ବରଗଡ଼: ଜିଲ୍ଲା ପୋଲିସକୁ ମିଳିଲା ବଡ଼ ଧରଣର ସଫଳତା। ତିନି ଆନ୍ତଃରାଜ୍ୟ ଏଟିଏମ ଠକଙ୍କୁ ଗିରଫ କରିବାରେ ସଫଳ ହେଲା ବରଗଡ଼ ପୋଲିସ। ସେମାନଙ୍କଠାରୁ ଏକ କାର ସହିତ ମାରଣାସ୍ତ୍ର ଓ ଅନେକ ସାମଗ୍ରୀକୁ ପୋଲିସ ଜବତ କରିଛି। ବହୁ ଚାଲାକିର ସହିତ ଏଟିଏମ ସମ୍ମୁଖରେ ଛିଡା ହୋଇ ଟେକ୍ନୋଲୋଜିର ବ୍ୟବହାର କରି ଲୋକଙ୍କଠାରୁ ପଇସା ହଡ଼ପ କରି ନେଉଥିଲେ ଏବଂ ଧାରା ମଧ୍ୟ ପଡୁନଥିଲେ ଏହି ତିନି ଲୁଟେରା। ଆଜି ବରଗଡ଼ ଟାଉନ ପୋଲିସ ହାତରେ ଧରାପଡିଛନ୍ତି ଏହି ଏଟିଏମ ଲୁଟେରା। ବରଗଡ଼ ଏସଡିପିଓ ଅଫିସରେ ଏନେଇ ଏକ ସାମ୍ବାଦିକ ସମ୍ବିଳନୀରେ ପୋଲିସ ଉକ୍ତ ଘଟଣାର କଲେ ଖୁଲାସ।
ସୂଚନା ଅନୁସାରେ ଗତ ବୁଧବାର ଦିନ ୧୧ଟା ବେଳେ ଟାଉନ ପୋଲିସ ଦ୍ୱାରା ବରଗଡ଼ ରୁକ୍ମଣୀ ଟକିଜ ପାଖରେ ଥିବା ଏଟିଏମରେ ତିନି ଅନ୍ତଃରାଜ୍ୟ ଏଟିଏମ୍ ଚୋର ଗିରଫ ହୋଇଥିଲେ। ବିଭିନ୍ନ ଏଟିଏମ ମାନଙ୍କରେ ଜାମର ଲଗାଇ ବହୁ ଲୋକଙ୍କ ଟଙ୍କା ଚୋରି କରୁଥିବା ବେଳେ ଏହି ତିନି ଅନ୍ତଃରାଜ୍ୟ ଚୋରକୁ ଗିରଫ କରିବା ସହ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତେବେ ଏହି ଗ୍ୟାଙ୍ଗ ବରଗଡ଼ ସମେତ ବିଭିନ୍ନ ରାଜ୍ୟରେ ଟଙ୍କା ଚୋରି କରିଥିବା ସୂଚନା ଦେଇଛନ୍ତି ବରଗଡ଼ ଅତିରିକ୍ତ ଏସପି ତପନ କୁମାର ମହାନ୍ତି। ଅଭିଯୁକ୍ତମାନେ ହେଲେ ବିହାରର ମୁକେଶ କୁମାର ତିୱାରୀ, ଅଜିତ କୁମାର ଓ ରାହୁଲ କୁମାର ଦ୍ବିବେଦୀ।
ସେମାନଙ୍କ ନିକଟରୁ ପୋଲିସ ୯୫୦୦ ଟଙ୍କା ନଗଦ, ଗୋଟିଏ ଭୁଜାଲି, ତିନିଟି ମୋବାଇଲ, ଗୋଟେ କାର, ୮ଟି କଳା ରଙ୍ଗର ଫାଇବର ପ୍ଲେଟ ସହ ଅନ୍ୟ ଚୋରି ସାମଗ୍ରୀ ଜବତ କରିଛି। ଏହି ଏଟିଏମ ଲୁଟେରା ମାନେ ଏଟିଏମ ନିକଟରେ ଜାମର ଲଗାଇ ଛିଡା ହେଉଥିଲେ। ଯେଉଁ ବ୍ୟକ୍ତି ଏଟିଏମରୁ ପଇସା କାଢିବାକୁ ଆସୁଥିଲେ ସେହି ବ୍ୟକ୍ତିଙ୍କ ଏଟିଏମରୁ ପଇସା କାଢିବା ସମୟରେ ପଇସା ବାହାରିବା ପୂର୍ବରୁ ଲୁଟେରା ମାନେ ଜାମର ସହଯୋଗରେ ଇଣ୍ଟର୍ନେଟ ବନ୍ଦ କରିଦେଉଥିଲେ। ଯାହାଫଳରେ ଏଟିଏମରୁ ପଇସା ନବାହାରି ହ୍ୟାଙ୍ଗ୍ ହୋଇ ରହିଯାଉଥିଲା। ତେବେ ପରବର୍ତ୍ତୀ ସମୟରେ ଜାମର ଅଫ୍ କରିବା ପରେ ଏଟିଏମରୁ ବାହାରୁଥିବା ପଇସାକୁ ଚୋର ମାନେ ନେଇଯାଉଥିଲେ। ଏପରି ଚାଲାକିର ସହିତ ଏହି ଚୋର ଗ୍ୟାଙ୍ଗ୍ ଭିନ୍ନ ଭିନ୍ନ ରାଜ୍ୟର ଏଟିଏମରୁ ଟଙ୍କା ଚୋରି କରି ଆସୁଥିଲେ। ମାତ୍ର ବରଗଡ଼ ଟାଉନ ପୋଲିସ ହାତରେ ଆଜି ଧରାପଡିଗଲେ ଏହି ଏଟିଏମ ଲୁଟେରା।
Comments are closed.