Latest Odisha News

BREAKING NEWS

ଓସଜା ପକ୍ଷରୁ ପାଳିତ ହେଲା ‘ଅଶୋକ ପଟ୍ଟନାୟକ ସ୍ମାରକୀ’ ସ୍ମୃତି ସଭା

ଭୁବନେଶ୍ୱର: ରାଜ୍ୟରେ କ୍ରୀଡ଼ା ସାମ୍ବାଦିକତା ଧାରାର ପରମ୍ପରା ସ୍ଥାପନରେ ବିଶେଷ ଭୂମିକା ଗ୍ରହଣ କରିଥିବା ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସ୍ୱର୍ଗତଃ ଅଶୋକ ପଟ୍ଟନାୟକଙ୍କ ଶ୍ରାଦ୍ଧ ଉତ୍ସବ ରବିବାର ଦିନ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ପକ୍ଷରୁ ପାଳିତ ହୋଇଯାଇଛି । ଓସଜାର ସଭାପତି ସନ୍ଦୀପ ମିଶ୍ରଙ୍କ ସଭାପତିତ୍ୱରେ ସ୍ଥାନୀୟ ସହୀଦ ସ୍ପୋର୍ଟିଂ କ୍ଳବସ୍ଥିତ ଦେବାଶିଷ ମହାନ୍ତି ପ୍ରେସ ବକ୍ସରେ ଅନୁଷ୍ଠିତ ହୋଇଥିଲା ।

ସ୍ୱର୍ଗତଃ ଅଶୋକ ପଟ୍ଟନାୟକ, ରଣଜୀତ ଗୁରୁ ଏବଂ ସିଦ୍ଧାନ୍ତ ପଟ୍ଟନାୟକଙ୍କ ଲାଗି ପ୍ରଥମେ ନିରବ ପ୍ରାର୍ଥନା କରାଯିବା ପରେ ସ୍ମୃତି ସଭା ଆରମ୍ଭ ହୋଇଥିଲା । ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ତଥା ଅଶୋକ ବାବୁଙ୍କ ସହଯୋଗୀ ରହିଥିବା ସନାତନ ପାଣି କ୍ରୀଡ଼ା ସାମ୍ବାଦିକତା ସହ ମଣିଷ ଭାବରେ ଅଶୋକଙ୍କ ନିଆରା ଗୁଣ ମନେପକାଇଥିଲେ । ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ଗଠନ କରିବାରେ ଅଶୋକ ବାବୁଙ୍କ ଯୋଗଦାନ ବିଷୟ ମଧ୍ୟ ମନେପକାଯାଇଥିଲା । ଏହି ସ୍ମୃତି ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବରିଷ୍ଠ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତି ଅଶୋକଙ୍କ ସ୍ମୃତି ଚାରଣ ସହ ଓଡ଼ିଶା ଓ ଧ୍ୟାନଚାନ୍ଦଙ୍କ ସମ୍ପର୍କ ବାବଦରେ ଅଭିଭାଷଣ ରଖିଥିଲେ ।

ସେ କିପରି ଧ୍ୟାନଚାନ୍ଦଙ୍କ ସହ ସମୟ କାଟିବାର ସୁଯୋଗ କଟକରେ ହାସଲ କରିଥିଲେ ତାହା ବତାଇଥିଲେ ସମସ୍ତଙ୍କୁ । ଏଥିସହ ରାଜ୍ୟ ସରକାରଙ୍କ ପୁରସ୍କାର ପ୍ରଦାନ ଧାରାରେ ଏଥର କୌଣସି କ୍ରୀଡ଼ା ସାମ୍ବାଦିକ କିମ୍ବା କୋଚ ମନୋନୀତ ନ’ହୋଇଥିôବା ଖବର ଉପରେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ଓସଜାର ସମ୍ପାଦକ ସମ୍ବିତ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ଆଇରନ୍ ମ୍ୟାନ୍ ଭାବେ ଟାଇଟଲ୍ ହାସଲ କରିଥିବା ଓସଜାର ସଦସ୍ୟ ସୌଭାଗ୍ୟ କୁମାର ରଥଙ୍କୁ ସମ୍ମାନୀତ କରାଯାଇଥିଲା । ଓସଜାର କାର୍ଯ୍ୟନିର୍ବାହୀ ସଭାପତି କେ. ରବିଙ୍କ ସହ ଓସଜାର ସଦସ୍ୟମାନଙ୍କ ବ୍ୟତୀତ ସହୀଦ ସ୍ପୋର୍ଟିଂର ସମ୍ପାଦକ ପଙ୍କଜ ପଟ୍ଟନାୟକ ଏବଂ ବହୁ ଖେଳପ୍ରେମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.