Latest Odisha News

BREAKING NEWS

ବାବ୍ରୀ ଶୈଳୀରେ ମସଜିଦ ନିର୍ମାଣ ନେଇ ବର୍ଷିଲେ ଆସାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ସୋମବାର ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ବାବ୍ରୀ ମସଜିଦ ନିର୍ମାଣ ପାଇଁ ନିଲମ୍ବିତ ତୃଣମୂଳ କଂଗ୍ରେସ (ଟିଏମସି) ବିଧାୟକ ହୁମାୟୁନ କବୀରଙ୍କ ଘୋଷଣାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଉପରେ ତୀବ୍ର ମନ୍ତବ୍ୟ ଦେଇଛନ୍ତି।

ଏହା କେବଳ ବାବ୍ରୀ ମସଜିଦର ଏକ ପ୍ରତିକୃତି, ପ୍ରକୃତ ମସଜିଦ ନୁହେଁ ବୋଲି ସେ କହିଛନ୍ତି। ଆଜିର ସମୟରେ ଅସଲି ମସଜିଦ ଯେଉଁଠି ଅସ୍ତିତ୍ୱହୀନ, ସେଠାରେ ଏହାର ପ୍ରତିକୃତି କ’ଣ କରିପାରିବ ବୋଲି ସେ ପ୍ରଶ୍ନ କରିଛନ୍ତି।

ନିଲମ୍ବିତ ଟିଏମସି ବିଧାୟକ ହୁମାୟୁନ କବୀର ଅଯୋଧ୍ୟାର ବାବ୍ରୀ ମସଜିଦ ଅନୁକରଣ କରି ମୁର୍ଶିଦାବାଦ ଜିଲ୍ଲାର ବେଲଡାଙ୍ଗା ଅଞ୍ଚଳରେ ବାବ୍ରୀ ମସଜିଦ ନାମରେ ଏକ ମସଜିଦ ନିର୍ମାଣ ଆରମ୍ଭ କରିଥିଲେ। ଯାହାକୁ ନେଇ ଉତ୍ତରପ୍ରଦେଶର ମୁର୍ଶିଦାବାଦ ଗସ୍ତ ସମୟରେ ଆସାମ ମୁଖ୍ୟମନ୍ତ୍ରୀ ତୀବ୍ର ମନ୍ତବ୍ୟ ଦେଇଛନ୍ତି।

ବେଲଡାଙ୍ଗାର ରେଜିନଗରରେ ନିର୍ମିତ ବାବ୍ରୀ ମସଜିଦ ଆଗାମୀ ଦୁଇ ମାସ ମଧ୍ୟରେ ସମ୍ପୂର୍ଣ୍ଣ ଭାବରେ ସମାପ୍ତ ହେବ ବୋଲି ହୁମାୟୁନ କବୀର ଘୋଷଣା କରିଛନ୍ତି।ଏହା ପ୍ରାୟ ୧୧ ଏକର ଜମିରେ ନିର୍ମାଣ କରାଯିବା ସହ ଏହାର ନିର୍ମାଣରେ ପ୍ରାୟ ୫୦ରୁ ୫୫ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ରିପୋର୍ଟରୁ ଜଣାପଡ଼ିଛି। ତେବେ ଏଠାରେ ଏକକାଳୀନ ଭାବରେ ୧୨,୦୦୦ରୁ ଅଧିକ ଲୋକ ନମାଜ ପଢିପାରିବେ ବୋଲି ସୂଚନା ମିଳିଛି। ଏଥିସହିତ ମୁସଲିମ ସମ୍ପ୍ରଦାୟର ଅନେକ ସଦସ୍ୟ ମସଜିଦର ନିର୍ମାଣରେ ନିଜ ମୁଣ୍ଡରେ ଇଟା ବୋହି ନେଉଥିବାର ମଧ୍ୟ ଦେଖାଯାଇଛି।

ଟିଏମସିରୁ ନିଲମ୍ବିତ ହେବା ପରେ ହୁମାୟୁନ କବୀର ନିଜର ଦଳ ଜନତା ଉନ୍ନୟନ ପାର୍ଟି (JUP) ଗଠନ କରିଥିଲେ। ମସଜିଦ ନିର୍ମାଣରେ ପ୍ରତିବାଦ କରୁଥିବା ଲୋକଙ୍କୁ ବାଧା ସୃଷ୍ଟିରୁ ଦୂରେଇ ରହିବାକୁ ହୁମାୟୁନ କହିଛନ୍ତି। ତେବେ ଏଠାରେ ସମସ୍ତଙ୍କୁ ନିଜ ଧର୍ମ ପାଳନ କରିବାର ଏବଂ ମନ୍ଦିର, ମସଜିଦ କିମ୍ବା ଚର୍ଚ୍ଚ ନିର୍ମାଣ କରିବାର ସମ୍ପୂର୍ଣ୍ଣ ସ୍ୱାଧୀନତା ରହିଛି ଓ ତାଙ୍କର ଏକମାତ୍ର ଲକ୍ଷ୍ୟ ହେଉଛି ଆଲ୍ଲାଙ୍କୁ ଖୁସି କରିବା ଏବଂ ଧାର୍ମିକ ବିଶ୍ୱାସକୁ ବଜାୟ ରଖିବା ବୋଲି ସେ କହିଛନ୍ତି।

 

Leave A Reply

Your email address will not be published.