ମେଲବୋର୍ଣ୍ଣ: ବର୍ଡର-ଗାଭାସ୍କର ଟ୍ରଫିର ୪ର୍ଥ ମ୍ୟାଚ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏଠାରେ ଆରମ୍ଭ ହୋଇଛି । ବକ୍ସିଂ ଡେ ଟେଷ୍ଟର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୬ ୱିକେଟ ବିନିମୟରେ ୩୧୧ ରନ ସଂଗ୍ରହ କରି ନେଇଛି । ଷ୍ଟିଭ ସ୍ମିଥ ୬୮ ଓ ପ୍ୟାଟ କୁମିନ୍ସ ୮ ରନ କରି ଅପରାଜିତ ରହିଛନ୍ତି । ସାମ କୋନ୍ସାଟସ ୬୦, ଉସମାନ ଖ୍ୱାଜା ୫୭, ମାର୍ନସ ଲାବୁସେନ ୭୨ ରନ କରିଥିଲେ । ଟ୍ରେଭିସ ହେଡଙ୍କୁ ଯଶପ୍ରୀତ ବୁମରାହ ବୋଲ୍ଡ କରିଥିଲେ । ସେ ଖାତା ଖୋଲିପାରି ନ ଥିଲେ । ମିଚେଲ ମାର୍ଶ ୪ ଓ ଆଲେକ୍ସ କ୍ୟାରୀ ୩୧ ରନ କରି ଆଉଟ ହୋଇଥିଲେ । ୨୩୭ ରନରେ ୩ଟି ୱିକେଟ ହରାଇ ଭଲ ସ୍ଥିତିରେ ଅଷ୍ଟ୍ରେଲିଆ ଥିବା ବେଳେ ଭାରତୀୟ ବୋଲର ସଫଳ ପ୍ରତ୍ୟାବର୍ତନ କରିଥିଲେ ।
ଭାରତ ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ ବୁମରାହ ୩ଟି ୱିକେଟ ନେଇଥିବା ବେଳେ ଆକାଶଦୀପ, ରବୀନ୍ଦ୍ର ଜାଡେଜା ଓ ୱାଶିଂଟନ ସୁନ୍ଦର ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଟସ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ୫ମ୍ୟାଚ ବିଶିଷ୍ଟ ସିରିଜରେ ଉଭୟ ଟିମ ଗୋଟିଏ ଲେଖାଏଁ ମୁକାବିଲାରେ ଜିତିଥିବା ବେଳେ ଗୋଟିଏ ମ୍ୟାଚ ଡ୍ର ରହିଥିଲା । ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ବାକିଥିବା ୨ଟି ମ୍ୟାଚରେ ଜିତିବାକୁ ପଡିବ । ମେଲବୋର୍ଣ୍ଣରେ ଭାରତ ରେକର୍ଡ ଏବେ ଭଲ ଥିବାରୁ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି ।