Latest Odisha News

BREAKING NEWS

ଭାରତ ୧୮୦, ଅଷ୍ଟ୍ରେଲିଆ ୮୬/୧

ଆଡିଲେଡ: ଏଠାରେ ଆରମ୍ଭ ହୋଇଥିବା ଭାରତ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ସୁବିଧାଜନକ ସ୍ଥିତିରେ ରହିଛି । ଭାରତର ପ୍ରଥମ ଇନିଂସ ସ୍କୋର ୧୮୦ ରନ ଜବାବରେ ଘରୋଇ ଦଳ ଏହି ଦିବାରାତ୍ର ଟେଷ୍ଟରେ ଗୋଟିଏ ୱିକେଟ ହରାଇ ୮୬ ରନ ସଂଗ୍ରହ କରିଛି । ଅଷ୍ଟ୍ରେଲିଆ ଏବେ ଭାରତ ସ୍କୋରଠାରୁ ୯୪ ରନ ପଛରେ ରହିଛି । ନାଥାନ ମ୍ୟାକ୍ସସୁଇନୀ ୩୮ ଓ ମାର୍ନସ ଲାବୁଶେନ ୨୦ ରନ କରି ଅପରାଜିତ ରହିଛନ୍ତି । ଉସମାନ ଖ୍ୱାଜା ୧୩ ରନ କରି ପ୍ୟାଭିଲିୟନ ଫେରି ଯାଇଛନ୍ତି ।

ଟସ ଜିତି ଭାରତର ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲେ । ଯଶସ୍ୱୀ ଜୈସୱାଲ ଖାତା ଖୋଲି ନ ପାରି ପ୍ୟାଭିଲିୟନ ଫେରି ଯାଇଥିଲେ । ଶୁଭମନ ଗିଲ ୩୧ ଓ କେଏଲ ରାହୁଲ ୩୭ ରନ କରି ଦଳର ସ୍ଥିତି ସମ୍ଭାଳିଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ବିରାଟ କୋହଲି ୭, ରିଷଭ ପନ୍ତ ୨୧, ରୋହିତ ଶର୍ମା ୩ ଶସ୍ତାରେ ଆଉଟ ହୋଇଥିଲେ । ୧୦୯ ରନରେ ୬ଟି ୱିକେଟ ହରାଇ ଦଳ ବିପଦରେ ପଡିଥିଲା । ନୀତିଶ କୁମାର ରେଡ୍ଡୀ ଓ ରବିଚନ୍ଦ୍ରନ ଅଶ୍ୱୀନ ଅଷ୍ଟ୍ରେଲିଆ ବୋଲିଂର ଉଚିତ ମୁକାବିଲା କରିଥିଲେ । ନୀତିଶ ୪୨ ଓ ଅଶ୍ୱୀନ ୨୨ ରନ କରି ଆଉଟ ହୋଇଥିଲେ ।

ଏହା ପରେ ହର୍ଷିତ ରାଣା, ଯଶପ୍ରୀତ ବୁମରାହ ଓ ମହମ୍ମଦ ସିରାଜ ଶୀଘ୍ର ଆଉଟ ହେବା ଫଳରେ ଭାରତ ୧୮୦ ରନ କରିବାକୁ ସକ୍ଷମ ହୋଇଥିଲା । ମିଚେଲ ଷ୍ଟାର୍କ ଘାତକ ବୋଲିଂ କରି ଭାରତର ୬ଟି ୱିକେଟ ଅକ୍ତିଆର କରିଥିଲେ । ପ୍ୟାଟ କୁମିନ୍ସ ଓ ସ୍କଟ ବୋଲାଣ୍ଡ ୨ଟି ଲେଖାଁଏ ୱିକେଟ ନେଇଥିଲେ । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ରହିଛି । ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ ପାଇଁ ଟିମ ଇଣ୍ଡିଆକୁ ଅତି କମରେ ୨ରୁ୩ ମ୍ୟାଚ ଜିତିବାକୁ ପଡିବ ।

Comments are closed.