ଗୌହାଟୀ: ଆସାମ ସରକାରଙ୍କ ବଡ଼ ନିଷ୍ପତ୍ତି। ରାଜ୍ୟରେ ଗୋ ମାଂସ ଉପରେ ଲାଗିଲା ରୋକ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ଏନେଇ ଘୋଷଣା କରିଛନ୍ତି। ସେ କହିଛନ୍ତି, କୌଣସି ବି ରେଷ୍ଟୁରାଣ୍ଟ କିମ୍ବା ହୋଟେଲ୍ରେ ଗୋ ମାଂସ ବିକ୍ରି କରାଯାଇ ପାରିବ ନାହିଁ। ଏହାସହ କୌଣସି ସାର୍ବଜନୀନ ସ୍ଥାନରେ ପରସା ଯାଇ ପାରିବ ନାହିଁ।
ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବରୁ ମନ୍ଦିର ନିକଟରେ ଗୋମାଂସ ଖାଇବାକୁ ବାରଣ କରିବା ଆମର ନିଷ୍ପତ୍ତି ଥିଲା, କିନ୍ତୁ ବର୍ତ୍ତମାନ ଆମେ ଏହାକୁ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ କରିଛୁ। ଏହାର ଅର୍ଥ କୌଣସି ସମ୍ପ୍ରଦାୟିକ ସ୍ଥାନ, ସର୍ବସାଧାରଣ ସ୍ଥାନ, ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ଗୋମାଂସ ଖାଇବାକୁ ଦିଆଯିବ ନାହିଁ। ଖୁବ ଶୀଘ୍ର ରାଜ୍ୟ କ୍ୟାବିନେଟ ବୈଠକରେ ଗୋମାଂସ ବ୍ୟବହାର ଉପରେ ଥିବା ଆଇନରେ ସଂଶୋଧନ ଏବଂ ନୂତନ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି । ଗତକାଲି ଦିଲ୍ଲୀରେ ଆସାମ ସରକାରଙ୍କ କ୍ୟାବିନେଟ୍ ବୈଠକ ବସିଥିବା ଏହି ସମୟରେ ଅନ୍ୟ ମନ୍ତ୍ରୀମାନେ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକରେ ଯୋଗ ଦେଇଥିଲେ। ବୈଠକରେ ରାଜ୍ୟରେ ଗୋ ମାଂସ ଉପରେ ବ୍ୟାନ୍ ଲଗାଇବା ପାଇଁ ନିଷ୍ପତ୍ତି ହୋଇଛି।
ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା କହିଛନ୍ତି, ଆମେ ଆସାମରେ ଗୋ ହତ୍ୟା ରୋକିବା ପାଇଁ ୩ ବର୍ଷ ପୂର୍ବେ ଆଇନ ଆଣିଥିଲୁ। ଏଥିରେ ଗୋହତ୍ୟା ରୋକିବାରେ ବହୁ ମାତ୍ରାରେ ସଫଳ ହୋଇଛୁ। ଏବେ ଆମେ ନିଷ୍ପତ୍ତି ନେଇଛୁ ଯେ, ଆସାମରେ କୌଣସି ବି ରେଷ୍ଟୁରାଣ୍ଟ କିମ୍ବା ହୋଟେଲ୍ରେ ଗୋ ମାଂସ ପରସା ଯାଇ ପାରିବ ନାହିଁ। ଏପରିକି କୌଣସି ସାର୍ବଜନୀନ ସମାରୋହ କିମ୍ବା ସାର୍ବଜନୀନ ସ୍ଥାନରେ ଗୋ ମାଂସ ପରସା ଯାଇ ପାରିବ ନାହିଁ। ରାଜ୍ୟରେ ସଂପୂର୍ଣ୍ଣ ଭାବେ ଗୋ ମାଂସ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଆସାମ ସରକାରଙ୍କ ମନ୍ତ୍ରୀ ପିଜୁଷ ହଜାରିକା ଏହି ନିଷ୍ପତ୍ତିରେ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ମୁଁ ଆସାମ କଂଗ୍ରେସକୁ ଚ୍ୟାଲେଞ୍ଜ କରୁଛି। ସେମାନେ ନିଷ୍ପତ୍ତିକୁ ନକରି ପାରିଲେ ପାକିସ୍ତାନ ଚାଲି ଯାଆନ୍ତୁ।
Comments are closed.