Latest Odisha News

BREAKING NEWS

ଏସୀୟ ପାରା ଗେମ୍ସ ୨୦୨୬ : ଇତିହାସ ରଚିଲା ଭାରତ, ସମାପନ ସମାରୋହରେ ନିଶାଦ,ମୋନା ହେଲେ ଧ୍ୱଜାବାହକ

ନାଗୋୟା: ଜାପାନର ଆଇଚି-ନାଗୋୟା ସହରରେ ଅନୁଷ୍ଠିତ ଏସୀୟ ପାରା ଗେମ୍ସ ୨୦୨୬ର ଉଦଯାପନୀ ସମାରୋହ ଆଜି ଆନୁଷ୍ଠାନିକ ଭାବେ ସମ୍ପନ୍ନ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଭାରତୀୟ ଦଳ ଏହାର ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ କରି ମୋଟ ୧୧୪ଟି ପଦକ ହାସଲ କରି ଚତୁର୍ଥ ସ୍ଥାନ ଅଧିକାର କରିଛି । ଉଦଯାପନୀ ସମାରୋହରେ ଭାରତର ତାରକା ପାରା-ଆଥଲେଟ୍ ନିଶାଦ କୁମାର ଏବଂ ସୁଟର୍ ମୋନା ଅଗ୍ରୱାଲ ଭାରତୀୟ ପତାକା (ତ୍ରିରଙ୍ଗା) ଧରି ଦଳର ନେତୃତ୍ୱ ନେଇଥିଲେ । ଉଭୟ ଖେଳାଳି ଏହି ମହାକୁମ୍ଭରେ ଦୁଇଟି ଲେଖାଏଁ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି । ଏଥର ଭାରତୀୟ ଦଳ ମୋଟ ୧୧୪ଟି ପଦକ (୩୦ ସ୍ୱର୍ଣ୍ଣ, ୩୫ ରୌପ୍ୟ ଏବଂ ୪୯ ବ୍ରୋଞ୍ଜ) ଜିତିଛି । ଏହା ପୂର୍ବରୁ ୨୦୨୨ ହାଂଝୋଉ ଏସୀୟ ପାରା ଗେମ୍ସରେ ଭାରତ ୧୦୮ଟି ପଦକ ଜିତିଥିବାବେଳେ, ଚଳିତଥର ସେହି ରେକର୍ଡ ଭାଙ୍ଗି ନୂତନ କୀର୍ତ୍ତିସ୍ଥାପନ କରିଛି । ଏହି ପ୍ରତିଯୋଗିତାରେ ମୋଟ ୪୩୫ଟି ପଦକ ସହିତ ଚୀନ୍ ପ୍ରଥମ ସ୍ଥାନରେ ରହିଛି । ସେହିପରି ଆତିଥ୍ୟ ଗ୍ରହଣ କରିଥିବା ଜାପାନ ୧୮୬ ପଦକ ସହ ଦ୍ୱିତୀୟ, ଉଜବେକିସ୍ତାନ ୧୪୫ ପଦକ ସହ ତୃତୀୟ ଏବଂ ଦକ୍ଷିଣ କୋରିଆ ୧୦୦ ପଦକ ସହ ପଞ୍ଚମ ସ୍ଥାନରେ ରହିଛି ।

ନିଶାଦ କୁମାର ହାଇ ଜମ୍ପ ଏବଂ ଲଙ୍ଗ ଜମ୍ପରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ପୂର୍ବରୁ ସେ ଟୋକିଓ ଏବଂ ପ୍ୟାରିସ ପାରାଲିମ୍ପିକ୍ସରେ ମଧ୍ୟ ରୌପ୍ୟ ପଦକ ଜିତିସାରିଛନ୍ତି । ମୋନା ଅଗ୍ରୱାଲ ମହିଳାଙ୍କ ୧୦ ମିଟର ଏୟାର ରାଇଫଲ୍ ଏବଂ ୫୦ ମିଟର ରାଇଫଲ୍ ଥ୍ରୀ ପୋଜିସନ୍ସ ପ୍ରତିଯୋଗିତାରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିବା ସହ ଗେମ୍ସ ଓ ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି । ଭାରତୀୟ ପାରା-ଆଥଲେଟ୍‌ମାନଙ୍କ ଏହି ଐତିହାସିକ ସଫଳତାରେ ରାଷ୍ଟ୍ରପତି ଦ୍ରୌପଦୀ ମୁମୁର୍ ଗର୍ବ ଓ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ଖେଳାଳିଙ୍କ ଏହି କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ଦେଶର ଯୁବପିଢ଼ିଙ୍କୁ ବଡ଼ ସ୍ୱପ୍ନ ଦେଖିବା ଏବଂ କଠିନ ପରିସ୍ଥିତିରେ ବି ହାର ନ ମାନିବା ପାଇଁ ପ୍ରେରଣା ଯୋଗାଇବ । ସୂଚନାଯୋଗ୍ୟ, ଆଗାମୀ ଷଷ୍ଠ ଏସୀୟ ପାରା ଗେମ୍ସ ୨୦୩୦ ମସିହାରେ କାତାରର ଦୋହା ସହରରେ ଅନୁଷ୍ଠିତ ହେବ ।

Leave A Reply

Your email address will not be published.