ଅସଜଡ଼ା ନିଷ୍ପତ୍ତି
ଜ୍ୟୋତିପ୍ରକାଶ ମହାପାତ୍ର
ଅନେକ ନିଷ୍ପତ୍ତି ଏମିତି ନିଆଯାଇଛି । ଯାହା ସଂପର୍କରେ କେହି କେବେ ଭାବି ନାହାନ୍ତି । ଥରୁଟିଏ ଚିନ୍ତା କରି ନାହାନ୍ତି, ଏହାର ପରିଣାମ କଣ ହେବ । ବାସ୍, ନିଷ୍ପତ୍ତି ନେଇଗଲେ । ପରେ ପୁଣି ସେଠାରୁ ପଛକୁ ଫେରୁଛନ୍ତି ସରକାର । ଫଳରେ ଲୋକେ ଅନେକ ଅସୁବିଧା ଭୋଗୁଛନ୍ତି । ପରିସ୍ଥିତି ଗଣ୍ଡଗୋଳିଆ ହେଉଛି ।
ରାଜ୍ୟରେ ମୋଟର ଗାଡ଼ି ଚାଳନା ସଂପର୍କିତ ନିୟମକୁ ନେଇ ଏବେ ଏମିତି ପରିସ୍ଥିତି ଉପୁଜିଛି । ନୂଆ ଆଇନ ଲାଗୁ ହେବା ସଂପର୍କରେ ଲୋକେ ବେଶି କିଛି ଜାଣି ପାରିଲେ ନାହିଁ । ଆଉ ନୂଆ ଆଇନରେ ଏତେ ପରିମାଣର ଫାଇନର ବ୍ୟବସ୍ଥା କରାଯାଇଛି ଯେ, ତାହା ଲୋକଙ୍କୁ ବେଶ ବାଧିଲା । ଅଚାନକ ଏତେ ଏମିତି ଜୋରିମାନା କେହି କେବେ ଦେବା ନଜିର ନାହିଁ । ତାହା ପୁଣି ଦୁଇ ଚକିଆ ଗାଡ଼ିଟେ ନେଇ ଯାଉଥିବା ଲୋକଟେ । ସାମଜିକ ଗଣମାଧ୍ୟମରେ ଏହାକୁ ନେଇ ଭଲ କଥାଟେ ସାମ୍ନାକୁ ଆସିଥିଲା- ଯେଉଁ ଦେଶରେ ୭୦ ପ୍ରତିଶତରୁ ଅଧିକ ଲୋକେ ନିଜ ମଟର ସାଇକେଲ ଏପାଖସେପାଖ କରି ହଲେଇ ଦେଖନ୍ତି ଯେ, ଗାଡ଼ିରେ ତେଲ ଅଛି କି ନାହିଁ, ସେ ଦେଶରେ ଲୋକଟେ କେବେ ବି ନିଜ ସାଙ୍ଗରେ ଦଶ ହଜାର ଟଙ୍କା ନେଇ ଯାଉ ନଥିବ । ତେଣୁ ତାକୁ କାହିଁକି ଏମିତି ଦଣ୍ଡ ଦେଉଛ ?
ଯେତେବେଳେ ଏ ସଂପର୍କିତ ଖବର ଓଡ଼ିଶା ଗଣମାଧ୍ୟମରେ ଆସିଲା- କେହି ଜାଣି ବି ପାରିଲେ ନାହିଁ କଣ ପାଇଁ ଏମିତି ଏତେ ଫାଇନ ଲୋକଙ୍କ ଉପରେ ଲାଗୁ କରାଯାଉଛି । ଏହା ଏକ କେନ୍ଦ୍ରୀୟ ଆଇନ ବୋଲି କେହି ଲୋକଙ୍କୁ ବେଶି କିଛି ଜଣେଇଲେ ନାହିଁ । ସେହି ସମୟରେ କଟକ, ଭୁବନେଶ୍ୱରରେ ନୂଆ ପୁଲିସ କମିଶନର କାର୍ଯ୍ୟରେ ଯୋଗ ଦେଇଥିଲେ । ତେଣୁ ତାଙ୍କ ସହିତ କଥା ହୋଇ କିଛି ରିପୋର୍ଟର ଏହି ରିପୋର୍ଟ ପ୍ରକାଶ କଲେ । ଫଳରେ ଲୋକେ ଭାବିଲେ- ନୂଆ କମିଶନର ଆସିଲା ପରେ ବୋଧେ ଫାଇନ ଏମିତି ବଢେଇ ଦେଲେ । ପରେ ରାଜ୍ୟ ସରକାରଙ୍କ ଭୂମିକା କଥା ସାମ୍ନାକୁ ଆସିଲା । ରାଜ୍ୟ ସରକାର ଏ ସଂପର୍କରେ ଜାଣିଛନ୍ତି ବୋଲି କଥା ଜଣାପଡ଼ିଲା । (ଯାହା ସାଧାରଣ ଲୋକେ ଅନେକ ବାର କଥାରେ କହିଛନ୍ତି, ତାହା ହିଁ ଲେଖିଛି) ।
ଯେବେଠାରୁ ନୂଆ ଆଇନ ଲାଗୁ ହେଲା- ସେବେଠାରୁ ରାଜ୍ୟର ପୁଲିସ ହାତରେ ଜୋରିମାନା ଆଦାୟ କରିବା ଯେମିତି ଏକମାତ୍ର କାମ ହୋଇ ରହିଥିବା ଭଳି ଲାଗିଲା । ଭୁବନେଶ୍ୱର, କଟକ, ସମ୍ବଲପୁରଠାରୁ ଆରମ୍ଭ କରି ରାଜ୍ୟର ଛୋଟବଡ଼ ସହରରେ ପୁଲିସ ଅଚାନକ ସକ୍ରିୟ ହୋଇଗଲା ବେଶ ଭାବେ ଆଉ ଗାଡ଼ି ଚାଳକଙ୍କୁ ମାଡ଼ି ବସିବା ଓ ଜୋରିମାନା ଆଦାୟ କରିବା ଖବର ସାମ୍ନାକୁ ଆସିଲା । ଏଇଠୁ ପୁଣି ଚର୍ଚ୍ଚା ଆରମ୍ଭ ହେଲା- ରାଜ୍ୟରେ ଅପରାଧ ବଢୁଛି । ଗ୍ରାଫ କାଗଜରେ ସରଳରେଖା ପରି ଅପରାଧ ସଂଖ୍ୟା ବଢି ବଢି ଚାଲିଛି । କିନ୍ତୁ ସେସବୁ ପ୍ରତି ଦୃ୍ଷ୍ଟି ନ ଦେଇ ପୁଲିସ କଣ ପାଇଁ ଏମିତି ଚେକିଂରେ ମାତିଗଲା, ତାହା ଆଜିଯାକେ ବେଶ ସନ୍ଦେହ ସୃଷ୍ଟି କରୁଛି ।
ଦ୍ୱିତୀୟରେ- ରାଜ୍ୟର ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ) କର୍ମଚାରୀମାନେ ବି ଚେକିଂରେ ମାତିଲେ । ଲୋକଙ୍କୁ ମାଡ଼ି ବସି ମନଇଚ୍ଛା ଜୋରିମାନା ଆଦାୟ କଲେ । କାହାକୁ ୧୫ ହଜାର, କାହାକୁ ୨୫ ହଜାର ଓ କାହାକୁ ୬୫ ହଜାର ଜୋରିମାନା ଲଦିଦେଲେ । ଫଳରେ ଲୋକଙ୍କ ଭିତରେ ଏହା ବେଶ ଅସନ୍ତୋଷ ତିଆରି କଲା । ରାଜ୍ୟର ସମସ୍ତ ଆରଟିଓ ଅଫିସରେ କାମ କେମିତି ଚାଲିଛି- ତାାହା ସାରା ରାଜ୍ୟର ଲୋକଙ୍କୁ ଭଲ ଭାବେ ଜଣା । ସେଠି ଦଲାଲଙ୍କ ରାଜୁତି । ଦଲାଲଙ୍କୁ ହଟାଇବା ପାଇଁ ସରକାର ବାରବାର ଘୋଷଣା କରୁଛନ୍ତି । କିନ୍ତୁ ତାହା ଆଦୌ କାର୍ଯ୍ୟକାରୀ ହୋଇପାରୁ ନାହିଁ । ବିନା ପଇସାରେ ଆରଟିଓ ଅଫିସରେ କିଛି ବି କାମ ହୁଏନାହିଁ । ଆରଟିଓ ଅଫିସରେ କଣ ହୁଏ, ଟଙ୍କା କେମିତି ଓ କୋଉ ବାଗରେ କାରବାର ହୁଏ- ଏହା ଏକ ଖୋଲା ଗୋପନ କଥା । କିନ୍ତୁ ସେଇ ଅଫିସ ଓ ବିଭାଗର କର୍ମଚାରୀମାନେ ନିଜେ ଚେକିଂରେ ମାତିଗଲେ । ସାମାଜିକ ଗଣମାଧ୍ୟମରେ ଏହାର ଜୋରଦାର ବିରୋଧ ହେଲା । କେହି କେହି ତ ଲେଖିଲେ- କାହାକୁ ଚେକିଂ ଦାୟିିତ୍ୱ ଦେଲ? ଯିଏ ୧୦୦ ଟଙ୍କା ନେଇ ସହର ଭିତରକୁ ବାଲି ଗାଡ଼ି ଛାଡ଼ୁଥିଲା, ତାଙ୍କୁ ଚେକିଂ ଦାୟିତ୍ୱ କେମିତି ଦେଲ?
କିନ୍ତୁ ଲୋକଙ୍କ ଅସୁବିଧା ଓ ସସମ୍ୟା କଥା କେହି ବୁଝିଲେ ନାହିଁ । ଫଳରେ ଲୋକେ ଆଇନ ନିଜ ହାତକୁ ନେଲେ । ଭୁବନେଶ୍ୱରର ରାଜମହଲ ଛକରେ ଲୋକେ ପୁଲିସକୁ ପଚାରିଲେ ତମ କାଗଜପତ୍ର ଦେଖାଅ ତ ! ଆଉ ବଦଳରେ ପୁଲିସ ଲୋକଙ୍କୁ ଗୋଡେ଼ଇ ଗୋଡେ଼ଇ ଅପରାଧୀ ପରି ପିଟିଲା । ସାମ୍ବାଦିକ ବି ମାଡ଼ରୁ ବାଦ ପଡ଼ିଲେ ନାହିଁ ।
ଶେଷକୁ ଅବସ୍ଥା ଏପରି ହେଲା- ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ଫାଇନ ଆଦାୟ ଓ ଚେକିଂ ପ୍ରକ୍ରିୟାକୁ ଆପାତତଃ ତିନି ମାସ ପାଇଁ ସ୍ଥଗିତ ରଖିଲେ । ହେଲେ ପରିସ୍ଥିତି କଣ ପାଇଁ ଏମିତି ବିପର୍ଯ୍ୟସ୍ତ ହୋଇଗଲା ? କଣ ପାଇଁ ପରିସ୍ଥିତି ବେକାବୁ ହେଲା ଓ ସରକାରଙ୍କ ହାତରୁ ଖସିଗଲା?
ସେମିତି ପୁରୀରେ ମଠ ଭଙ୍ଗାକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିଛି । ଜଗନ୍ନାଥ ସଂସ୍କୃତି ସହ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ ମଠକୁ ଗୋଟିଏ ପରେ ଭାଙ୍ଗି ଦିଆଯାଉଛି । କେହି କିଛି କହୁ ନାହାନ୍ତି । ବିଜେପି ବି ଚୁପ ରହିଛି । କିଛି ପ୍ରତିବାଦ କରୁନି । ଯେତେବେଳେ ସାଧୁସନ୍ଥମାନେ ଏହାର ଜୋରଦାର ପ୍ରତିବାଦ କଲେ, ସେତେବେଳେ ଯାଇ ସରକାର ଭଙ୍ଗାଭଙ୍ଗି ମଝିରେ ପୁରୀ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ । ଅଲୋଚନା ପାଇଁ ଲୋକଙ୍କୁ ଡାକିଲେ । କିନ୍ତୁ ପ୍ରଥମରୁ କଣ ପାଇଁ ଏକଥା କାହା ମୁଣ୍ଡରେ ପଶିଲା ନାହିଁ ?
କାଳିଆ ଯୋଜନା ବି ସେମିତି ବିନା ପ୍ରସ୍ତୁତିରେ ଅଚାନକ ଧଡ଼ାସ କରି ଆରମ୍ଭ କରି ଦିଆଗଲା । ଯେତେବେଳେ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ଆଦି ରାଜ୍ୟ କୃଷକମାନଙ୍କ ପାଇଁ ଋଣ ଛାଡ଼ କଲେ, ସେତେବେଳେ ଓଡ଼ିଶା ସରକାରଙ୍କ ଉପରେ ଚାପ ବଢିଲା । ଓଡ଼ିଶାରେ ଚାଷୀ ଆତ୍ମହତ୍ୟା ସଂପର୍କିତ ଖବର ବରାବର ଆସୁଛି । ଓ ଅଭିଯୋଗ ନୂଆ ନୂଆ ଇଲାକାରୁ ବି ଆସୁଛି । ସିଆଡେ଼ ନିର୍ବାଚନ ମୁଣ୍ଡ ଉପରେ ଥିଲା । ତେଣୁ କାଳିଆ ଯୋଜନା ଘୋଷଣା କରାଯାଇ ୫୨ ଲକ୍ଷ ପାଖାପାଖି ଲୋକଙ୍କୁ ଆର୍ଥିକ ସହାୟତା ଦିଆଗଲା । ନିର୍ବାଚନରେ ମଧ୍ୟ ଏହି ଯୋଜନା ବେଶ ନିର୍ଣ୍ଣାୟକ ଭୂମିକା ନିଭେଇ ଥିଲା ଅନେକ ସମୟରେ ଅଭିଯୋଗ ହୋଇ ଆସୁଛି । କୌଣସି ସର୍ଭେ କି କିଛି ନ କରି ଅଚାନକ ସରକାର ଚାଷୀଙ୍କୁ ଗଣି ପକେଇଲେ ଓ ଟଙ୍କା ସେମାନଙ୍କୁ ଦେଇ ଦିଆଗଲା । କିନ୍ତୁ ଏବେ ସରକାର କହୁଛନ୍ତି- ୩ ଲକ୍ଷରୁ ଅଧିକ ଲୋକ ଏଥିପାଇଁ ଅଯୋଗ୍ୟ ଥିଲେ । ସେମାନେ ସରକାରୀ ସହାୟତା ନେଇ ଯାଇଛନ୍ତି । ତେଣୁ ତାଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ । ନିଆଯିବା ଦରକାର । ଅଯୋଗ୍ୟ ହିତାଧିକାରୀଙ୍କୁ କୌଣସି ସୁବିଧା ମିଳିବା ମସ୍ତବଡ଼ ଦୋଷ । ହେଲେ ଏହି ଯାଞ୍ଚ ପ୍ରକ୍ରିୟା ପ୍ରଥମେ କରାଯାଇ ଠିକଣା ହିତାଧିକାରୀଙ୍କୁ ସହାୟତା ଦିଆଯାଇଥିଲେ, ଏମିତି ଅବସ୍ଥା ହୋଇ ନଥାଆନ୍ତା ।
ତେଣୁ କଥା ହେଉଛି- ପାଣି ହାତରୁ ବୋହିଯିବା ଆଗରୁ ସରକାର ଏ ସଂପର୍କରେ ଆଗ ଚିନ୍ତା କରିବା ଦରକାର । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ତାହାର ପରିଣତି ବିଷୟରେ ନ ଭାବି ଲାଗୁ କରିଦେବା ଫଳରେ ଅବସ୍ଥା ଜଟିଳ ହେଉଛି । ଏହା ସରକାରଙ୍କୁ ହିଁ ଅବଦସ୍ଥ କରୁଛି ।
Comments are closed.