ନୂଆଦିଲ୍ଲୀ: ଦେଶରେ କଛି ବର୍ଷ ହେବ ପୁରସ୍କାର ଫେରସ୍ତ କରିବା ଘଟଣା ଜାରି ରହିଛି। ଅନେକ ସମ୍ମାନିତ ବ୍ୟକ୍ତିମାନେ ପୁରସ୍କାର ଫେରସ୍ତ କରି ସମ୍ବେଦନଶୀଳତା ସୃଷ୍ଟି କରିଛନ୍ତି। ଏପରିକି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ପୁରସ୍କୃତ ହୋଇଥିବା ବିଜେତାମାନେ କୌଣସି କାରଣକୁ ନେଇ ପୁରସ୍କାର ଫେରାଇବାକୁ ନେଇ ଧମକ ମଧ୍ୟ ଦେଉଛନ୍ତି। ଏହି ଧାରା ଦେଶର ଛବିକୁ ବିଗାଡୁଛି। ଏହାକୁ ରୋକିବା ପାଇଁ ସରକାର ପକ୍ଷରୁ ପ୍ରୟାସ କରାଯାଉଛି। ସଂସଦୀୟ କମିଟି ଏଥିଲାଗି ଏକ ଶପଥପତ୍ର ପୂରଣ କରିବା ନେଇ ସୁପାରିସ ପ୍ରଦାନ କରିଛି।
ସଂସଦୀୟ ସୁପାରିଶ କରିଛି ଯେ ସରକାରୀ ପରିଚାଳିତ ଏକାଡେମୀ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କଠାରୁ ପ୍ରଥମେ ଫର୍ମରେ ଦସ୍ତଖତ ନିଆଯିବା ଉଚିତ୍। ଯାହାଦ୍ୱାରା ସେମାନେ ଭବିଶ୍ୟତରେ ନିଜ ପୁରସ୍କାର ଆଉ ଫେରାଇ ପାରିବେ ନାହିଁ। କମିଟି କହିଛି ଯେ ପୁରସ୍କାର ପ୍ରାପ୍ତ ବ୍ୟକ୍ତିମାନେ ଏଥିପାଇଁ ଏକ ଫର୍ମ ସ୍ୱାକ୍ଷର କରିବା ଉଚିତ୍।
ଏହି କମିଟି କହିଛି ଯେ ଯେତେବେଳେ କେହି ପୁରସ୍କାର ଫେରାନ୍ତି, ଏହା ଦେଶ ପାଇଁ ବଡ଼ ଅପମାନଜନକ। ଏହାଦ୍ୱାରା ପୁରସ୍କାରଗୁଡିକର ମହତ୍ୱ ଉପରେ କୁପ୍ରଭାବ ପଡୁଛି। ଏହି ସୁପାରିଶ କରିଥିବା କମିଟିରେ ଲୋକସଭାର ୨୧ ଜଣ ସଦସ୍ୟ ଏବଂ ରାଜ୍ୟସଭାର ୧୦ ଜଣ ସଦସ୍ୟ ସାମିଲ ଅଛନ୍ତି। ଏହି କମିଟି ସଂସ୍କୃତି ମନ୍ତ୍ରଣାଳୟ ସହିତ ଜଡିତ ଅଛନ୍ତି। ଏହାର ଅଧ୍ୟକ୍ଷ ହେଉଛନ୍ତି ରାଜ୍ୟସଭା ସାଂସଦ ତଥା ବରିଷ୍ଠ ୱାଇଏସଆର କଂଗ୍ରେସର ବରିଷ୍ଠ ନେତା ଭି ବିଜୟସାଇ ରେଡ୍ଡୀ।
ସଂସଦୀୟ କମିଟି କହିଛି ଯେ ପୁରସ୍କାର ରାଜନୀତିକରଣ କରାଯିବା ଉଚିତ ନୁହେଁ କାରଣ ଯେତେବେଳେ ପୁରସ୍କାର ଦିଆଯାଏ, ସେତେବେଳେ ଏହା ସମ୍ମାନର ଚିହ୍ନ ଭାବରେ ଦିଆଯାଏ। ଏହାକୁ ଫେରାଇବା ଦେଶକୁ ଅପମାନ କରିବା ସହ ସମାନ। ସୂଚନାଯୋଗ୍ୟ ଯେ ୨୦୧୫ ମସିହାରେ କର୍ଣ୍ଣାଟକର ପ୍ରଖ୍ୟାତ ଲେଖକ ଏମ୍ ଏମ୍ କଲବୁର୍ଗୀଙ୍କ ହତ୍ୟା ପରେ ପୁରସ୍କାର ଫେରସ୍ତ ମାମଲା ସାମ୍ନାକୁ ଆସିଥିଲା। ଏହାପରଠାରୁ ଏହି ଧାରା ଜାରି ରହିଛି।
Comments are closed.