Latest Odisha News

BREAKING NEWS

ଏସିଆ କପ୍‌ ଫାଇନାଲ ପୂର୍ବରୁ ଭାରତକୁ ଚ୍ୟାଲେଞ୍ଜ କଲେ ପାକିସ୍ତାନ କ୍ୟାପଟେନ, କହିଲେ ଆମେ ‘ହରାଇ ପାରିବୁ’

ନୂଆଦିଲ୍ଲୀ: ଦୁବାଇରେ ଖେଳାଯାଇଥିବା ଏସିଆ କପ୍ ୨୦୨୫ର ସୁପର-୪ ମୁକାବିଲାରେ ପାକିସ୍ତାନ ବାଂଲାଦେଶକୁ ରୋମାଞ୍ଚକର ୧୧ ରନ୍‌ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଏହି ବିଜୟ ସହିତ ଏବେ ଏକଥା ନିଶ୍ଚିତ ହୋଇଛି ଯେ ଆସନ୍ତା ୨୮ ସେପ୍ଟେମ୍ବରରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍ ଫାଇନାଲରେ ମୁକାବିଲା ହେବ। ବିଜୟ ପରେ ପାକିସ୍ତାନର ଅଧିନାୟକ ସଲମାନ ଅଲି ଆଗା ଭାରତକୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ ତାଙ୍କ ଦଳ ଯେକୌଣସି ଟିମ୍‌କୁ, ଏପରିକି ଭାରତକୁ ମଧ୍ୟ ହରାଇ ପାରିବ।

ମ୍ୟାଚ୍ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସଲମାନ ଅଲି ଆଗା କହିଛନ୍ତି, “ଯଦି ଆମେ ଏପରି ମୁକାବିଲା ଜିତି ପାରୁଛୁ, ତେବେ ଆମେ ଏକ ସ୍ପେଶାଲ ଟିମ୍। ଆମ ଦଳରେ ପ୍ରତ୍ୟେକ ଖେଳାଳି ଉଚ୍ଚମାନର ପ୍ରଦର୍ଶନ ଦେଖାଇଛନ୍ତି। ତେବେ ବ୍ୟାଟିଂରେ ଆମକୁ ଆହୁରି ସୁଧାର ଆଣିବାର ଆବଶ୍ୟକତା ରହିଛି, ଆମେ ତା ଉପରେ କାମ କରିବୁ। ଆମେ ଜାଣୁଛୁ ଫାଇନାଲରେ କ’ଣ କରିବାକୁ ହେବ ଏବଂ ରବିବାର ଆମେ ପୂରା ଶକ୍ତି ନେଇ ମୈଦାନକୁ ଓହ୍ଲାଇବୁ।”

ସେ ଆହୁରି କହିଛନ୍ତି, “ଆମ ଦଳରେ ଯେଉଁ ଆତ୍ମବିଶ୍ୱାସ ରହିଛି, ତାହା ଆମକୁ ଯେକୌଣସି ଟିମ୍‌କୁ ଚ୍ୟାଲେଞ୍ଜ କରିବାର ସୁଯୋଗ ଦେଉଛି। ଭାରତ ଭଳି ଶକ୍ତିଶାଳୀ ଦଳ ବିରୁଦ୍ଧରେ ମଧ୍ୟ ଆମେ ଆମର ଶ୍ରେଷ୍ଠ ପ୍ରଦର୍ଶନ ଦେବୁ।”

ପାକିସ୍ତାନର ବିଜୟ ପଛରେ ବୋଲିଂର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଶେଷ କରି ଶାହୀନ ଶାହ ଆଫ୍ରିଦି ଉଚ୍ଚମାନର ପ୍ରଦର୍ଶନ ଦେଖାଇ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଛନ୍ତି। ଅଧିନାୟକ ସଲମାନ କହିଛନ୍ତି, “ଶାହୀନ ଜଣେ ସ୍ୱତନ୍ତ୍ର ଖେଳାଳି। ସେ ଦଳ ପାଇଁ ଯାହା ଆବଶ୍ୟକ ଥିଲା, ତାହା ଦେଇଛନ୍ତି। ଆମେ ଆରମ୍ଭରେ ବୋଲିଂରେ ଭଲ ଚାପ ସୃଷ୍ଟି କରି ପାରିଥିଲୁ, ଯେଉଁଥିପାଇଁ ଆମେ ମ୍ୟାଚ୍ ଜିତିବାରେ ସଫଳ ହେଲୁ।”

ଏବେ ଏସିଆ କପ୍ ୨୦୨୫ର ଫାଇନାଲ ଏକ ଅତି ପ୍ରତୀକ୍ଷିତ ମୁକାବିଲା ହେବାକୁ ଯାଉଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଏହା ତୃତୀୟ ମୁକାବିଲା ହେବ। ଏହା ପୂର୍ବରୁ ଗ୍ରୁପ୍ ଷ୍ଟେଜ୍ ଓ ସୁପର-୪ରେ ଉଭୟ ଦଳ ପରସ୍ପରକୁ ଭେଟିସାରିଛନ୍ତି ଏବଂ ଦୁଇଟି ମ୍ୟାଚ୍‌ରେ ପାକିସ୍ତାନକୁ ହାରର ସାମ୍ନା କରିବାକୁ ପଡ଼ିଛି। ଏବେ ଫାଇନାଲରେ ଉଭୟ ଦଳ ପୂରା ଦମ ଲଗାଇ ମୈଦାନକୁ ଓହ୍ଲାଇବେ ଏବଂ ଏହି ମୁକାବିଲା କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ହେବ।

 

Comments are closed.