Latest Odisha News

BREAKING NEWS

ଆସାମର ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ମହାରାଷ୍ଟ୍ର ବିଧାୟକଙ୍କ ଉପହାସ !

ଗୌହାଟି: ଆସାମ ବନ୍ୟାରେ ଭାସୁଛି, ମହାରାଷ୍ଟ୍ର ରାଜନୈତିକ କନ୍ଦଳକୁ ବି ଦେଖୁଛି । ବନ୍ୟାରେ ଆସାମର ୩୫ ଜିଲ୍ଲା ମଧ୍ୟରୁ ୨୮ ଜିଲ୍ଲାର ୩୩ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏପ୍ରିଲରୁ ଏବେ ଯାଏ ବନ୍ୟା ଓ ଭୂ-ସ୍ଖଳନରେ ୧୧୭ ଜଣଙ୍କ ଜୀବନ ଯାଇଛି । ସିଲଚରର ୮୦ ପ୍ରତିଶତରୁ ଅଧିକ ଲୋକ ପାଣିଘେରରେ ଥିବାବେଳେ ଖାଦ୍ୟ ଓ ପିଇବା ପାଣି ପାଇଁ ସଂଘର୍ଷ କରୁଛନ୍ତି ।

ଜଳ ସହ ସଂଘର୍ଷ ଭିତରେ ଆସାମ ଦେଖୁଛି କ୍ଷମତା ପାଇଁ ଛକାପଞ୍ଝା । ଗୌହାଟିର ରାଡିସନ୍ ବ୍ଲୁ ହୋଟେଲ ଏବେ କ୍ଷମତା ଲଢ଼େଇର କେନ୍ଦ୍ର ପାଲଟିଛି । ଶିବସେନାର ଏକାଧିକ ବିଦ୍ରୋହୀ ବିଧାୟକ ହୋଟେଲରେ ଥିବାବେଳେ ମହାରାଷ୍ଟ୍ର ସରକାର ସଂକଟ ଭିତରକୁ ଟାଣି ହୋଇ ଯାଇଛନ୍ତି ।

ମହାରାଷ୍ଟ୍ରର ମନ୍ତ୍ରୀ ତଥା ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ନିଜ ସପକ୍ଷରେ ଏକାଧିକ ବିଧାୟକଙ୍କ ସମର୍ଥନ ଦାବି କରୁଛନ୍ତି । ଏପରିକି ସରକାର ଭାଙ୍ଗି ଦେବା ପାଇଁ ବାରମ୍ବାର ଧମକ ଦେଉଛନ୍ତି । ରାଜ୍ୟରେ ବନ୍ୟା ସ୍ଥିତି ସଙ୍ଗୀନ ଥିବାବେଳେ ଲୋକଙ୍କୁ ଉପହାସ କଲା ଭଳି ପଡ଼ୋଶୀ ରାଜ୍ୟର ନେତା ହୋଟେଲରେ ମଉଜ ମସ୍ତି କରୁଛନ୍ତି । ଏହା ଉପରେ ପ୍ରତିକ୍ରିୟା ରଖି ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଶିବସେନାର ଦଳୀୟ କନ୍ଦଳ ।

କିନ୍ତୁ ଏହାକୁ ସହଜରେ ଗହଣ କରି ନାହାନ୍ତି ସ୍ଥାନୀୟ ବାସିନ୍ଦା । ଲୋକେ ପ୍ରଶ୍ନ କରି କହିଛନ୍ତି, ଘୋଡ଼ା ବେପାର ପାଇଁ ମହାରାଷ୍ଟ୍ରରୁ ନେତାଙ୍କୁ ଆଣି ପଞ୍ଚ ତାରକା ହୋଟେଲରେ ରଖିଛି । ଲୋକେ ବନ୍ୟାରେ ଭାସୁଥିବା ବେଳେ ଆସାମ ସରକାର କଣ କରୁଛି ? ତୁରନ୍ତ ଜଳବନ୍ଦୀ ଅଞ୍ଚଳକୁ ଆସି ମୁଖ୍ୟମନ୍ତ୍ରୀ ସ୍ଥିତି ଦେଖନ୍ତୁ ବୋଲି ଦାବି କରିଛନ୍ତି ଲୋକେ ।

ଏଭଳି ଗୋଳିଆ ପାଣିରୁ ଫାଇଦା ନେବାକୁ ଚେଷ୍ଟା କରିଛନ୍ତି ବିରୋଧୀ । କଂଗ୍ରେସ ସହ ଅନ୍ୟ ବିରୋଧୀ ଦଳ ଆସାମାର ବିଜେପି ସରକାର ବିରୋଧରେ ପ୍ରତିବାଦ କରିଛନ୍ତି । ତୁରନ୍ତ ମହାରାଷ୍ଟ୍ରର ବିଧାୟକଙ୍କୁ ପଠାଇ ଦେଇ ସରକାର ବନ୍ୟା ସ୍ଥିତି ଉପରେ ଧ୍ୟାନ ଦେବାକୁ ବିରୋଧୀ ଦାବି କରିଛନ୍ତି ।

ବିରୋଧୀଙ୍କ ଏଭଳି ପ୍ରଶ୍ନର ଜବାବ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ତେବେ କଣ ମୁଁ ରାଜ୍ୟର କିଛି ଅଞ୍ଚଳରେ ବନ୍ୟା ପାଇଁ ଗୌହାଟିର ହୋଟେଲ ଗୁଡ଼ିକୁ ବନ୍ଦ କରି ଦେବି । ଆମେ ପର୍ଯ୍ୟଟନକୁ ପ୍ରୋତ୍ସାହନ ପାଇଁ ବହୁତ ଟଙ୍କା ଖର୍ଚ୍ଚ କରୁଛୁ । କଣ ଆସାମକୁ ଯିଏ ଆସୁଛନ୍ତି ସେମାନଙ୍କୁ ରୋକି ଦେବା ବୋଲି ମୁଖ୍ୟମନ୍ତ୍ରୀ ପାଲଟା ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.