Latest Odisha News

ଆସାମରେ ନାବାଳିକାଙ୍କୁ ଗଣଦୁଷ୍କର୍ମ, କ୍ରାଇମସିନ୍ ରିକ୍ରିଏଟ୍ ବେଳେ ପୋଖରୀକୁ ଡେଇଁଲା ଅଭିଯୁକ୍ତ

ଆସାମ: ଆସାମରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଏବେ ରାଜ୍ୟବ୍ୟାପୀ ଆକ୍ରୋଶ ସୃଷ୍ଟି କରିଛି । ପୋଲିସ ହାତରେ ଧରା ପଡିଥିବା ଅଭିଯୁକ୍ତର ନାଟକୀୟ ଭାବେ ମୃତ୍ୟୁ ହୋଇଛି । କ୍ରାଇମସିନକୁ ନିଆଯାଉଥିବା ବେଳେ ଖସି ପଳାଇବାକୁ ଚେଷ୍ଟା କରୁଥିଲା ଅଭିଯୁକ୍ତ ତଫିକୁଲ୍ ଓରଫ ତଫଜୁଲ୍ । ହେଲେ ଏକ ପୋଖରୀରେ ଖସି ପଡି ବୁଡିଯିବାରୁ ତଫିକୁଲର ମୃତ୍ୟୁ ହୋଇଥିବା କହିଛି ପୋଲିସ । ହାତକଡି ଲାଗିଥିବା ଅବସ୍ଥାରେ ହିଁ ତଫିକୁଲର ମୃତ୍ୟୁ ହୋଇଯାଇଥିଲା । ନାଗାଓଁ ଜିଲ୍ଲାର ଢିଙ୍ଗ୍ ଅଂଚଳରେ ଘଟିଛି ଏହି ଘଟଣା । ଯେଉଁ ପୋଖରୀରେ ବୁଡି ଅଭିଯୁକ୍ତର ମୃତ୍ୟୁ ହୋଇଛି,ସେହି ପୋଖରୀ ନିକଟରେ ହିଁ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା।

ଅପରାଧୀଙ୍କୁ ସାମାଜିକ ବହିଷ୍କାର
ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା ପରେ ଅଭିଯୁକ୍ତର ଗାଁ ବୋରଭେଟିରେ ବ୍ୟାପକ ଜନଆକ୍ରୋଶ । ତଫିକୁଲ ବୋରଭେଟି ଗାଁରେ ରହୁଥିଲା । ତାର ମୃତ୍ୟୁ ହୋଇଯାଇଥିଲେ ମଧ୍ୟ ଶେଷକୃତ୍ୟକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଗାଁ ଲୋକେ । ତଫିକୁଲ୍  ଏକ ଜଘନ୍ୟ ଅପରାଧ କରିଛି, ଯାହା କି ଅକ୍ଷମଣୀୟ । ଭଗବାନ ତାକୁ ଦଣ୍ଡିତ କରିଥିଲେ ମଧ୍ୟ ତାର ଶେଷକୃତ୍ୟରେ ଗାଁର କୌଣସି ଲୋକ ସାମିଲ ହେବେ ନାହିଁ ବୋଲି ଗାଁ ଲୋକେ ନିଷ୍ପତ୍ତି ହୋଇଛନ୍ତି । ନିକଟସ୍ଥ ଗାଁର ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ତୁରନ୍ତ ଗିରଫ କରୁ ବୋଲି ଦାବି କରିଛନ୍ତି ବୋରଭେଟି ଗାଁ ଲୋକେ । ତଫିକୁଲ ଗାଁ ପାଇଁ ଲଜ୍ଜା ଆଣିଛି । ତେଣୁ ତାର ଶେଷକୃତ୍ୟ ବର୍ଜନ କରାଯିବା ଠିକ୍ ନିଷ୍ପତ୍ତି ବୋଲି ବୋରଭେଟି ଗାଁ ଲୋକେ କହିଛନ୍ତି । ଗାଁର କୌଣସି ଲୋକ ଦୁଷ୍କର୍ମ , ହତ୍ୟା , ଡ୍ରଗ୍ସ ଚାଲାଣ ଭଳି ଅପରାଧରେ ସଂପୃକ୍ତ ହେଲେ, ସେମାନଙ୍କୁ କ୍ଷମା ଦିଆଯିବ ନାହିଁ । ସାମାଜିକ ବାସନ୍ଦ କରାଯିବ । ଆଗାମୀ ଦିନରେ ମଧ୍ୟ କୌଣସି ଅପରାଧୀର ଶେଷକୃତ୍ୟରେ କିଏ ସାମିଲ ହେବେ ନାହିଁ ବୋଲି ଗାଁ ଲୋକେ କହିଛନ୍ତି ।

ଅଭିଯୁକ୍ତର ନାଟକୀୟ ମୃତ୍ୟୁ
ନାବାଳିକା ଗଣଦୁଷ୍କର୍ମର ତିନି ଅଭିଯୁକ୍ତଙ୍କ ମଧ୍ୟରୁ ତଫିକୁଲକୁ ତୁରନ୍ତ ଗିରଫ କରାଯାଇଥିଲା । ପଚରାଉଚରା ପାଇଁ ତଫିକୁଲକୁ କ୍ରାଇମସିନକୁ ନିଆଯାଉଥିଲା । ପୋଲିସ ହାତରୁ ତରବରିଆ ଭାବେ ଖସି ପଳାଇବା ଚେଷ୍ଟାରେ ପାଣିରେ ଭରପୂର ଥିବା ଏକ ପୋଖରୀକୁ ଖସିପଡି ବୁଡିଯାଇଥିଲା ତଫିକୁଲ୍ । ଏସଡିଆରଏଫ ସହାୟତାରେ ତଫିକୁଲର ମୃତଦେହ ପୋଖରୀରୁ ଉଦ୍ଧାର କରାଯାଇଛି।

ଅପରାଧୀଙ୍କୁ ଆମକୁ ଦିଅ, ଆମେ ଦେବୁ ଦଣ୍ଡ
ନାବାଳିକା ଗଣଦୁଷ୍କର୍ମ ମାମଲାରେ ତଫିକୁଲର ମୃତ୍ୟୁ ହୋଇଥିଲେ ମଧ୍ୟ ଅନ୍ୟ ଦୁଇ ଅଭିଯୁକ୍ତ ଧରାପଡିନାହାନ୍ତି । ଏଣେ ବୋରଭେଟି ଗାଁର ମହିଳାମାନେ ଘଟଣା ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି । ଦୁଇ ଫେରାର ଅପରାଧୀଙ୍କୁ ଧରି କଡା ଦଣ୍ଡବିଧାନ ଦାବି କରିଛନ୍ତି । ଦୁଇଜଣଙ୍କୁ ଧରି ସେମାନଙ୍କୁ ହସ୍ତାନ୍ତର କରିବାକୁ ଦାବି କରିଛନ୍ତି ଗାଁର ମହିଳା । ଅଭିଯୁକ୍ତଙ୍କୁ ଅନୁକରଣୀୟ ଶାସ୍ତି ଦେବେ ବୋଲି ମହିଳାମାନେ କହିଛନ୍ତି।

Comments are closed.