Latest Odisha News

ଫୁଟବଲ୍ ପଡ଼ିଆରେ ଆଖିବୁଜା ଗୁଳିମାଡ଼, ୧୧ ମୃତ

ସାଲାମାଙ୍କା: ରବିବାର ଦିନ କେନ୍ଦ୍ରୀୟ ମେକ୍ସିକୋ ରାଜ୍ୟ ଗୁଆନାଜୁଆଟୋର ସାଲାମାଙ୍କାରେ ଏକ ଫୁଟବଲ୍ ପଡ଼ିଆରେ କିଛି ଦୁବୃର୍ତ୍ତ ମାନେ ପଶି ଗୁଳି ଚାଳନା କରିଥିଲେ। ଯେଉଁଥିରେ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ଘଟିବା ସହ ୧୨ ଜଣ ଆହତ ହୋଇଥିବା ଜଣାପଡ଼ିଛି।

ତେବେ ୧୦ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ହସ୍ପିଟାଲରେ ଚିକିତ୍ସା ସମୟରେ ମୃତ୍ୟୁ ବରଣ କରିଥିଲେ। ଏହି ଗୁଳିକାଣ୍ଡ ପଛରେ ପ୍ରତିଦ୍ୱନ୍ଦ୍ୱୀ ଅପରାଧ ସିଣ୍ଡିକେଟ୍ ମଧ୍ୟରେ ଏକ ଗ୍ୟାଙ୍ଗ ୱାର ନେଇ ସନ୍ଦେହ କରାଯାଉଛି। ଦୋଷୀ ମାନଙ୍କ ତଲାସ କରାଯାଉଥିବା ନେଇ ମେୟରଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି।

ଏହି ଘଟଣା ଘଟିବାର କିଛି ଘଣ୍ଟା ପୂର୍ବରୁ ଶନିବାର ବିଳମ୍ବିତ ରାତିରେ ସାଲାମାଙ୍କାରେ ମାନବ ଶରୀର ଥିବା ଚାରିଟି ବ୍ୟାଗ ଚିହ୍ନଟ କରାଯାଇଥିବା ନେଇ ମଧ୍ୟ କୁହା ଯାଉଛି।

ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ହେବା ସହ ଗୁଆନାଜୁଆଟୋ ଏକ ପ୍ରମୁଖ ଶିଳ୍ପ କେନ୍ଦ୍ର ହୋଇଥିବାରୁ ଏହା ଅଧିକ ଦର୍ଶକ ମାନଙ୍କର ଦୃଷ୍ଟି ଆକର୍ଷଣ କରୁଛି। କିନ୍ତୁ ଏଠାରେ ଅପରାଧୀ ଗୋଷ୍ଠୀମାନଙ୍କ ମଧ୍ୟରେ ଉତ୍ତେଜନା ଲାଗିରହିଥିବାରୁ ଏହା ମେକ୍ସିକୋର ସବୁଠାରୁ ଘାତକ ରାଜ୍ୟ ଭାବରେ ମଧ୍ୟ ପରିଚିତ ହୋଇସାରିଛି।

ତେବେ ଚଳିତ ବର୍ଷ ଆରମ୍ଭରେ ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ସେନବାଉମ୍ କହିଥିଲେ ଯେ, ୨୦୨୫ ମସିହାରେ ଦେଶର ହତ୍ୟା ହାର ଏକ ଦଶନ୍ଧି ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସି ଆସିଛି। ଯେଉଁଥିପାଇଁ ସେ ତାଙ୍କ ପ୍ରଶାସନର ଜାତୀୟ ସୁରକ୍ଷା ରଣନୀତିକୁ ଏହାର ଶ୍ରେୟ ପ୍ରଦାନ କରିଥିଲେ।

Leave A Reply

Your email address will not be published.