ଜୟପୁର:ପ୍ରଧାନମନ୍ତ୍ରୀଙ୍କ ‘ମୁର୍ଖଙ୍କ ସର୍ଦ୍ଦାର’ ବୟାନକୁ ନେଇ ତେଜିଛି ରାଜନୀତି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମୁର୍ଖଙ୍କ ସର୍ଦ୍ଦାର ବୋଲି ପ୍ରଧାନମନ୍ତ୍ରୀ ମୋଦି କରିଥିବା କଟାକ୍ଷକୁ ନେଇ ଜବାବ ରଖିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ପ୍ରଧାନମନ୍ତ୍ରୀଙ୍କର ଏପରି ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି ଗେହଲଟ । ସେ କହିଛନ୍ତି, ମୋଦି ଏକ ଗରିମାପୂର୍ଣ୍ଣ ପଦବୀରେ ଥାଇ ଏପରି କଥା କହୁଛନ୍ତି !
ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଏବେ ରାଜନୀତି ସରଗରମ । ଜୟପୁରରେ ଏକ କାର୍ଯ୍ୟକ୍ରମରେ ସାମ୍ବାଦିକମାନଙ୍କୁ ସାକ୍ଷାତ ଦେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି, ‘ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ପ୍ରଧାନମନ୍ତ୍ରୀଙ୍କ ପଦର ଏକ ମର୍ଯ୍ୟଦା ରହିଛି । ଏହାର ଯେତେ ଆଲୋଚନା କରାଯିବ ସେତେ କମ ହେବ । ଯଦି ଜଣେ ବ୍ୟକ୍ତି ଏକ ମର୍ଯ୍ୟଦାପୂର୍ଣ୍ଣ ପଦରେ ରହି ଏପରି କଥା କୁହେ, ତେବେ ଆମେ ତାଙ୍କ ଠାରୁ କ’ଣ ଆଶା କରିବା ?’
ଏହା ପୂର୍ବରୁ ରାହୁଲ ଗାନ୍ଧୀ ମଧ୍ୟ ନିଜର ପ୍ରତିକ୍ରିୟା ରଖି ଆଇ ଡୋଣ୍ଟ କେୟାର ବୋଲି କହିଥିଲେ । ରାହୁଲ କହିଥିଲେ,ଏପରି ଅବଶବ୍ଦର ପ୍ରଭାବ ମୋ ଉପରେ କିଛି ପଡିବ ନାହିଁ । କାରଣ ମୋର ଲକ୍ଷ୍ୟ ହେଲା ଗରିବଙ୍କ ସେବା କରିବା । ମୋଦି ଆଦାନୀକୁ ଯେତିକି ଟଙ୍କା ଦେଇଛନ୍ତି ସେତିକି ଟଙ୍କା ମୁଁ ଗରିବଙ୍କୁ ଦେବି ବୋଲି କହିଛନ୍ତି ରାହୁଲ ।
ସୂଚନାଥାଉ କି, ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେବାବେଳେ ପ୍ରଧାନମନ୍ତ୍ରୀ ମୋଦି ରାହୁଲ ଗାନ୍ଧୀଙ୍କ ନାଁ ନ ନେଇ ମୁର୍ଖଙ୍କ ସର୍ଦ୍ଦାର ବୋଲି କହିଥିଲେ । ଏହା ଏବେ ରାଜନୈତିକ ମୋଡ ନେଇଛି ।
Comments are closed.