Latest Odisha News

BREAKING NEWS

ଅଲିମ୍ପିକ୍ସରେ ଭାରତୀୟ ବଂଶୋଦ୍ଭବ

ପ୍ୟାରିସ ଅଲିମ୍ପିକ୍ସରେ ଭାରତ ୧୧୭ଜଣିଆ ଦଳ ପଠାଇଛି । ଅନ୍ୟ ସଂସ୍କରଣ ତୁଳନାରେ ଏଥର ଟିମ ଇଣ୍ଡିଆ ଅଧିକ ପଦକ ଜିତିବ ବୋଲି ପ୍ରଶଂସକମାନେ ଆଶା ବାନ୍ଧି ବସିଛନ୍ତି । ତେବେ କେତେକ ଭାରତୀୟ ବଂଶୋଦ୍ଭବ ଭିନ୍ନ ଭିନ୍ନ ଦେଶ ପକ୍ଷରୁ ଖେଳୁଛନ୍ତି । ସେମାନଙ୍କ ପ୍ରଦର୍ଶନ ମଧ୍ୟ ଆମକୁ ପରୋକ୍ଷରେ ଆନନ୍ଦିତ କରିବ ବୋଲି ଆଶା କରାଯାଉଛି । ଆମେରିକାର ଟେନିସ ଖେଳାଳି ରାଜୀବ ରାମ ୨୦୧୬ ଗେମ୍ସରେ ଭେନସ ୱିଲିୟମ୍ସଙ୍କୁ ସାଥୀ କରି ରୌପ୍ୟ ପଦକ ଜିତିଥିଲେ । ଏଥର ମଧ୍ୟ ସେ ପୁରୁଷ ଡବଲ୍ସରେ ଅଂଶଗ୍ରହଣ କରୁଛନ୍ତି । ବେଙ୍ଗାଲୁରୁର ମୂଳ ବାସିନ୍ଦା ଏବେ ଆମେରିକାର ସ୍ଥାୟୀ ଭାବେ ବାସ କରୁଛନ୍ତି ।

ଫ୍ରାନ୍ସର ଟେବୁଲ ଟେନିସ ଖେଳାଳି ପ୍ରୀତିକା ପଭାଡେ ପୂନର୍ବାର ଅଲିମ୍ପିକ୍ସରେ ମହିଳା ସିଙ୍ଗଲ୍ସରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ୧୬ ବର୍ଷ ବୟସରେ ସେ ଟୋକିଓ ଗେମ୍ସରେ ପଦାର୍ପଣ କରିଥିଲେ । ପ୍ରୀତିକାଙ୍କ ବାପା ପୁଡୁଚେରୀର ବାସିନ୍ଦା । ୨୦୦୩ରେ ବିବାହ କରିବା ପରେ ସେ ପ୍ୟାରିସ ଚାଲି ଯାଇଥିଲେ । ଆମେରିକାର ଟେବୁଲ ଟେନିସ ଖେଳାଳି କନକ ଝା ପୁରୁଷ ସିଙ୍ଗଲ୍ସରେ ଅଂଶଗ୍ରହଣ କରିବେ । କନକଙ୍କ ମାଆ କରୁଣା ମୁମ୍ବାଇର ଓ ବାପା କୋଲକାତା ବାସିନ୍ଦା । ୨୦୧୬ ଓ ୨୦୨୦ ଗେମ୍ସରେ ସେ ଅଂଶଗ୍ରହଣ କରିଛନ୍ତି । ରିଓ ଅଲିମ୍ପିକ୍ସରେ ସେ ସର୍ବ କନିଷ୍ଠ ଖେଳାଳି ଭାବେ ଅଂଶଗ୍ରହଣ କରିଥିଲେ ।

ସିଙ୍ଗାପୁରର ସ୍ପ୍ରିଂଟ କୁଇନ ଭାବେ ଶାନ୍ତି ପେରିରା ବେଶ ଲୋକପ୍ରିୟ । ଥିରୁୱନ୍ତପୁରମର ସେମାନେ ମୂଳବାସିନ୍ଦା । ଜେଜେବାପା ଅମଳରୁ ସେମାନେ ସିଙ୍ଗାପୁରରେ ରହୁଛନ୍ତି । ଏସୀୟ କ୍ରୀଡାରେ ସେ ସିଙ୍ଗାପୁର ପାଇଁ ୧୦୦ ମିଟରରେ ପ୍ରଥମ ପଦକ ଆଣିଥିଲେ । କାନାଡାର ଲୋକପ୍ରିୟ ରେସଲର ଅମର ଧେସୀ ଏଥର ୧୨୫ କେଜି ଫ୍ରି ଷ୍ଟାଇଲ ବିଭାଗରେ ଅଂଶଗ୍ରହଣ କରିବେ । ଅମରଙ୍କ ବାପା ପଞ୍ଜାବ ଛାଡି କାନାଡା ପଳାଇ ଆସିଥିଲେ । ସେ ଗ୍ରୀକୋ ରୋମାନରେ ଜାତୀୟ ବିଜେତା ଥିଲେ । ୨୦୨୦ ଗେମ୍ସରେ ଅମର ଅଂଶଗ୍ରହଣ କରିଥିଲେ ।

Comments are closed.