Latest Odisha News

ରାତି ପାହିଲେ ବିଧାନସଭା, ବିଧାୟକ ଦଳ ବୈଠକରେ ବିରୋଧୀଙ୍କ କଡା ଆଭିମୁଖ୍ୟ

ଭୁବନେଶ୍ବର: ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । କ୍ଷମତାସୀନ ହେବା ପରେ ବିଜେପି ସରକାରର ଏହା ପ୍ରଥମ ଅଧିବେଶନ । ଆସନ୍ତାକାଲି ରାଜ୍ୟପାଳଙ୍କ ଅଭିଭାଷଣ ସହିତ ଆରମ୍ଭ ହେବ ବଜେଟ୍ ଅଧିବେଶନ । ଏହାସହିତ ଆସନ୍ତା ୨୪ ତାରିଖରେ ଉପବାଚସ୍ପତି ନିର୍ବାଚନ ହେବାକୁ ଥିବା ବେଳେ ଆସନ୍ତା ୨୫ ତାରିଖରେ ରାଜ୍ୟ ବଜେଟ ଉପସ୍ଥାପନ କରାଯିବ ।

ଏପଟେ ବିଧାନସଭାର ଅଧିବେଶନ ସୁରୁଖୁରୁରେ ଚଳାଇବାରେ ସବୁ ଦଳର ସହଯୋଗ ଲୋଡି ଆଜି ବାଚସ୍ପତି ସୁରମା ପାଢୀ ସର୍ବଦଳୀୟ ବୈଠକ ବସାଇସାରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ନବୀନ ନିବାସ ଯାଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ବିଧାନସଭା ଗୃହରେ ସବୁ ଦିନ ଉପସ୍ଥିତ ରହି ସରକାରଙ୍କୁ ସଙ୍ଗଠନମୂଳକ ପ୍ରସ୍ତାବ ଦେବା ପାଇଁ ନିମନ୍ତ୍ରଣ କରିଆସିଛନ୍ତି ।

ସେପଟେ ଆଜି ସନ୍ଧ୍ୟାରେ ବସୁଛି ବିଜେପି ବିଧାୟକ ଦଳ ବୈଠକ । ବିଧାନସଭାରେ ମୋହନ ସରକାରଙ୍କର ପ୍ରଥମ ଅଧିବେଶନ ହେଉଥିବାରୁ ଶାସକ ଦଳ ଭାବେ ବିଜେପିର ଆଭିମୁଖ୍ୟ କ’ଣ ରହିବ? କେଉଁ କେଉଁ ପ୍ରସଙ୍ଗ ଉଠାଇବ? ସେନେଇ ବୈଠକରେ ଆଲୋଚନା ହୋଇପାରେ । ଏଥିସହିତ ଏଥର ବିରୋଧୀ ଗାଦିରେ ୨୪ ବର୍ଷର ଶାସକ ଥିବାରୁ ତାଙ୍କୁ କିପରି ମୁକାବିଲା କରିବେ, ସେନେଇ ରଣନୀତି ପ୍ରସ୍ତୁତ ହୋଇପାରେ ।

ଅନ୍ୟପଟରେ ଏଥର ବିଧାନସଭାରେ ବିରୋଧୀ ବିଜେଡିର ଆଭିମୁଖ୍ୟ ଆକ୍ରମଣାତ୍ମକ ରଖିବା ପାଇଁ ଦଳକୁ ଗୁରୁମନ୍ତ୍ର ଦେଇ ସାରିଲେଣି ସୁପ୍ରିମୋ ନବୀନ ପଟ୍ଟନାୟକ । ଏଥିପାଇଁ ଗତକାଲି ଶଙ୍ଖଭବନରେ ବସିସାରିଛି ବିଜେଡି ବିଧାୟକ ଦଳ ବୈଠକ । ଯେଉଥିରେ ବିଧାନସଭାରେ ବିରୋଧୀ ଭାବରେ ରଣନୀତି କ’ଣ ରହିବ ସେନେଇ ଚୂଡାନ୍ତ ଆଲୋଚନା ହୋଇସାରିଛି । ନିଜର ଛାୟା କ୍ୟାବିନେଟକୁ ଗୃହ ପାଇଁ ପୂରା ପ୍ରସ୍ତୁତ କରିଛନ୍ତି ସୁପ୍ରିମୋ । ଏଥିସହିତ ଓଡିଶାବାସୀଙ୍କ ହକ୍ ପାଇଁ ବିଧାନସଭାରେ ଗର୍ଜିବାକୁ ଓ ବିଭିନ୍ନ ବିଭାଗ ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିଜ ଛାୟା କ୍ୟାବିନେଟକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ଖାଲି ସେତିକି ନୁହେଁ, ଜନତାଙ୍କ ସ୍ବାର୍ଥରେ, ଯେପରି ଦରବୃଦ୍ଧି, ଜୁଲାଇରୁ ୩୦୦ ୟୁନିଟ୍ ମାଗଣା ବିଜୁଳି ପ୍ରତିଶ୍ରୁତି, ରଥଯାତ୍ରା ପରିଚାଳନା, ଆଇନ ଶୃଙ୍ଖଳା ପରିସ୍ଥିତି, ଏଏସଓଙ୍କୁ ମାଡ ମାରିବା ଘଟଣା ସମେତ ବାଲେଶ୍ବରରେ ସମ୍ପ୍ରଦାୟିକ ଦଙ୍ଗା ପ୍ରମୁଖ ପ୍ରସଙ୍ଗ ଉଠାଇ ଶାସକ ବିଜେପିକୁ ବିଧାନସଭାରେ ଉତ୍ତର ମାଗିବ ବିଜେଡି ।

ଅନ୍ୟପଟରେ କଂଗ୍ରେସର ଏଥର ସ୍ଥିତି ଶୋଚନୀୟ । ଏପର୍ଯ୍ୟନ୍ତ ତ ବିଧାୟକ ଦଳ ନେତା ବାଛିପାରିଲା ନାହିଁ ବିଧାନସଭାରେ ତାର ଆଭିମୁଖ୍ୟ ନେଇ ବା ଚର୍ଚ୍ଚା କ’ଣ ହେବ ? ଏହାସହିତ ଆଜି ସର୍ବଦଳୀୟ ବୈଠକରେ ମଧ୍ୟ ସାମିଲ ହୋଇନଥିଲା କଂଗ୍ରେସ । ଏହାପରେ ଆଜି ସନ୍ଧ୍ୟା ଭିତରେ ବିଧାୟକ ଦଳ ନେତା ଚୟନ କରାଯିବାକୁ ସୂଚନା ଦେଇଛନ୍ତି କଂଗ୍ରେସ ନେତା । ଏଭଳି ସ୍ଥିତିରେ ଏଥର ବିଧାନସଭା ଗୃହ ଭିତର ଦୃଶ୍ୟ କୌତୁହଳପୂର୍ଣ୍ଣ !

Comments are closed.