିବାରକୁ ପରିବାରର ମୁଖ୍ୟ ଭାବରେ ନ୍ୟାୟ ପ୍ରଦାନ କରି ହୁଏନି। ସବୁ ନ୍ୟାୟ ତ ଭଗବାନ କରନ୍ତି କିନ୍ତୁ ତାଙ୍କ ନ୍ୟାୟର ସୁରକ୍ଷା ପାଇଁ ମୁଁ ମାଧ୍ୟମ ହେବାର ଯେଉଁ ନିଷ୍ପତ୍ତି ନେଇଛି, ତା ଆଗରେ ମୋର ବ୍ୟକ୍ତିଗତ କୌଣସି ଇଚ୍ଛା ବା ଆବେଗକୁ ମୁଁ ନିଶେଷ କରିଦେଇଛି। ତା ପରେ ପରେ ହାଇ କୋର୍ଟରେ ନିଜର ଦାୟିତ୍ୱ ତୁଲେଇ ଓଡ଼ିଆ ସରକାରଙ୍କର ନ୍ୟାୟ ବିଭାଗର ସେକ୍ରେଟାରୀ ହେଲେ। ବହୁ ଆଇନର ପ୍ରଣୟନ କରିଛନ୍ତି ସେ। କହିବାକୁ ଗଲେ ତାଙ୍କର ଜୀବନ ଏକ ସଫଳ ଜୀବନ। ମୁଁ ତ କହିବି ଏକ ତ୍ୟାଗପୂତ ଜୀବନ। ନିଜର କୌଣସି ସ୍ୱାର୍ଥରୁ ଊର୍ଦ୍ଧ୍ୱରେ ରହି ଅନ୍ୟ ମାନଙ୍କ ସ୍ୱାର୍ଥକୁ ବିଚାର କରି ନ୍ୟାୟ ଦେବା ପ୍ରକୃତରେ ଏକ ସାଧନା ବୋଲି ମୁଁ ଅନୁଭବ କରିଛି।
ଆଉ ସବୁ ଆଲୋଚନା ତ ତାଙ୍କ ସଙ୍ଗରେ ହୋଇଛି ହେଲେ ଏ ସୀମିତ ସ୍ଥାନରେ ମୁଁ ତାହା ପ୍ରକାଶ କରିପାରୁ ନାହିଁ। ମୋ ହିସାବରେ ସେ ଜଣେ ସଫଳ ସାଧକ, ବିବିଧ ପ୍ରତିଭାର ସେ ଏକ ଅନନ୍ୟ ପ୍ରତୀକ।
(ଓଡ଼ିଶାର ଅତି ପରିଚିତ କଥାଚିତ୍ର ଅଭିନେତା, ନିର୍ଦ୍ଦେଶକ, କାହାଣୀକାର, ଗୀତିକାର, ପ୍ରଚ୍ଛଦପଟ ଗାୟକ ଓ ରାଜନେତା)
Comments are closed.