Latest Odisha News

BREAKING NEWS

ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା ପ୍ରାର୍ଥୀତ୍ୱ: ବିଜେପି-ବିଜେଡ଼ି ମଧ୍ୟରେ ନୂଆ ସମ୍ପର୍କ !

ଭୁବନେଶ୍ୱର: ଆସନ୍ତା ରାଜ୍ୟସଭା ଉପ-ନିର୍ବାଚନରେ ବିଜେପି ପ୍ରାର୍ଥୀ ତଥା ପୂର୍ବତନ ପ୍ରଶାସକ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡ଼ିର ସମର୍ଥନ ଦୁଇ ଦଳ ମଧ୍ୟରେ ଏକ ନୂଆ ରାଜନୈତିକ ସମୀକରଣର ସୂଚନା ଦେଉଛି । କିଛି ସପ୍ତାହ ପୂର୍ବରୁ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନରେ ଛକାପଞ୍ଝା ମଧ୍ୟରେ ଏହି ଦୁଇ ଦଳ ପରସ୍ପରକୁ ସମ୍ମୁଖୀନ ହୋଇଥିଲେ ।

ବିଜେପି ପକ୍ଷରୁ ପୂର୍ବତନ ବୈଷ୍ଣବଙ୍କ ପ୍ରାର୍ଥୀତ୍ୱ ଘୋଷଣା କରିବାର ପ୍ରାୟ ଅଧଘଣ୍ଟା ପରେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ସମର୍ଥନ କରିବେ ବୋଲି ଘୋଷଣା କଲେ । ନବୀନ ଏସମ୍ପର୍କରେ ସ୍ପଷ୍ଟ କରିଥିଲେ ଯେ, ଅଶ୍ୱିନୀଙ୍କୁ ସମର୍ଥନ କରିବା ନେଇ ସେ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସହିତ ଆଲୋଚନା କରିଛନ୍ତି ।

ଆଗାମୀ ରାଜ୍ୟସଭା ଉପ ନିର୍ବାଚନରେ ୩ଟି ଯାକ ଆସନ ଦଖଲ କରିବାର କ୍ଷମତା ରଖିଛି ବିଜେଡ଼ି (୧୪୫ ରୁ ୧୧୨ ଜଣ ବିଜେଡ଼ି ବିଧାୟକ), କିନ୍ତୁ ବୈଷ୍ଣବଙ୍କୁ ସମର୍ଥନ କରିବାର ଘୋଷଣା ସବୁ ମହଲରେ ଆଲୋଡ଼ନ ସୃଷ୍ଟି କରିଛି । ବିଜେଡ଼ି ସୂତ୍ରରୁ ଜଣାପଡ଼ିଛି ଯେ, ନବୀନଙ୍କୁ ମୋଦୀ ଓ ଶାହ ପୂର୍ବରୁ ବେଷ୍ଣବଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିବା ନେଇ ଅନୁରୋଧ କରିଥିଲେ, କାରଣ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ବୈଷ୍ଣବ ମନ୍ତ୍ରୀ ହେବା ସମ୍ଭାବନା ରହିଛି । ରାଜନୈତିକ ବିଶାରଦଙ୍କ କହିବାନୁଯାୟୀ, ଓଡ଼ିଶାର ସ୍ୱାର୍ଥ ଓ ବିଜେଡ଼ିର ରାଜନୈତିକ ବାଧ୍ୟବାଧକତାକୁ ଦୃଷ୍ଟିରେ ରଖି ନବୀନ ମୋଦୀ ଓ ଶାହଙ୍କ କଥାକୁ ଟାଳିଦେବା ସହଜ ନଥିଲା । ପୂର୍ବରୁ ବିଜେଡ଼ି ଲୋକସଭା ବାଚସ୍ପତି ନିର୍ବାଚନରେ ବିଜେପି ପ୍ରାର୍ଥୀ ଓମ୍ ବିରଳାଙ୍କୁ ସମର୍ଥନ କରିଛି । ନିର୍ବାଚନ ପରେ ବିଜେଡ଼ିର ଏହି ଆଭିମୁଖ୍ୟ ଦୁଇ ଦଳ ମଧ୍ୟରେ ବଢୁଥିବା ଏକ ନୂଆ ସମ୍ପର୍କର ଆଭାସ ଦେଉଛି । ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ଏହି ଦୁଇ ରାଜନୈତିକ ଦଳ ମଧ୍ୟରେ ୧୯୯୮ ରୁ ୨୦୦୯ ମେଣ୍ଟ ରହିଥିବା ସମୟରେ ସେତେବେଳେ ବୈଷ୍ଣବ ଥିଲେ ଓଡ଼ିଶା କ୍ୟାଡ଼ରର ଜଣେ ଆଇଏଏସ ଅଧିକାରୀ । ତକ୍ରାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପ ସଚିବ ଭାବେ କାର୍ଯ୍ୟ ଭାର ତୁଲାଇଛନ୍ତି । ତାହା ପୂର୍ବରୁ ଅଶ୍ୱିନୀ ବାଲେଶ୍ୱର ଓ କଟକରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି । ପରେ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । ସେ ବାଜପେୟୀଙ୍କ ଅତି ନିକଟତମ ଥିଲେ ଏବଂ ୨୦୦୪ ନିର୍ବାଚନରେ ପରାଜୟ ପରେ ମଧ୍ୟ ସେ ବାଜପେୟୀଙ୍କ ସହ କାର୍ଯ୍ୟ କରିଥିଲେ ।

ଏହି ଦୁଇଦଳ ମଧ୍ୟରେ ଯେତେବେଳେ ମେଣ୍ଟ ରହିଥିଲା ସେହିସମୟରେ ବିଜେଡ଼ି-ବିଜେପି ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ବେଷ୍ଣବଙ୍କର ବେଶ୍ ଗୁରୁତ୍ୱପୂର୍ଣ ଭୁମିକା ଥିଲା । ସେ ଆମେରିକାରେ ବିଜିନେସ ସ୍କୁଲରୁ ଏମବିଏ ଅଧ୍ୟୟନ କରିିଥିଲେ । ରାଜନୈତିକ ମହଲରେ ଆଲୋଚନା ହେଉଛି ଯେ, ମୋଦୀ ତାଙ୍କ ମନ୍ତ୍ରୀମଣ୍ଡଳରେ ବୈଷ୍ଣବଙ୍କୁ ସ୍ଥାନ ଦେଇପାରନ୍ତି । ଅବଶ୍ୟ ବୈଷ୍ଣବଙ୍କ ପ୍ରାର୍ଥୀତ୍ୱ ଏବଂ ତାଙ୍କୁ ବିଜେଡ଼ିର ସମର୍ଥନ ରାଜସଭା ନିର୍ବାଚନ ଲାଗି ବିଜେଡ଼ିର ଆଶାୟୀ ପ୍ରାର୍ଥୀ ଏବଂ ସମର୍ଥକଙ୍କୁ ନିଶ୍ଚିତ ଅସନ୍ତୁଷ୍ଟ କରିଥିବ । କିନ୍ତୁ ଏହି ଘଟଣା ଦୁଇ ଦଳ ମଧ୍ୟରେ ଏକ ନୂଆ ସମ୍ପର୍କର ଇଙ୍ଗିତ । ଏନେଇ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଦୁଇ ଦଳ ଉପରେ ଆକ୍ରମଣ କରି କହିଛନ୍ତି, “ଏହା ବିଜେପି ଓ ବିଜେଡ଼ି ମଧ୍ୟରେ ଏକ ନାଟକ, ଦୁଇ ଦଳ ମଧ୍ୟରେ ପୂର୍ବରୁ ଗୁପ୍ତ ବୁଝାମଣା ରହିଛି ।”

Leave A Reply

Your email address will not be published.