ଭୁବନେଶ୍ୱର: ରାଜ୍ୟର ଶକ୍ତି ଭିତ୍ତିଭୂମି କମ୍ପାନୀ ଓଡ଼ିଶା ପାଓ୍ୱାର ଟ୍ରାନ୍ସମିସନ କର୍ପୋରେସନ୍ ଲିମିଟେଡ୍ (ଓପିଟିସିଏଲ)ରେ ଶନିବାର ମୋଟ ୪୧୨ ଜଣ କର୍ମଚାରୀ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୧୬୧ ଜଣ ଇଲେକ୍ଟ୍ରିକାଲ ଇଞ୍ଜିନିୟର, ୫୪ ଜଣ ଅଫିସ ଆସିଷ୍ଟାଣ୍ଟ ଏବଂ ୧୯୭ ଜଣ ଇଲେକ୍ଟ୍ରିକାଲ ଟେକ୍ନିସିଆନ ଅଛନ୍ତି। ଭୁବନେଶ୍ୱର ଲୋକସେବା ଭବନସ୍ଥିତ କନଭେନସନ ସେଣ୍ଟରରେ ଏଥିପାଇଁ ଏକ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ନୂଆ ନିଯୁକ୍ତିପ୍ରାପ୍ତ କର୍ମଚାରୀମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଗୁଣାତ୍ମକ ଓ ବିଶ୍ୱସନୀୟ ଶକ୍ତିର ଉପଲବ୍ଧତା ପ୍ରତ୍ୟେକ ନାଗରିକର ଅପରିହାର୍ଯ୍ୟ ଅଧିକାର। ଏହା ମଧ୍ୟ ବିକାଶର ଏକ ମୌଳିକ ଉପାଦାନ। ତେଣୁ ଆମେ ଆମ ଉପଭୋକ୍ତା, କୃଷକ ଏବଂ ଶିଳ୍ପ ପାଇଁ ଗୁଣାତ୍ମକ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ପାଇଁ କାମ କରିବା ଆବଶ୍ୟକ ବୋଲି ନବୀନ କହିଛନ୍ତି।
ଶାସନରେ ପରିବର୍ତ୍ତନ ଆଣିବା ପାଇଁ ତାଙ୍କ ସରକାର ୫-ଟି ମନ୍ତ୍ରକୁ ଗ୍ରହଣ କରିଛନ୍ତି ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ସମସ୍ତ ନୂଆ ପେସାଦାରଙ୍କୁ ଦଳଗତ କାର୍ଯ୍ୟ, ପ୍ରଯୁକ୍ତିବିଦ୍ୟା, ସ୍ୱଚ୍ଛତା ଏବଂ ସମୟର ଏହି ୫-ଟି ମନ୍ତ୍ରକୁ ଅନୁସରଣ କରିବା ଏବଂ ଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ। ଏହା ପରେ ସେ କହିଥିଲେ ଯେ ଆମେ ନିଶ୍ଚିତ ଭାବରେ ଓଡିଶାର ସମସ୍ତ ଲୋକଙ୍କୁ ଗୁଣାତ୍ମକ, ସୁରକ୍ଷିତ ଏବଂ ନିର୍ଭରୟୋଗ୍ୟ ଶକ୍ତି ପ୍ରଦାନ କରିବାର ଆମର ଲକ୍ଷ୍ୟ ହାସଲ କରିବୁ।
ଓପିଟିସିଏଲରେ ନୂଆ ନିଯୁକ୍ତିକୁ ସ୍ୱାଗତ କରି ସେ କହିଛନ୍ତି ଯେ ବିଦ୍ୟୁତ୍ ଉତ୍ପାଦନ ବୃଦ୍ଧି ଏବଂ ଟ୍ରାନ୍ସମିସନ୍ ଓ ଡିଷ୍ଟ୍ରିବ୍ୟୁସନ୍ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସରକାର ବିଦ୍ୟୁତ୍ କ୍ଷେତ୍ରରେ ଉଲ୍ଲେଖନୀୟ ପୁଞ୍ଜିନିବେଶ କରୁଛନ୍ତି। ଓଡ଼ିଶା ଏବେ ବିଜୁଳି ବଳକା ରାଜ୍ୟ।
୨୦୦୦ ମସିହାରେ ରାଜ୍ୟର ଏହାର ସଂଖ୍ୟା ମାତ୍ର ୧୬ ଲକ୍ଷ ଥିବା ବେଳେ ଏବେ ଏହା ବୃଦ୍ଧି ପାଇ ୯୭ ଲକ୍ଷରେ ପହଞ୍ଚିଛି। ରାଜ୍ୟ ବର୍ଷ ସାରା ୫ ହଜାର ୩ଶହ ମେଗାଓ୍ୱାଟର ସର୍ବାଧିକ ଚାହିଦାକୁ ସହଜରେ ପୂରଣ କରିଆସୁଛି। ଓପିଟିସିଏଲର ଅବଦାନକୁ ପ୍ରଶଂସା କରି ସେ କହିଛନ୍ତି ଯେ ଏହା ୧୯୩ଟି ଗ୍ରୀଡ୍ ସବଷ୍ଟେସନ ସହିତ ରାଜ୍ୟର ଟ୍ରାନ୍ସମିସନ ଭିତ୍ତିଭୂମିରେ ଉଲ୍ଲେଖନୀୟ ବୃଦ୍ଧି କରିଛି।
ଯୁବପିଢ଼ିଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଓପିଟିସିଏଲର ଉଦ୍ୟମକୁ ପ୍ରଶଂସା କରି ସେ କହିଛନ୍ତି ଯେ ୨୦୧୦ ମସିହାରୁ ଓପିଟିସିଏଲ୍ ବିଭିନ୍ନ ବିଭାଗରେ ୨,୩୦୦ ପେସାଦାରଙ୍କୁ ନିଯୁକ୍ତି ଦେଇଥିବାବେଳେ ଚଳିତ ବର୍ଷ ସ୍ଥାନୀୟ ଯୁବକମାନଙ୍କ ପାଇଁ ମାତ୍ର ପ୍ରାୟ ୩୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି।
ଓଡ଼ିଶା ସରକାର ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଦୋହରାଇ ସେ କହିଛନ୍ତି, ମୁଁ ବ୍ୟକ୍ତିଗତ ଭାବେ ଏହାର ଅଗ୍ରଗତି ଉପରେ ନଜର ରଖିବି।
ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି, ଓଡ଼ିଶାରେ କ୍ରମାଗତ ଅର୍ଥନୈତିକ ପ୍ରଗତି ଫଳରେ ବିଜୁଳି ଚାହିଦାରେ ବିପୁଳ ବୃଦ୍ଧି ଘଟିଛି। ତେଣୁ ଏହି ଚାକିରି ଏକ ବଡ ଦାୟିତ୍ୱ ଯାହା ୨୪x୭ ଗୁଣବତ୍ତାଯୁକ୍ତ ବିଦ୍ୟୁତର ନିରନ୍ତର ଚାହିଦା ସହିତ ଜଡିତ ବୋଲି ସେ କହିଛନ୍ତି।
ଉନ୍ନୟନ କମିଶନର ଅନୁ ଗର୍ଗ କହିଛନ୍ତି ଯେ, ନୂଆ ନିଯୁକ୍ତି ପାଇଥିବା ସମସ୍ତ ଯୁବକଯୁବତୀଙ୍କ ପାଇଁ ଏହା ଏକ ମାଇଲଖୁଣ୍ଟ। ଗୁଣାତ୍ମକ ଶକ୍ତି ସୁନିଶ୍ଚିତ କରି ଲୋକଙ୍କ ଜୀବନଧାରଣକୁ ସହଜ କରିବା ଲାଗି ଏହା ସେମାନଙ୍କ ପାଇଁ ଏକ ସୁଯୋଗ।
Comments are closed.