କଙ୍ଗୋ: ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋର ଉତ୍ତର-ପଶ୍ଚିମ ଇକ୍ୱାଟୁର୍ ପ୍ରଦେଶର ଦୁଇଟି ଭିନ୍ନ ଭିନ୍ନ ଜାଗାରେ ଡଙ୍ଗା ଦୁର୍ଘଟଣା ଘଟି ପ୍ରାୟ ୧୯୩ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଅନେକ ନିଖୋଜ ହୋଇଯାଇଥିବା ନେଇ ସୂଚନା ମିଳିଛି।
ତେବେ ଏହି ଦୁଇଟି ଘଟଣା ଯଥାକ୍ରମେ ବୁଧବାର ଏବଂ ଗୁରୁବାର ପ୍ରାୟ ୧୫୦ କିଲୋମିଟର ଦୂରରେ ଘଟିଥିଲା। ବୁଧବାର ଦିନ ବାସାଙ୍କୁସୁ ଅଞ୍ଚଳରେ ଏକ ମୋଟରବୋଟ୍ ପାଣି ଭିତରେ ଓଲଟି ପଡି ଅତି କମରେ ୮୬ ଜଣଙ୍କର ମୃତ୍ୟୁ ଘଟିଥିଲା ଓ ମୃତକଙ୍କ ମଧ୍ୟରୁ ଅଧିକାଂଶ ଛାତ୍ର ଥିବା ନେଇ ରିପୋର୍ଟରୁ ଜଣା ପଡ଼ିଛି। ଏହାର ଗୋଟିଏ ଦିନ ପରେ ଅର୍ଥାତ୍ ଗୁରୁବାର ସନ୍ଧ୍ୟାରେ ପ୍ରାୟ ୫୦୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ରେ ନିଆଁ ଲାଗିବା ଫଳରେ ଏହା କଙ୍ଗୋ ନଦୀରେ ବୁଡି ଯାଇଥିଲା। ତେବେ ଏହା ଲୁକୋଲେଲା ଅଞ୍ଚଳର ମାଲାଙ୍ଗେ ଗ୍ରାମ ନିକଟରେ ଘଟିଥିବା ନେଇ ଜଣାପଡ଼ିଛି।
ଦୁର୍ଘଟଣା ପରେ ୨୦୯ ଜଣଙ୍କୁ ଉଦ୍ଧାର କରାଯାଇଥିବା ନେଇ କଙ୍ଗୋର ମାନବିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି। ଡଙ୍ଗାରେ ନିଆଁ ଲାଗିବା ପରେ ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇ ଯାଇଥିଲା। ଫଳରେ ସେମାନେ ଭୟରେ ପାଣିରେ ଡେଇଁ ପଡ଼ି ଚିତ୍କାର କରିଥିବା ନେଇ ପ୍ରତ୍ୟକ୍ଷଦର୍ଶୀ ମାନେ କହିଥିଲେ।
ସୋସିଆଲ ମିଡିଆରେ ଏସବୁ ଦୁଃଖଦ ଘଟଣା ର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏଥିସହିତ ସ୍ଥାନୀୟ ସାମାଜିକ ସଂଗଠନଗୁଡ଼ିକ ଏହି ଦୁର୍ଘଟଣା ପାଇଁ ସରକାରଙ୍କୁ ଦାୟୀ କରିଛନ୍ତି।
ତେବେ କଙ୍ଗୋ ଭଳି ମଧ୍ୟ ଆଫ୍ରିକୀୟ ଦେଶଗୁଡ଼ିକରେ ଡଙ୍ଗା ଦୁର୍ଘଟଣା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି କାରଣ ସେଠାରେ ଯାତାୟାତ ପାଇଁ ସୁବିଧଜନକ ରାସ୍ତା ଉପଲବ୍ଧ ନାହିଁ। ତେବେ ଏହି ଡଙ୍ଗାଗୁଡ଼ିକ ପ୍ରାୟତଃ ଯାତ୍ରୀ ଏବଂ ସାମଗ୍ରୀରେ ଓଭରଲୋଡ୍ ହୋଇଥାଏ। ଦୁର୍ଘଟଣାରେ ଶହ ଶହ ପରିବାର ଏବେ ବି ସେମାନଙ୍କର ପ୍ରିୟଜନଙ୍କୁ ଖୋଜିବା ସହ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Comments are closed.