ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିିରିଜରେ ଭାରତର ଅକ୍ଷର ପଟେଲଙ୍କୁ ଦଳରୁ ବାଦ ଦିଆଯାଇଛି । ରବିବାରଠାରୁ ଏହି ସିରିଜ ଆରମ୍ଭ ହୋଇଛି । ଏହି ଅବସରରେ ଟି୨୦ ବିଶ୍ୱକପ ପାଇଁ ଘୋଷିତ ଭାରତୀୟ ଦଳର ଉପ ଅଧିନାୟକ ହୋଇଥିବା ଅକ୍ଷରଙ୍କ ଏକ ବୟାନ ଏବେ ଚର୍ଚ୍ଚାର କାରଣ ସାଜିଛି । ଟାଇମ୍ସ ଅଫ ଇଣ୍ଡିଆକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ମୋତେ କେବେ ବି ଜଡ୍ଡୁ ଭାଇ(ରବୀନ୍ଦ୍ର ଜାଡେଜା)ଙ୍କ ବଦଳ ଖେଳାଳି ଭାବେ ଦେଖା ଯାଇନି । ମୋ ପାଇଁ ଦଳରେ ଏକ ସ୍ଥାନ ସୁରକ୍ଷିତ ରହିଛି । ଜଡ୍ଡୁ ଭାଇଙ୍କ ସହ କେବେ ବି ମୁଁ ପ୍ରତିଦ୍ୱନ୍ଦ୍ୱିତା କରିନି । ସର୍ବଦା ମୋ ଖେଳ ପ୍ରତି ଧ୍ୟାନ ଦେଇଥାଏ । ଟି୨୦ ବିଶ୍ୱକପ ଫାଇନାଲ ପରେ ମୁଁ କେବେ ବି ମୋ ମନରେ ଦଳରୁ ବାଦ ପଡିବି ବୋଲି ଚିନ୍ତା କରି ନ ଥିଲି ।
୩୧ ବର୍ଷୀୟ ଅକ୍ଷର ଭାରତ ପକ୍ଷରୁ ୭୧ ଦିନିକିଆ ମ୍ୟାଚ ଖେଳିଛନ୍ତି । ଏଥିରେ ୭୫ ୱିକେଟ ନେଇଥିବା ବେଳେ ୩ ଅର୍ଦ୍ଧଶତକ ସହ ୮୫୮ ରନ ସଂଗ୍ରହ କରିଛନ୍ତି । ୨୦୧୪ରୁ ସେ ଭାରତ ପକ୍ଷରୁ ଦିନିକିଆ କ୍ରିକେଟ ଖେଳି ଆସୁଛନ୍ତି । ଟେଷ୍ଟ ଓ ଦିନିକିଆରେ ସେ ଦଳରେ ବେଳେ ବେଳେ ବାଦ ପଡୁଥିବା ବେଳେ ଟି୨୦ରେ କିନ୍ତୁ ନିଜ ସ୍ଥାନ ମଜଭୁତ ରଖିଛନ୍ତି । ସେ ଭାରତ ପକ୍ଷରୁ ୮୫ ଟି୨୦ ଓ ୧୫ ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଅକ୍ଷରଙ୍କୁ ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରୁ ମଧ୍ୟ ବାଦ ଦିଆ ଯାଇଥିଲା । ଘରୋଇ ପରିବେଶରେ ସେ ଟି୨୦ ବିଶ୍ୱକପରେ ଦଳର ମୂଖ୍ୟ ଅସ୍ତ୍ର ହେବେ ବୋଲି ଆଶା କରାଯାଉଛି ।