Latest Odisha News

BREAKING NEWS

ଶ୍ରୀ ମନ୍ଦିରରେ ବିରଳ ଦୃଶ୍ୟ, ପତିତପାବନରେ ପଡିଲା ଶୂନ୍ୟ ଗଣ୍ଠି

ପୁରୀ: ମହାପ୍ରଭୁଙ୍କର ଲୀଳା ଅପରମ୍ପାର । ଚୈତ୍ର ମାସ କୃଷ୍ଣ ପ୍ରତିପଦା ତିଥି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହୋଲି ଉତ୍ସବ ଏବଂ ଚନ୍ଦନ ଅନୁକୂଳ ନୀତି ସମ୍ପନ୍ନ ହୋଇଛି। ଏହି ପରିପ୍ରେକ୍ଷୀରେ ସକାଳୁ ସକାଳୁ ଶ୍ରୀମନ୍ଦିରରେ ଦେଖିବାକୁ ମିଳିଛି ବିରଳ ଦୃଶ୍ୟ । ଶ୍ରୀମନ୍ଦିରର ନୀଳଚକ୍ରରେ ଉଡ଼ୁଥିବା ପତିତପାବନବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି। ଶୂନ୍ୟ ଶୂନ୍ୟରେ ପତିତପାବନ ବାନାରେ ଗଣ୍ଠି ପଡ଼ିଲେ ତାହାକୁ ଶୂନ୍ୟ ଗଣ୍ଠି କୁହାଯାଏ। ବିଶ୍ବାସ ରହିଛି ଶୂନ୍ୟଗଣ୍ଠି ଘରେ ରଖିଲେ ସମସ୍ତ ପ୍ରକାରର ବ୍ୟାଧିରୁ ମୁକ୍ତ ମିଳିଥାଏ। ପତିତପାବନ ବାନାରେ କିପରି ଗଣ୍ଠି ପଡ଼ିଲା ତାହା ଭକ୍ତ ଓ ସେବାୟତଙ୍କୁ ବିସ୍ମିତ କରିଛି। ଏ ସଂପର୍କରେ ଶ୍ରୀ ମନ୍ଦିର ପ୍ରଶାସନର କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

ଯେତେବେଳଜ ଶ୍ରୀମନ୍ଦିର ନୀଳଚକ୍ରରେ ୧୫୧ ହାତ ବାନା ଲଗାଯାଉଥିଲା ସେତେବେଳେ ଅନେକ ସମୟରେ ଶୂନ୍ୟ ଗଣ୍ଠି ପଡୁଥିଲା। କିନ୍ତୁ ଯେବେଠାରୁ ୧୪ହାତିଆ ବାନା ଲାଗୁଛି ଆଉ ଶୂନ୍ୟ ଗଣ୍ଠି ଦେଖିବାକୁ ମିଳୁନାହିଁ। ଶେଷ ଥର ପାଇଁ ବାତ୍ୟା ‘ଦାନା’ ବେଳେ ଏଭଳି ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା । ତେବେ ଯଦି ନୀଳଚକ୍ରରେ ଅତ୍ୟଧିକ ବାନା ବନ୍ଧା ହୋଇଥାଏ, ତା’ହେଲେ ପ୍ରବଳ ପବନ କିମ୍ବା ଝଡ଼ବର୍ଷା ହେଲେ ସେଗୁଡ଼ିକ ପରସ୍ପର ମଧ୍ୟରେ ଛନ୍ଦି ହୋଇଥା’ନ୍ତି ଏବଂ ଏହି ଗଣ୍ଠି (ଶୂନ୍ୟ ଗଣ୍ଠି) ପଡ଼ିଥାଏ। ବାନା ଗୁଡ଼ିକ ପରସ୍ପର ମଧ୍ୟ ବାଡ଼େଇ ହୋଇ କେଉଁଠି କେମିତି ସବୁ ଗଣ୍ଠି ପଡ଼ିଥାଏ ଯେ କିଛି ବୁଝି ହୁଏ ନାହିଁ।

ସାଧାରଣତଃ ଦଉଡ଼ି ଇତ୍ୟାଦିରେ ଆମେ ଯେଉଁ ଗଣ୍ଠି ପକାଉ, ତାହା ଖୋଲି ହୋଇଯାଏ। କିନ୍ତୁ ଶୂନ୍ୟ ଗଣ୍ଠିକୁ ଖୋଲିବା ଆଦୌ ସହଜ ନୁହେଁ। ଏଗୁଡ଼ିକୁ ଛୁରୀରେ କାଟି ଅଲଗା କରିବାକୁ ହୁଏ। ଅନେକ ଲୋକ ଏହି ଶୂନ୍ୟଗଣ୍ଠିକୁ ନେଇ ଘରର ପ୍ରବେଶ ଦ୍ୱାର ଅବା ଡ୍ରଇଁ ରୁମ୍‌ରେ ରଖନ୍ତି। ଏଗୁଡ଼ିକୁ ଘରେ ରଖିଲେ ପ୍ରାକୃତିକ ଦୁର୍ବିପାକ ତଥା ଗ୍ରହ ଆଦିରୁ ଆସୁଥିବା ବାଧାବିଘ୍ନରୁ ରକ୍ଷା ମିଳିଥାଏ ବୋଲି ବିଶ୍ୱାସ ରହିଛି।

Comments are closed.