ଭୁବନେଶ୍ୱର: ସ୍ୱାମୀଙ୍କୁ ଖୋଜିବାକୁ ବାହାରିପଡ଼ିଛନ୍ତି ସ୍ତ୍ରୀ। କୋଳରେ ଅଛି ୩ବର୍ଷର ପୁଅ। ନକ୍ସଲ ଦ୍ୱାରା ଅପହୃତ ଇଞ୍ଜିନିୟର ନିଖୋଜ ଅଜୟ ରୋଷନଙ୍କୁ ଜଙ୍ଗଲରେ ଖୋଜି ବୁଲୁଛନ୍ତି ତାଙ୍କ ସ୍ତ୍ରୀ ଅର୍ପିତା। ସ୍ୱାମୀଙ୍କୁ ସେମାନଙ୍କ କବଳରୁ ଫେରାଇ ଆଣିବାକୁ ବାହାରିପଡ଼ିଛନ୍ତି। ମନରେ ନାହିଁ ଭୟ। ଧୌର୍ଯ୍ୟ ଓ ସାହାସ ଧରି ସେ ଜଙ୍ଗଲକୁ ବାହାରିପଡ଼ିଛନ୍ତି। ସ୍ୱାମୀକୁ ଯେଉଁମାନେ ଅପହରଣ କରିଛନ୍ତି ତାଙ୍କୁ ଛାଡ଼ି ଦେବାକୁ ଗୁହାରୀ କରିଛନ୍ତି।
ସୂଚନା ଅନୁଯାୟୀ, ଛତିଶଗଡ଼ ବିଜାପୁରର ଇଞ୍ଜିନିୟର ଅଜୟ ରୋଷନଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର କାମ ତଦାରଖ କରିବା ପାଇଁ ଇଞ୍ଜିନିୟର ଅଜୟ ରୋଷନ ତାଙ୍କର ଜଣେ ସହଯୋଗୀ କର୍ମଚାରୀଙ୍କ ସହ ବିଜାପୁର ଜିଲ୍ଲାର କୁରନା ଏବଂ ମକେଲିକୁ ଯାଇଥିଲେ। ମାତ୍ର ସେଠାରୁ ଆଉ ଫେରିନାହାନ୍ତି। ସହଯୋଗୀ କର୍ମଚାରୀଙ୍କ ସହ ସେ ମଧ୍ୟ ନକ୍ସଲ ଦ୍ୱାରା ଅପହୃତ ହୋଇଥିବା କୁହାଯାଉଛି। ସ୍ୱାମୀଙ୍କ ଅପହୃତ ଖବର ଶୁଣିବା ପରେ ନିଜ କୁନି ପୁଅକୁ ନେଇ ଜଙ୍ଗଲ ଭିତରେ ସେ ଖୋଜିବାକୁ ବାହାରିପଡ଼ିଛନ୍ତି।
ଏହି ମଧ୍ୟରେ ଅର୍ପିତା କହିଛନ୍ତି, ତାଙ୍କ ସ୍ୱାମୀ ଜଣେ ସରକାରୀ କର୍ମଚାରୀ। ତାଙ୍କର କୌଣସି ଭୁଲ ନାହିଁ। ଯଦି କୌଣସି ଭୁଲ ହୋଇଛି ତାହେଲେ କ୍ଷମା କରିଦିଅନ୍ତୁ। ହେଲେ ତାଙ୍କୁ ଛାଡ଼ି ଦିଅନ୍ତୁ। ଗ୍ରାମବାସୀ ମଧ୍ୟ ତାଙ୍କୁ ଛାଡ଼ି ଦେବାକୁ ନିବେଦନ କରିଛନ୍ତି।
Comments are closed.