Latest Odisha News

BREAKING NEWS

ଯିଏ ରାହୁଲ ଗାନ୍ଧୀଙ୍କୁ ନାପସନ୍ଦ ସିଏ ଗେହଲୋଟଙ୍କୁ ପସନ୍ଦ!

ଓଡ଼ିଶା ସମ୍ବାଦ ବ୍ୟୁରୋ: କଂଗ୍ରେସ ନେତୃତ୍ୱକୁ ଅଡ଼ୁଆରେ ପକାଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ। ଦଳ ଚାହୁଁଥିଲେ ମଧ୍ୟ ତାଙ୍କୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦରୁ ବହିଷ୍କାର କରିବାକୁ ସାହାସ କରିପାରୁନି। ଗେହଲୋଟ୍ ମଧ୍ୟ ସୋନିଆ ଗାନ୍ଧୀଙ୍କ ନିକଟରେ କ୍ଷମା ମାଗି ସାରିଛନ୍ତି ପୂର୍ବ ଘଟଣା ପାଇଁ। ଆଉ କ୍ଷମା ମାଗିଥିବା ନେଇ ଗେହଲୋଟ୍ ନିଜେ ଗଣମାଧ୍ୟମକୁ କହିଥିଲେ। କିନ୍ତୁ ତାଙ୍କର କ୍ଷମା ପ୍ରାର୍ଥନା କେବଳ ଏକ ବାହାନା ଥିଲା ବୋଲି ସାମ୍ପ୍ରତିକ ରାଜନୈତିତ ପରିସ୍ଥିତିକୁ ଦେଖିଲେ ବୁଝା ପଡୁଛି।

ଦଳର ଅଧ୍ୟକ୍ଷ ଭାବେ ହୋଇଛନ୍ତି ମଲ୍ଲିକାର୍ଜୁନ ଖଡଗେ। ହେଲେ ଏବେ ବି ଦଳର ସର୍ବେସର୍ବା ରାହୁଲ ଗାନ୍ଧୀ। ଆଉ ତାଙ୍କ ହାତରେ ରହିଛି କଂଗ୍ରେସର ଅସଲି କମାଣ। କାରଣ ନିକଟରେ ଖଡଗେ କହିଥିଲ, ରାହୁଲଙ୍କ ନେତୃତ୍ବରେ ବିଜେପି କ୍ଷମତାରୁ ହଟିବ, ତାଙ୍କ ଦଳ ସରକାର ଗଢିବ। ରାହୁଲ ଭାରତ ଯୋଡୋ ଯାତ୍ରା ଜରିଆରେ ଦଳକୁ ମଜବୁତ କରିବା ସହ ଲୋକଙ୍କ ନିକଟତର ହେବାକୁ ପ୍ରୟାସ କରୁଛନ୍ତି। ଆଉ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରର ମୋଦୀ ସରକାର ଓ ଆଦାନୀ ଅମ୍ବାନୀ ସରକାରଙ୍କ ଦ୍ବାରା ଅଧିକ ଲାଭ ପାଉଛନ୍ତି ବୋଲି କହି ବାଣ ମାରୁଛନ୍ତି। ହେଲେ ଏହାରି ଭିତରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଉଭୟ ପ୍ରଧାନମନ୍ତ୍ରୀ ଏବଂ ଆଦାନୀଙ୍କୁ ପ୍ରଂଶସା କରିବା ଦଳକୁ ଅଡୁଆରେ ପକାଇ ଦେଇଛି। ଗେହଲୋଟ ଏପରି ପ୍ରଶଂସା କରିବାର ଶେଷ ଉଦ୍ଦେଶ୍ୟ କ’ଣ? ଏହାକୁ ନେଇ ଚର୍ଚ୍ଚା ବଢିଛି।

ବର୍ଷ ବର୍ଷ ଧରି ରାହୁଲ ଗାନ୍ଧୀଙ୍କ ଟାର୍ଗେଟରେ ମୋଦୀ ଏବଂ ଆଦାନୀ ରହିଆସିଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ପ୍ରଚାରରେ ସେ ଏହି ଦୁଇଟି ପ୍ରସଙ୍ଗ ଉପରେ ବିଶେଷ ଧ୍ୟାନ ଦେଇଥିଲେ। ଯାହା ଆଜି ବି ଜାରି ରହିଛି। ଏଭଳି ପରିସ୍ଥିତିରେ ଯଦି କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ମୋଦୀ କିମ୍ବା ଆଦାନୀଙ୍କ ପ୍ରଶଂସା ବାହାରେ ତେବେ ଏହାର ଅର୍ଥ କ’ଣ ହେବ?

୨୫ ସେପ୍ଟେମ୍ବର ପୂର୍ବରୁ, ଗାନ୍ଧୀ ପରିବାରର ସବୁଠାରୁ ବିଶ୍ୱସ୍ତ ଲୋକ ଅଶୋକ ଗେହଲୋଟ୍ ବୋଲି  କୁହାଯାଉଥିଲା। ଏମିତିକି ସେ ଦଳର ସଭାପତି ହେବାର ସମ୍ଭାବନା ପ୍ରାୟତଃ ଶତ ପ୍ରତିଶତ ଥିଲା। କିନ୍ତୁ ରାଜସ୍ଥାନରେ ଦଳର ସମୀକରଣ ଓ ମୁଖ୍ୟମନ୍ତ୍ରୀ ପଦ ମୋହ ପାଇଁ ଗାନ୍ଧୀ ପରିବାରର ବିଶ୍ୱସ୍ତ ଟାଗ ହରାଇଛନ୍ତି ଗେହଲଟ। ଆଉ ରାଜସ୍ଥାନରେ ଦଳର ଆଭ୍ୟନ୍ତରୀଣ କନ୍ଦଳ ପାଇଁ ସେପ୍ଟେମ୍ବର ୨୯ରେ ଅଶୋକ ଗେହଲୋଟ୍ ସୋନିଆ ଗାନ୍ଧୀଙ୍କୁ ଭେଟି କ୍ଷମା ମାଗିଥିଲେ।

ମାତ୍ର ଏହାର ଆଠ ଦିନ ପରେ, ଅକ୍ଟୋବର ୭ ରେ ଜୟପୁରର ବିଜନେସ ଇନଭେଷ୍ଟମେଣ୍ଟରେ ଗୌତମ ଆଦାନୀଙ୍କୁ ପ୍ରଶଂସା କରିଥିଲେ ଗେହଲୋଟ। ଯାହାଙ୍କ କମ୍ପାନୀ କେନ୍ଦ୍ରର ମୋଦୀ ସରକାର ଦ୍ବାରା ଅଧିକ ଲାଭବାନ ହୋଇଛି ବୋଲି କଂଗ୍ରେସ ଏବଂ ଦଳର ଅନ୍ୟତମ ଶୀର୍ଷ ନେତା ରାହୁଲ ଗାନ୍ଧୀ କହିଆସୁଛନ୍ତି।

ଏହି ସମ୍ମିଳନୀରେ ଗେହଲୋଟ୍ ଆଦାନୀଙ୍କ ବ୍ୟବସାୟିକ ଦକ୍ଷତାକୁ ପ୍ରଶଂସା କରିଥିବାବେଳେ ଅନ୍ୟପକ୍ଷରେ ଆଦାନୀ ଆସନ୍ତା ପାଞ୍ଚ-ସାତ ବର୍ଷ ମଧ୍ୟରେ ରାଜସ୍ଥାନରେ ଷାଠିଏ ହଜାର କୋଟି ଟଙ୍କା ବିନିଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ଯାହାକି ଗେହଲୋଟ ଏବଂ କଂଗ୍ରେସକୁ ଷଣ୍ଢିଆଶୀ ଆକ୍ରମଣ କରିବାକୁ ବିଜେପିକୁ ସୁଯୋଗ ଦେଇଛି।

ନଭେମ୍ବର ଏକରେ ରାଜସ୍ଥାନ ଓ ଗୁଜରାଟ ସୀମାର ହୋଇଥିବା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଥିଲେ ଗେହଲୋଟ। ଅନ୍ୟପକ୍ଷରେ ମୋଦୀ ତାଙ୍କ ମୁଖ୍ୟମନ୍ତ୍ରୀଙ୍କ ସମୟରୁ ଗେହଲୋଟଙ୍କ ସହିତ ଥିବା ସମ୍ପର୍କକୁ ମନେ ପକାଇ ଗେହଲଟଙ୍କ ସହ ତାଙ୍କ ମଧୁର ସମ୍ପର୍କକୁ ମନେପକାଇଥିଲେ। ମୋଦୀ ଗେହଲୋଟଙ୍କ ଦେଶର ବରିଷ୍ଠ ମୁଖ୍ୟମନ୍ତ୍ରୀ ବୋଲି ଏହି ଅବସରରେ କହିଛନ୍ତି। ଗେହଲୋଟ ଏହି ପଦ ମୋଦୀଙ୍କ ମୁହଁରୁ ଶୁଣିବା ପରେ ହସିଦେଇ ତାଙ୍କୁ ଧନ୍ୟବାଦ ଦେଇଥିଲେ। ରାହୁଲ ମୋଦୀଙ୍କ ପ୍ରତି କେତେ ତିକ୍ତ, ଏହା ଜଣାଶୁଣା | ମୋଦୀ ନିଜେ ଗାନ୍ଧୀ ପରିବାରକୁ କୌଣସି ସୁଯୋଗ ଛାଡନ୍ତି ନାହିଁ। ମୋଦୀଙ୍କ ବିଦେଶ ଗସ୍ତ ଏବଂ ଏହି ଗସ୍ତର ସଫଳତାକୁ କଂଗ୍ରେସ ଦଳ କ୍ରମାଗତ ଭାବରେ ଅସ୍ୱୀକାର କରୁଛି। କିନ୍ତୁ ମଧ୍ୟପ୍ରଦେଶ ଏବଂ ଗୁଜୁରାଟର ବିଜେପି ଶାସିତ ରାଜ୍ୟଗୁଡ଼ିକର ପ୍ରଧାନମନ୍ତ୍ରୀ, କେତେକ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ସହ ଷ୍ଟେଜ୍ ବାଣ୍ଟି ଗେହଲୋଟ୍ କାହିଁକି ମୋଦୀଙ୍କ ପ୍ରତି ଏତେ ଉଦାର ଥିଲେ ତାହା ଏବେ ଅସ୍ପଷ୍ଟ ରହିଛି। ଆଉ ମୋଦୀ ଗାନ୍ଧୀ ଦେଶର ନେତା ହୋଇଥିବାରୁ ବିଦେଶରେ ତାଙ୍କୁ ଅଧିକ ସମ୍ମାନ ମିଳୁଛି ବୋଲି ଗେହଲୋଟ କହିଥିଲେ।

ମୋଦୀଙ୍କୁ ଆକ୍ରମଣ କରିବା ପାଇଁ ରାହୁଲ ଗାନ୍ଧୀ ଦେଶର ଦୁଇ ବଡ ଶିଳ୍ପପତି ଆଦାନୀ ଏବଂ ଅମ୍ବାନୀଙ୍କ ନାମ ବ୍ୟବହାର କରନ୍ତି। ସେହି ଆଦାନୀଙ୍କ ପ୍ରତି ଉଦାର ହୋଇ ଗେହଲୋଟ୍ ଏବେ କେଉଁ ବାର୍ତ୍ତା ଦେଲେ? ଏବଂ ବର୍ତ୍ତମାନ ମୋଦୀଙ୍କୁ ପ୍ରଶଂସା କରି ଆହୁରି ଆଗକୁ କଂଗ୍ରେସ ପାଇଁ ଗେହଲୋଟ୍ ଅଡୁଆ ପରିସ୍ଥିତି ସୃଷ୍ଟି କଲେ ନା ରାହୁଲ ଗାନ୍ଧୀଙ୍କୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି। ଗୁଜରାଟ ନିର୍ବାଚନ ପାଇଁ ଗେହଲୋଟ୍ ନିଜେ ଦଳର ବରିଷ୍ଠ ପର୍ଯ୍ୟବେକ୍ଷକ। ଯେଉଁ କାର୍ଯ୍ୟକ୍ରମରେ ଗେହଲୋଟ ମୋଦୀଙ୍କୁ ପ୍ରଶଂସା କରିଛନ୍ତି ତାହା ଗୁଜୁରାଟର ସୀମା ଥିଲା। ଏହି କାର୍ଯ୍ୟକ୍ରମରେ ମୋଦୀ ଏବଂ ଗେହଲୋଟଙ୍କ ବ୍ୟତୀତ ବିଜେପି ଶାସିତ ରାଜ୍ଯ ମଧ୍ୟପ୍ରଦେଶ ଏବଂ ଗୁଜରାଟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ।

Comments are closed.