Latest Odisha News

ପଦକ ହାସଲରେ ଲକ୍ଷ୍ୟଚ୍ୟୁତ ହେଲେ ସେନ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପୁରୁଷ ବ୍ୟାଡମିଂଟନରେ ବ୍ରୋଞ୍ଜ ପଦକ ସୁଯୋଗ ହାତଛଡା କରିଛି । ଲକ୍ଷ୍ୟ ସେନ ସୋମବାର ଅନୁଷ୍ଠିତ ବ୍ରୋଞ୍ଜ ପଦକ ମୁକାବିଲାରେ ମାଲେସିଆର ଜି ଜିଆଙ୍କ ନିକଟରୁ ୨୧-୧୨, ୧୬-୨୧ ଓ ୧୧-୨୧ରେ ପରାଜିତ ହୋଇଥିଲେ । ପ୍ରଥମ ଗେମରେ ସହଜ ବିଜୟ ହାସଲ କରିବା ପରେ ଦ୍ୱିତୀୟ ଗେମରେ ଜିଆ ଭଲ ପ୍ରଦର୍ଶନ କରି ମ୍ୟାଚରେ ରୋମାଂଚ ଭରିଥିଲେ । ଦ୍ୱିତୀୟ ଗେମ ଅବସରରେ ଲକ୍ଷ୍ୟ ଆଘାତପ୍ରାପ୍ତ ହୋଇଥିଲେ । ତାଙ୍କ ହାତରୁ ରକ୍ତ ବାହାରିଥିଲା । ତଥାପି ସେ ସଂଘର୍ଷ ଜାରୀ ରଖିଥିଲେ । ବାରମ୍ବାର ଅନାବଶ୍ୟକ ତ୍ରୁଟି ଯୋଗୁ ଶେଷରେ ଜିଆ ବାଜି ମାରିଥିଲେ ।

ପୂର୍ବରୁ ରାଉଣ୍ଡ ଅଫ ୧୬ରେ ଲକ୍ଷ୍ୟ ନିଜ ଦେଶର ଅଭିଜ୍ଞ ଖେଳାଳି ଏଚଏସ ପ୍ରଣୟଙ୍କୁ ୨୧-୧୨, ୨୧-୬ରେ ପରାଜିତ କରିଥିଲେ । ଏହା ପରେ ସେ ଚାଇନିଜ ତାଇପେର ଚାଉ ସିଏନ ଚେନଙ୍କ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ୧୯-୨୧, ୨୧-୧୫ ଓ ୨୧-୧୨ରେ ବିଜୟ ହାସଲ କରି ସେମିଫାଇନାଲରେ ପ୍ରବେଶ କରିଥିଲେ । ଏଥିସହ ସେ ଅଲିମ୍ପିକ୍ସର ପୁରୁଷ ସେମିରେ ପ୍ରବେଶ କରିବାରେ ପ୍ରଥମ ଖେଳାଳି ହୋଇ ଇତିହାସ ରଚିଥିଲେ । ସେମିଫାଇନାଲରେ ବିଶ୍ୱର ୨ ନମ୍ବର ଖେଳାଳି ଡେନମାର୍କର ଭିକ୍ଟର ଆକ୍ସେଲେସନଙ୍କ ନିକଟରୁ ୨୦-୨୨ ଓ ୧୪-୨୧ରେ ହାରି ଫାଇନାଲ ଦୌଡରୁ ବାଦ ପଡିଥିଲେ ।

Comments are closed.