ନୂଆଦିଲ୍ଲୀ: ଚଳିତ ସୟେଦ ମୁସ୍ତାକ ଅଲୀ ଟ୍ରଫି ଅବସରରେ ଆସାମ କ୍ରିକେଟ ଆସୋସିଏଶନ ହଠାତ ୪ଜଣ ଖେଳାଳିଙ୍କୁ ସସପେଣ୍ଡ କରିଛି । ଖେଳାଳିମାନେ ମ୍ୟାଚ ଫିକ୍ସିଂ କରିବା ପାଇଁ ଉଦ୍ୟମ କରୁଥିବା ଜଣାପଡିଛି । ଏମାନେ ହେଲେ ଅମିତ ସିହ୍ନା, ଈଶାନ ଅହମ୍ମଦ, ଅମନ ତ୍ରିପାଠୀ ଓ ଅଭିଷେକ ଠକୁରୀ । ସେମାନେ ଆସାମର ଅନ୍ୟ ଖେଳାଳିମାନଙ୍କୁ ଏଥିପାଇଁ ପ୍ରବର୍ତାଉଥିବା ଜଣାପଡିଛି । ଏହା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହୋଇଥିବାରୁ ଆମେ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ ବୋଲି ଏସିଏ ସେକ୍ରେଟାରୀ ସନାତନ ଦାସ କହିଛନ୍ତି । ବିସିସିଆଇର ଆଂଟି କରପ୍ସନ ଆଣ୍ଡ ସିକ୍ୟୁରିଟି ୟୁନିଟ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।
ପ୍ରାରମ୍ଭିକ ତଦନ୍ତରେ ଉପରୋକ୍ତ ଖେଳାଳିମାନେ ସମ୍ପୃକ୍ତ ଥିବା ଜଣାପଡିଛି । ଅଭିଷେକ ଠାକୁର ଓ ଅମନ ତ୍ରିପାଠୀ ରଣଜୀ ଟ୍ରଫି କ୍ରିକେଟ ଖେଳିଛନ୍ତି । ଅଭିଷେକ ଆସାମ ପକ୍ଷରୁ ୧୨ ପ୍ରଥମଶ୍ରେଣୀ, ୧୧ ଲିଷ୍ଟ ଏ ଓ ୧୦ଟି ଟି୨୦ ମ୍ୟାଚ ଖେଳିଛନ୍ତି । ଚଳିତ ସିଜନରେ ମଧ୍ୟ ସେ ୨ଟି ରଣଜୀ ମ୍ୟାଚ ଖେଳିଥିଲେ । ସେହିପରି ଅମିତ ୩୨ ପ୍ରଥମ ଶ୍ରେଣୀ, ୪୬ ଲିଷ୍ଟ ଏ ଓ ୩୧ଟି ଟି୨୦ ମ୍ୟାଚ ଖେଳିଛନ୍ତି । ଏସିଏ ସ୍ପଷ୍ଟ ଭାବେ କହିଛି ତଦନ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ସେମାନେ କୌଣସି କ୍ରିକେଟ ଖେଳିପାରିବେ ନାହିଁ ।