ପ୍ୟାରିସ: ପୁଣି କ୍ରୀଡା ଜଗତରେ ଲିଙ୍ଗ ବିବାଦ । ପ୍ୟାରିସ ଅଲିମ୍ପିକ୍ସର ବକ୍ସିଂ ରିଙ୍ଗରେ ଦେଖିବାକୁ ମିଳିଛି ଲିଙ୍ଗଗତ ବିବାଦ । ମହିଳା ୬୬ କିଲୋଗ୍ରାମ ଶ୍ରେଣୀରେ ଇଟାଲୀର ଏଞ୍ଜେଲା କରିନୀ ଓ ଆଲଜେରିଆର ଇମାନ ଖଲିଫଙ୍କ ମଧ୍ୟରେ ମୁକାବିଲା ମାତ୍ର ୪୬ ସେକେଣ୍ଡରେ ଶେଷ ହୋଇଥିଲା । ଆଲଜେରିଆ ବକ୍ସର ଇମାନ ଖଲିଫ ଜଣେ ପୁରୁଷ ବୋଲି ହୋଇଥିଲା ଅଭିଯୋଗ । ଯାଂଚ ପରେ ଜଣାପଡିଥିଲା ଯେ, ଇମାନ ଖଲିଫଙ୍କ ଶରୀରରେ ଟେଷ୍ଟେଷ୍ଟେରୋନ ସ୍ତର ଆବଶ୍ୟକଠାରୁ ଅଧିକ ଥିଲା । ଏ ପ୍ରକାର ହରମୋନ କେବଳ ପୁରୁଷଙ୍କଠାରେ ହିଁ ଦେଖାଯାଏ । ଏ ଦୃଷ୍ଟିରୁ ଇମାନଙ୍କ ଅଂଶଗ୍ରହଣ ନେଇ ସୃଷ୍ଟି ହୋଇଛି ବିବାଦ ।
ଲିଙ୍ଗ ପରୀକ୍ଷଣରେ ବିଫଳ ହୋଇ ୨୦୨୩ରେ ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ଅଯୋଗ୍ୟ ଘୋଷିତ ହୋଇଥିଲେ ଇମାନ । ଜଣେ ପ୍ରତିଯୋଗୀ ଜେଣ୍ଡର ଟେଷ୍ଟରେ ଫେଲ୍ ହେବା ନୂଆ କଥା ନୁହେଁ । ଆଗରୁ ବି ରହିଛି ଅନେକ ଉଦାହରଣ ।
ଓଡିଶାର ଷ୍ଟାର ସ୍ପ୍ରିଂଟର ଦୂତି ଚାନ୍ଦ ଜେଣ୍ଡର ବିବାଦର ସମ୍ମୁଖୀନ ହୋଇଥିଲେ । ଦୂତିଙ୍କଠାରେ ହାଇପରଆଂଡ୍ରୋଜିନିଜମ ଯୋଗୁଁ ତାଙ୍କୁ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଭାରତୀୟ ଦଳରେ ସାମିଲ କରିନଥିଲା ଆଥଲେଟିକ୍ସ ମହାସଂଘ । କିନ୍ତୁ ଦୂତି ଚାନ୍ଦ କୋର୍ଟ ଅଫ୍ ଆର୍ବିଟ୍ରେସନ ଫର୍ ସ୍ପୋର୍ଟରେ ଅପିଲ କରିଥିଲେ । ଫଇସଲା ତାଙ୍କ ସପକ୍ଷରେ ଯାଇଥିଲା ।
ଭାରତୀୟ ଆଥଲେଟ୍ ଶାନ୍ତି ସୁନ୍ଦରରାଜନ ମଧ୍ୟ ଜେଣ୍ଡର ବିବାଦରେ ଫସିଥିଲେ । ୨୦୦୬ ଏସିଆମ ଗେମ୍ସରେ ମହିଳା ୮୦୦ ମିଟରରେ ରୌପ୍ୟ ଜିତିଥିଲେ ଶାନ୍ତି । କିନ୍ତୁ ଜେଣ୍ଡର ଟେଷ୍ଟରେ ବିଫଳ ହୋଇଥିଲେ । ତାଙ୍କଠାରେ ହାଇପରଆଂଡ୍ରୋନିଜିମ ମିଳିଥିଲା । ଶାନ୍ତିଙ୍କଠାରୁ ପଦକ ପ୍ରତ୍ୟାହାର କରିନିଆଯାଇଥିଲା । ଆଥଲେଟିକ୍ସ ଫେଡେରେସନ ଅଫ୍ ଇଣ୍ଡିଆ ଶାନ୍ତିଙ୍କୁ ବାସନ୍ଦ କରିଥିଲା । ଶେଷ ହୋଇଯାଇଥିଲା ଶାନ୍ତିଙ୍କ କ୍ୟାରିୟର । ବର୍ତ୍ତମାନ ଶାନ୍ତି ତାମିଲନାଡୁ କ୍ରୀଡା ବିକାଶ ପ୍ରାଧିକରଣରେ କୋଚ୍ ଭାବେ ଅବସ୍ଥାପିତ ।
ନ୍ୟୁଜିଲାଣ୍ଡର ୱେଟଲିଫଟର ଲରେଲ୍ ହବାର୍ଡ ଥିଲେ ଜଣେ ଟ୍ରାନ୍ସଜେଣ୍ଡର । ୨୦୨୧ ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇଥିଲେ ହବାର୍ଡ । ୨୦୧୩ରେ ସେ ଥିଲେ ପୁରୁଷ । ପରେ ସେ ମହିଳା ହୋଇଥିଲେ । ୨୦୧୫ରେ ଆନ୍ତର୍ଜାତିକ ଅଲିମ୍ପିକ କମିଟି ନିୟମରେ ପରିବର୍ତ୍ତନ କରିଥିଲା । ଯଦି ଆଥଲେଟଙ୍କ ଶରୀରରେ ଟେଷ୍ଟେଷ୍ଟେରୋନ ନିର୍ଦ୍ଧାରିତ ସ୍ତରଠାରୁ କମ୍ ,ତାହା ହେଲେ ସେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ବୋଲି ନୂଆ ନିୟମ ହୋଇଥିଲା । ସେହି ନିୟମ ଅନୁସାରେ ହବାର୍ଡ ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇଥିଲେ ।
ଦକ୍ଷିଣ ଆଫ୍ରିକାର ସ୍ପ୍ରିଂଟର କ୍ୟାଷ୍ଟର ସେମେନ୍ୟା ମଧ୍ୟ ଜେଣ୍ଡର ବିବାଦରେ ଫସି ଚର୍ଚ୍ଚିତ ହୋଇଥିଲେ । ସେମେନ୍ୟା ଦୁଇ ଦୁଇ ଥର ଅଲିମ୍ପିକ୍ସରେ ମହିଳା ୮୦୦ ମିଟର ଦୌଡରେ ସ୍ୱର୍ଣ୍ଣ ଜିତିଥିଲେ । କିନ୍ତୁ ଟେଷ୍ଟେଷ୍ଟେରୋନ ସ୍ତର ଅଧିକ ଥିବାରୁ ସେମେନ୍ୟାଙ୍କୁ ବ୍ୟାନ କରିଥିଲା ବିଶ୍ୱ ଆଥଲେଟିକ୍ସ ସଂଘ ।୨୦୦୯ରେ ସେମେନ୍ୟା ଜେଣ୍ଡର ଟେଷ୍ଟ କରି ଚର୍ଚ୍ଚିତ ହୋଇଥିଲେ ମଧ୍ୟ ତାଙ୍କ ରିପୋର୍ଟ ୧୦ ବର୍ଷ ଯାଏଁ ସାର୍ବଜନୀନ କରାଯାଇନଥିଲା । କିନ୍ତୁ ରିପୋର୍ଟ ଲିକ୍ ହୋଇଯାଇଥିଲା । ଔଷଧ ନେଇ ଟେଷ୍ଟେଷ୍ଟେରୋନ ସ୍ତର କମ୍ କରିବାକୁ ତାଙ୍କୁ ଆଦେଶ ଦିଆଯାଇଥିଲା । ଏହି ଆଦେଶ ବିରୋଧରେ କୋର୍ଟ ଅଫ୍ ଆର୍ବିଟ୍ରେସନ ଫର ସ୍ପୋର୍ଟସରେ ଅପିଲ କରିଥିଲେ ସେମେନ୍ୟା । କିନ୍ତୁ ସେ କେସ୍ ହାରିଯାଇଥିଲେ ।
Comments are closed.