Latest Odisha News

ଜୋହନ୍ସବର୍ଗର ଏକ ଆବାସିକ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ,୬୪ ଜଣ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଜୋହନ୍ସବର୍ଗରେ ଭୟାବହ ଅଗ୍ନିକାଣ୍ଡ । ୫ ମହଲା ବିଶିଷ୍ଟ ଗୋଟିଏ ଆବାସିକ କୋଠାରେ ଭୀଷଣ ଅଗ୍ନିକାଣ୍ଡ ଘଟିବା ଯୋଗୁଁ ଏଥିରେ ୬୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ଏବଂ ୪୦ରୁ ଅଧିକ ଆହତ ହୋଇଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ରେସ୍କ୍ୟୁ ଟିମ୍ ଏବେ ବି ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି । ତେବେ କେଉଁ କାରଣରୁ ବିଲ୍ଡିଂରେ ନିଆଁ ଲାଗିଲା ତାହା ଏ ଯାଏଁ ଜଣାପଡିନି ।

ସୂଚନା ଅନୁଯାୟୀ, ଗତ ରାତି ପ୍ରାୟ ସାଢେଗୋଟେ ବେଳେ ଜୋହନ୍ସବର୍ଗର ସେଣ୍ଟ୍ରାଲ ବିଜେନସ୍ ଜିଲ୍ଲାରେ ଥିବା ଏକ ୫ ମହଲା ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଥିଲା । ନିଆଁରେ ପ୍ରକୋପ ଏତେ ଥିଲା ଯେ ଏହା ଦ୍ରୁତଗତିରେ ପୁରା ବିଲ୍ଡିଂରେ ବ୍ୟାପୀ ଯାଇଥିଲା । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସଙ୍ଗେ ସଙ୍ଗେ ବିଲ୍ଡିଂ ଭିତରେ ଫସି ରହିଥିବା ଲୋକଙ୍କୁ ବାହାରକୁ ଆଣିଥିଲେ । ତେବେ ଏହି ଅଗ୍ନିକାଣ୍ଡରେ ୬୪ଜଣ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୪୦ରୁ ଅଧିକ ଲୋକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତେବେ ଆହତ ମାନଙ୍କ ମଧ୍ୟରୁ ଅନେକ ଧୁଆଁ କାରଣରୁ ଅଣନିଶ୍ଵାସୀ ହୋଇଯାଇଛନ୍ତି । ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି ।

ଜରୁରୀକାଳୀନ ସେବା ବିଭାଗର ମୁଖପାତ୍ର ରବର୍ଟ ମୁଲାଉଦଜୀ କହିଛନ୍ତି ଯେ, ମୋର ୨୦ ବର୍ଷର କାର୍ଯ୍ୟକାଳ ଭିତରେ କେବେ ଏତେ ବଡ ଅଘଟଣ ଦେଖିନଥିଲି । ଏବେ ସୁଦ୍ଧା ବିଲ୍ଡିଂ ଭିତରୁ ମୋଟ ୬୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୪୩ ଜଣ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ଭିତରେ ଜଣେ ଶିଶୁ ରହିଛି । ମୁଲାଉଦଜୀଙ୍କ ପକ୍ଷରୁ Xରେ ଏକ ଭିଡିଓ ପୋଷ୍ଟ କରାଯାଇଛି ଯେଉଁଥିରେ ବିଲ୍ଡିଂ ବାହାରେ ଛିଡା ହୋଇଥିବା ଅନେକ ଗୁଡିଏ ଟ୍ରକ ଓ ଆମ୍ବୁଲାନ୍ସରେ ନିଆଁ ଲାଗିଥିବାର ଦେଖିବାକୁ ମିଳୁଛି । ତେବେ ଉକ୍ତ ବିଲ୍ଡିଂଟି ଅନୌପଚାରିକ ଆଶ୍ରୟସ୍ଥଳୀ ଥିଲା । ଏଠାରେ ବାସହରା ଲୋକ ବିନା ଲିଜ୍ ଚୁକ୍ତିନାମାରେ ରହୁଥିଲେ । ପାଖାପାଖି ୨୦୦ ଲୋକ ବିଲ୍ଡିଂରେ ବସବାସ କରୁଥିବା ଅନୁମାନ କରାଯାଉଛି ।

 

Comments are closed.