ଭୁବନେଶ୍ୱର: ବିଜେପି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଓଡ଼ିଶାରୁ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ କରିଛି। ବିଧାନସଭାରେ ବିପୁଳ ସଂଖ୍ୟା ଗରିଷ୍ଠତା ଥିବା ଶାସକ ବିଜେଡିର ସମର୍ଥନରେ ସେ ନିର୍ବାଚିତ ହେବାକୁ ଯାଉଛନ୍ତି। ରାଜ୍ୟର ଅନ୍ୟ ଦୁଇଟି ଆସନ ପାଇଁ ବିଜେଡି ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କୁ ପ୍ରାର୍ଥୀ କରିସାରିଛି। ଜିତିବା ପାଇଁ ସେମାନଙ୍କୁ ମାତ୍ର ୩୮ଟି ପ୍ରଥମ ପସନ୍ଦ ଭୋଟ୍ ଦରକାର ଥିବାରୁ ସେମାନଙ୍କ ନିର୍ବାଚନ ନିଶ୍ଚିତ। ୧୪୭ ଆସନ ବିଶିଷ୍ଟ ବିଧାନସଭାରେ ବିଜେଡିର ୧୦୮ ବିଧାୟକ ଥିଲେ। ଇତି ମଧ୍ୟରେ ୪ ଜଣ ଦଳରେ ନାହାନ୍ତି।
ଅନ୍ତିମ ସାଧାରଣ ନିର୍ବାଚନ ବେଳେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଦଳର ବରିଷ୍ଠ ନେତା ରମେଶ ଚ୍ୟାଉ ପଟ୍ଟନାୟକଙ୍କୁ ବିଜେଡି ରାଜ୍ୟସଭାକୁ ପଠାଇବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଗତକାଲି ଦୁଇ ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ତୃତୀୟ ଆସନ ପାଇଁ କିଏ ହେବେ ପ୍ରାର୍ଥୀ କଳ୍ପନାଜଳ୍ପନା ଚାଲିଥିଲା। ଏହାପରେ ସଂଧ୍ୟାରେ ନବୀନ ନିବାସରେ ପ୍ରସନ୍ନ ପାଟ୍ଟଶାଣୀ, ଗଞ୍ଜାମ ବିଜେଡି ସଭାପତି ରମେଶ ଚ୍ୟାଉ ପଟ୍ଟନାୟକ ଏବଂ ପୂର୍ବତନ କଂଗ୍ରେସ ସାଂସଦ ତଥା ଏବେର ବିଜେଡି ନେତା ପ୍ରଦୀପ ମାଝୀ ଓ ଅନ୍ୟ ନେତା ପହଁଚିଥିଲେ। କିନ୍ତୁ ଅଶ୍ୱିନୀଙ୍କୁ ବିଜେଡି ସମର୍ଥନ କରିବା ପରେ ଆଶାୟୀଙ୍କ ସ୍ବପ୍ନରେ ପାଣି ପକାଇଛି।
ବିଧାନସଭାରେ ୯ ଜଣ ସଦସ୍ୟ ଥିବା କଂଗ୍ରେସ ରାଜ୍ୟସଭା ନିର୍ବାଚନ ପାଇଁ କୌଣସି ପ୍ରାର୍ଥୀ ଘୋଷଣା କରିନାହିଁ। ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବା ପାଇଁ ବିଜେଡିର ନିଷ୍ପତ୍ତି ଏବେ କଂଗ୍ରେସର ଆକଳନକୁ ସତ ବୋଲି ପ୍ରମାଣିତ କରିଛି। ଦିନକ ପୂର୍ବରୁ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ନାରା ଜାରି କରିଛି। ଯେଉଁଥିରେ ଓଡ଼ିଶାରେ ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏପରିକି ନିକଟରେ କଂଗ୍ରେସ ଭବନରେ ବିଜେଡି ଓ ବିଜେପିକୁ ତାଚ୍ଛଲ୍ୟ କରିବାକୁ ଯାଇ ବାହାଘର କରାଇଛି ଦଳ। ବିଜେଡି ବିଜେପିର ‘ବି-ଟିମ୍’ ଏବଂ ଓଡ଼ିଶାର ସ୍ୱାର୍ଥ ସହ ଆପୋଷ ବୁଝାମଣା କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି।
ଫେବ୍ରୁଆରି ୨୭ରେ ରାଜ୍ୟସଭା ନିର୍ବାଚନ ହେବ। ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଫେବ୍ରୁଆରି ୧୫ ରହିଛି। ଗୁରୁବାର ଅଶ୍ୱିନୀ ବୈଷ୍ଣବ ନାମାଙ୍କନ ପତ୍ର ଦାଖଲ କରିବେ। ସେ ଏବେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି।
ଆଗକୁ ସାଧାରଣ ନିର୍ବାଚନ ରହିଛି। ଏହାପୂର୍ବରୁ ଅଶ୍ୱିନୀଙ୍କୁ ବିଜେଡି ସମର୍ଥନ କରିବା ଦୁଇ ଦଳ ଭିତରେ ଭଲ ସମ୍ପର୍କ ରହିଛି ଆଗକୁ ମଧ୍ୟ ବୁଝମଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ନିକଟରେ ସମ୍ବଲପୁର ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜର ମିତ୍ର ବା ବନ୍ଧୁ ବୋଲି ସମ୍ବୋଧନ କରିଥିଲେ।
ବଡ କଥା ହେଉଛି ଏବେ ରାଜ୍ୟରେ ଚାଉଳ ଏବଂ ବ୍ୟାଗକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ବାକଯୁଦ୍ଧ ଚାଲିଛି। କେନ୍ଦ୍ରର ପିଡିଏସ ଚାଉଳକୁ ରାଜ୍ୟ ସରକାର ନିଜସ୍ବ ବ୍ୟାଗରେ ଦେଉଥିବାରୁ ବିଜେପି ଅସନ୍ତୋଷ ପ୍ରକାଶ କରିଛି। ଏବଂ ପ୍ରତି ପିଡିଏସ କେନ୍ଦ୍ରକୁ ଯାଇ ବିଜେପି କର୍ମୀ ଚାଉଳ କେନ୍ଦ୍ର ସରକାର ଦେଉଛନ୍ତି ବୋଲି ସଚେତନ କରାଇବ । ରାଜ୍ୟ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏହା କହିଛନ୍ତି।
Comments are closed.