ବାଙ୍ଗାଲୋର: ଚଳିତ ବିଶ୍ୱକପ କ୍ରିକେଟରେ ଶୁକ୍ରବାର ମିଚେଲ ମାର୍ଶ ଓ ଡେଭିଡ ୱାର୍ଣ୍ଣରଙ୍କ ବିସ୍ଫୋରକ ଶତକ ପରେ ବୋଲରମାନଙ୍କ ଶୃଙ୍ଖଳିତ ବୋଲିଂ ଯୋଗୁ ଅଷ୍ଟ୍ରେଲିଆ ୬୨ ରନରେ ପାକିସ୍ତାନକୁ ପରାସ୍ତ କରିଛି । ଅଷ୍ଟ୍ରେଲିଆ ପ୍ରଦତ ୩୬୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ପାକିସ୍ତାନ ୪୫.୩ ଓଭରରେ ୩୦୫ ରନ କରି ଅଲଆଉଟ ହୋଇ ଯାଇଥିଲା । ଅବଦୁଲ୍ଲ ଶଫିକ ୬୪, ଇମାମ ଉଲ ହକ ୭୦ ଓ ମହମ୍ମଦ ରିଜୱାନ ୪୬ ରନ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା ୪ଟି, ପ୍ୟାଟ କୁମିନ୍ସ ଓ ମାର୍କସ ଷ୍ଟୋଇନିସ ୨ଟି ଲେଖାଁଏ ୱିକେଟ ନେଇଥିଲେ । ବିଜୟ ସହ ଅଷ୍ଟ୍ରେଲିଆ ୪ଟି ମ୍ୟାଚରେ ୪ ପଂଏଟ ହାସଲ କରି ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛି । ପାକିସ୍ତାନ ସମାନ ପଂଏଟ ସହ ୫ମ ସ୍ଥାନରେ ରହିଛି । ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୯ ୱିକେଟ ବିନିମୟରେ ୩୬୭ ରନ କରିଥିଲା । ମାର୍ଶ ୧୦୮ ବଲରେ ୧୦ ଚୌକା ଓ ୯ଛକା ବଳରେ ୧୨୧ ରନ କରିଥିଲେ । ୱାର୍ଣ୍ଣର ୧୨୪ ବଲରେ ୧୪ ଚୌକା ଓ ୯ଛକା ସହାୟତାରେ ୧୬୩ ରନ କରିଥିଲେ ।
ମାର୍ଶ ଓ ୱାର୍ଣ୍ଣର ଏଥିସହ ଅଷ୍ଟ୍ରେଲିଆ ୧୨ ବର୍ଷ ତଳର ରେକର୍ଡ ଭଙ୍ଗ କରିଛନ୍ତି । ୨୦୧୧ରେ ଏହି ପିଚରେ ଶେନ ୱାଟସନ ଓ ବ୍ରାଡ ହାଡିନ ପ୍ରଥମ ୱିକେଟରେ ୧୮୩ ରନର ପାର୍ଟନରଶିପ ସଂଗ୍ରହ କରି ଅଷ୍ଟ୍ରେଲିଆ ପାଇଁ ରେକର୍ଡ ସୃଷ୍ଟି କରିଥିଲେ । ଏବେ ମାର୍ଶ-ୱାର୍ଣ୍ଣର ୨୫୯ ରନ କରି ଏହି ରେକର୍ଡ ଭାଙ୍ଗିଛନ୍ତି । ପାକିସ୍ତାନ ବିପକ୍ଷରେ ୱାର୍ଣ୍ଣରଙ୍କ ଏହା କ୍ରମାଗତ ୪ର୍ଥ ଶତକ । ପାକିସ୍ତାନ ପକ୍ଷରୁ ଶାହୀନ ଶାହ ଆଫ୍ରିଦୀ ସର୍ବାଧିକ ୫ଟି ୱିକେଟ ଅକ୍ତିଆର କରିଥିବା ବେଳେ ହ୍ୟାରିଶ ରୌଫ ୩ଟି ୱିକେଟ ନେଇଛନ୍ତି । ଅଷ୍ଟ୍ରେଲିଆ ଶେଷ ୫ଟି ୱିକେଟ ମାତ୍ର ୩୭ ରନରେ ହରାଇଥିଲା । ଟସ ଜିତି ପାକିସ୍ତାନ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା ।
Comments are closed.