Latest Odisha News

BREAKING NEWS

‘ଶ୍ରୀହନୁମାନ ପ୍ରାଣରକ୍ଷା ମନ୍ତ୍ର’ ଜପ କରନ୍ତୁ, ଅଦ୍ଭୁତ ଉପକାର ପାଆନ୍ତୁ…

ଭୁବନେଶ୍ୱର: ସର୍ବ ଶକ୍ତିମାନ ଶ୍ରୀହନୁମାନଙ୍କ ଶକ୍ତି ସମ୍ପର୍କରେ ଆପଣମାନେ ଭଲଭାବେ ଜାଣନ୍ତି । ରାମାୟଣରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ନିମନ୍ତେ ଶ୍ରୀହନୁମାନ ହିଁ ଦୁଃସାଧ୍ୟ ସାଧନ କରିଛନ୍ତି । ଯେଉଁ ସ୍ଥାନକୁ ଯିବା ଅସମ୍ଭବ ସେହି ସ୍ଥାନକୁ ଯାଇ ଶ୍ରୀହନୁମାନ ଯାଇ ପ୍ରାଣ ରକ୍ଷା କରିଛନ୍ତି । ମହାସମୁଦ୍ର ମଧ୍ୟରେ ସୁରସାକୁ ପ୍ରତିରୋଧ କରି ହେଉ କିମ୍ବା ଲଙ୍କାରେ ଲଙ୍କିନୀ ହେଉ ଶ୍ରୀହନୁମାନଙ୍କ ଶକ୍ତି ଆଗରେ ସବୁକିଛି କ୍ଷୁଦ୍ର ପାଲଟି ଯାଇଥାଏ । ପ୍ରଭୁଭକ୍ତ ଶ୍ରୀହନୁମାନଙ୍କ ଭକ୍ତି ସମ୍ପର୍କରେ ସମସ୍ତଙ୍କୁ ଉଣା ଅଧିକେ ଜଣା । ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ନାମକୁ ହିଁ ଜପ କରି ସେ ଅସାଧ୍ୟ ସାଧନ କରିଛନ୍ତି । ସବୁଦିନ ସଞ୍ଜ ଓ ସକାଳେ ଶ୍ରୀହନୁମାନଜୀଙ୍କ ଏହି ରକ୍ଷା କବଚ ଜପ କରି ଆମ୍ଭେମାନେ ମଧ୍ୟ ଅନେକ ଉପକାର କରିପାରିବା ।

ଶ୍ରୀହନୁମାନଜୀଙ୍କ ଏହି ପ୍ରାଣରକ୍ଷା କବଚ ବଳରେ ଆମେ ଯଦି ପ୍ରତ୍ୟେକ ଦିନ ଦୁଇ ଚାରିଥର ପ୍ରଶାନ୍ତ ଚିତ୍ତରେ ଜପ କରିବା ତେବେ କେବଳ ଜପ କରୁଥିବା ବ୍ୟକ୍ତି ନୁହେଁ ବରଂ ଗୃହର ସମସ୍ତ ବ୍ୟକ୍ତିଙ୍କର ଅଶେଷ ଉପକାର ହୋଇଥାଏ । ଏହି ଅଦୁଭୁତ ଶ୍ରୀହନୁମାନ ମନ୍ତ୍ରରେ ରହିଛି ଅପୂର୍ବ ଶକ୍ତି । ଏହି ମନ୍ତ୍ରର ଚମତ୍କାରିତାରେ ନିଜର ପ୍ରାଣ ରକ୍ଷା ହେବା ସହିତ ଗୃହରେ ବା ପରିବାରରେ କୌଣସି ଜ୍ଞାତି କୁଟମ୍ବଙ୍କ ଦେହ ଅତ୍ୟନ୍ତ ବିଗିଡ଼ି ଯାଇଥାଏ ତେବେ ଉପଶମ ହେବାରେ ଏହା ଅଦଭୁତ ଭାବେ କାର୍ଯ୍ୟ କରିଥାଏ ।

ହିନ୍ଦୁମାନଙ୍କ ଅତ୍ୟନ୍ତ ପବିତ୍ର ଧର୍ମଗ୍ରନ୍ଥ ରାମାୟଣରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ପ୍ରଭୁଭକ୍ତ ଶ୍ରୀହନୁମାନଙ୍କ ସମ୍ପର୍କ ଉପରେ ଅନେକ କଥାବସ୍ତୁ ରହିଛି । ରାମନାମ ମହାତ୍ମ୍ୟର ପଟ୍ଟାନ୍ତର ନାହିଁ । ଏହି ରାମନାମ ଜପ ମାଧ୍ୟମରେ କେବଳ ଶ୍ରୀହନୁମାନ ନୁହଁନ୍ତି ଅନେକ ଜ୍ଞାନୀ-ଗୁଣୀ ତଥା ଭକ୍ତ ଓ ଶ୍ରଦ୍ଧାଳୁମାନେ ଅସାଧ୍ୟ କାର୍ଯ୍ୟକୁ ସମାପନ କରିଛନ୍ତି । ସେହିପରି ‘ହନୁମାନ ଚାଳିଶା’ରେ ସନ୍ଥ ଶ୍ରୀତୁଳସୀଦାସ ଜୀ ମହାରାଜ ଲେଖିଛନ୍ତି –

ଭୂତ ପିଶାଚ ନିକଟ ନେହିଁ ଆୱେ, ମହାବୀର ଜବ ନାମ ସୁନାୱେ ।
ନାଶେ ରୋଗ ହରେ ସବ୍ ପୀଡ଼ା, ଜପତ ନିରନ୍ତର ହନୁମତ ବୀରା ।

ଧ୍ୟାନସ୍ଥ ହୋଇ ଶ୍ରୀହନୁମାନଙ୍କ ଶରାଣାଗତ ମୁଦ୍ରାରେ ବସି ଭଗବାନ ଶ୍ରୀରାମଚନ୍ଦ୍ରଙ୍କୁ ନିଜ ମନ ଓ ହୃଦୟ ଚିନ୍ତନ କରିବା ଆବଶ୍ୟକ । ଏହି ମନ୍ତ୍ର ଉଚ୍ଚାରଣ କରିବା ଦ୍ୱାରା ଏହା ବେଶ୍ ଫଳପ୍ରଦ ହୋଇଥାଏ ।

ଶ୍ରୀହନୁମାନଜୀ ରକ୍ଷାମନ୍ତ୍ର:

 “ନାମ ପାହରୁ ଦିବସ ନିଶି ଧ୍ୟାନ ତୁମହାର କପାଟ । ଲୋଚନ ନିଜ ପଦ ଯଂତ୍ରିତ ଯାହିଂ ପ୍ରାଣ କେହି ବାଟ । । ”

ମାତା ସୀତାଙ୍କୁ ଲଙ୍କାରେ ଠାବ କରି ସାକ୍ଷାତ କଲେ ପ୍ରଭୁଭକ୍ତ କପିଶ୍ରେଷ୍ଠ ଶ୍ରୀହନୁମାନଜୀ । ଲଙ୍କାରୁ ସୀତାଦେବୀଙ୍କୁ ଦର୍ଶନ କରି ଶ୍ରୀରାମଙ୍କ ନିକଟରେ ପହଞ୍ଚିବା ପରେ ଶ୍ରୀରାମଚନ୍ଦ୍ର ତାଙ୍କ ବିଷୟରେ ପଚାରିଛନ୍ତି । ହେ ହନୁମାନ ! ସ୍ୱାମୀ ରାମଚନ୍ଦ୍ରଙ୍କୁ ନ’ପାଇ ସୀତାଦେବୀ କିପରି କାଳାତିପାତ କରୁଛନ୍ତି? କିପରି ସେ ଅଛନ୍ତି? ଏହିସବୁ ପ୍ରଶ୍ନ ଶୁଣି ହନୁମାନଜୀ ଏହି କଥା କହିଛନ୍ତି: ନାମ ପାହରୁ ଦିବସ ନିଶି ଧ୍ୟାନ ତୁମହାର କପାଟ । ଲୋଚନ ନିଜ ପଦ ଯଂତ୍ରିତ ଯାହିଂ ପ୍ରାଣ କେହି ବାଟ ।

ଭଗବାନ ଶ୍ରୀରାମଚନ୍ଦ୍ର ତାଙ୍କର ପ୍ରିୟତମା ପତ୍ନୀଙ୍କୁ ହରାଇଥିବା ବେଳେ ଉତ୍ସୁକତାର ସହିତ ଶୋକସନ୍ତପ୍ତ ଭାବେ ହନୁମାନଜୀଙ୍କୁ ସୀତାଦେବୀଙ୍କ ବିଷୟରେ ପଚାରୁଛନ୍ତି । ଏହାର ଉତ୍ତରରେ ପ୍ରଭୁଭକ୍ତ ହନୁମାନଜୀ କହୁଛନ୍ତି – ନାମ ପାହରୁ ଦିବସ ନିଶି ଧ୍ୟାନ ତୁମହାର କପାଟ, ଅର୍ଥାତ୍ ମାତା ସୀତାଦେବୀଙ୍କ ଚାରିପାଖରେ ଆପଣଙ୍କ ନାମର ପ୍ରହରା ଦିଆଯାଇଛି । କାରଣ ମାତା ସୀତା ଅହର୍ନିଶି କେବଳ ଆପଣଙ୍କ ନାମକୁ ଜପ କରିବାରେ ଲାଗିଛନ୍ତି । ସବୁବେଳେ ପ୍ରଭୁ ରାମଚନ୍ଦ୍ରଙ୍କ ପବିତ୍ର ନାମକୁ ହିଁ ଧ୍ୟାନ କରୁଛନ୍ତି । ଆଖି ଖୋଲିଲା ମାତ୍ରେ ଆପଣଙ୍କ ନାମକୁ ନେଇ ଆପଣଙ୍କ ଚରଣର ବନ୍ଦନା କରୁଛନ୍ତି ମାତା ସୀତାଦେବୀ । ତେଣୁ ଭାବନ୍ତୁ, ଆପଣଙ୍କ ଗୃହ ଚାରିପାଖରେ କଡ଼ା ପ୍ରହରା ବ୍ୟବସ୍ଥା ହୋଇଛି । ସେହିପରି ଛାତ ଓ ଚଟାଣରେ ମଧ୍ୟ କଡ଼ାରୁ କଡ଼ା ନିରାପତ୍ତା ସୁରକ୍ଷା ବ୍ୟବସ୍ଥା ରହିଛି । କ’ଣ କେହି ଚୋର ତସ୍କର ଆପଣଙ୍କ ଘର ମଧ୍ୟରେ ପ୍ରବେଶ କରିପାରିବ? ଏହିପରି ସୀତାଦେବୀ ସ୍ୱୟଂ ତାଙ୍କର ରକ୍ଷାକବଚକୁ ଧାରଣ କରିନେଇଛନ୍ତି । ଏହିପରି ଭାବେ ମାତା ସୀତାଦେବୀ ତାଙ୍କର ନିଜ ପ୍ରାଣ ରକ୍ଷା କରୁଛନ୍ତି ।

କିପରି ଜପ କରିବେ ଏହି ପ୍ରାଣରକ୍ଷା କବଚ:

ପ୍ରଶାନ୍ତ ଚିତ୍ତରେ ବସି ଭଗବାନଙ୍କୁ ସ୍ମରଣ କରିବା ପୂର୍ବକ ଏହି ମନ୍ତ୍ରକୁ ୨ରୁ ୩ ମିନିଟ ଜପ କରନ୍ତୁ । ଜପ କରିବା ପରେ ବନ୍ଦ ଚକ୍ଷୁରେ ଭାବନ୍ତୁ ଭଗବାନ ଆପଣଙ୍କ ଚତୁଃପାଶ୍ୱର୍ରେ ରହିଛନ୍ତି । ଆପଣଙ୍କ ପ୍ରାଣରକ୍ଷା କରିବା ସହିତ ଆଶୀର୍ବାଦ କରୁଛନ୍ତି । ଆପଣଙ୍କ ସମ୍ପୂର୍ଣ୍ଣ ଜୀବନ ମୁସ୍କିଲ ରୁ ବର୍ତ୍ତି ସ୍ୱଚ୍ଛନ୍ଦରେ କଟିଯାଉଛି । ଧିରେ ଧିରେ ଆପଣଙ୍କ ନିକଟରୁ ଭୟ ଓ ଦୁଃଖ ମନୋଭାବ ଦୂର ହେବା ସହିତ ଅପୂର୍ବ ଆଧ୍ୟାତ୍ମିକ ଶକ୍ତି ଜାଗ୍ରତ ହୋଇପାରିବ । ଆପଣଙ୍କର ସମସ୍ତ କାର୍ଯ୍ୟ ସୂଚାରୁରୂପେ ହୋଇପାରିବ, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ ।

Leave A Reply

Your email address will not be published.