Latest Odisha News

BREAKING NEWS

ରାଜନୈତିକ ଉଦ୍ଦେଶ୍ୟ ରଖି ଗଣମାଧ୍ୟମ ସଂସ୍ଥାକୁ ବିଜେଡି ସରକାର ଟାର୍ଗେଟ କରୁଛି: ବୈଜୟନ୍ତ

କେନ୍ଦ୍ରାପଡା: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି, ରାଜ୍ୟରେ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ରାଜ୍ୟ ସରକାରଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ବିଜେଡି ନେତୃତ୍ୱାଧୀନ ସରକାରକୁ କଟାକ୍ଷ କରି ଜୟ ପଣ୍ଡା କହିଛନ୍ତି, ପୂର୍ବରୁ କିଛି ଗଣମାଧ୍ୟମ ସଂସ୍ଥା ସରକାରଙ୍କ ଟାର୍ଗେଟରେ ଥିଲେ। ଆଉ ଏବେ ଆଉ କିଛି ଲୋକଙ୍କୁ ଟାର୍ଗେଟ୍ କରାଯାଉଛି।

ବିଧାୟକ ସୈାମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସଂସ୍ଥା ସମ୍ବାଦ ବିରୋଧରେ ଇଓଡବଲ୍ୟୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତେବେ ସିଧାସଳଖ ସମ୍ବାଦର ନା ନେଇ ଜୟ ପଣ୍ଡା ଏଭଳି ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ଓଟିଭିର ଏମଡି ଜାଗୀ ପଣ୍ଡା ହେଉଛନ୍ତି ଜୟା ପଣ୍ଡାଙ୍କ ପତ୍ନୀ।

ଆଇନକୁ ନିଜ ବାଟରେ ଯିବାକୁ ଦିଆଯାଉ। କିନ୍ତୁ, ଆପଣ (ବିଜେଡି) ଜଣେ ନେତାଙ୍କୁ ଆମଦାନୀ କରିଥିଲେ, ବର୍ଷ ବର୍ଷ ଧରି ତାଙ୍କୁ ପ୍ରଶଂସା କରିଥିଲେ ଏବଂ ତାଙ୍କୁ ପଦବୀ ମଧ୍ୟ ଦେଇଥିଲେ। ଏବେ ହଠାତ୍ ଆପଣ କହୁଛନ୍ତି ଯେ ତାଙ୍କ ବିରୋଧରେ ଅନେକ ଅଭିଯୋଗ ରହିଛି। ଆଗରୁ କ’ଣ ଜାଣିନଥିଲେ? ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ତାଙ୍କୁ ରାଜନୈତିକ ଟାର୍ଗେଟ କରାଯାଉଛି। ଲୋକମାନେ ଏହା ଜାଣିବା ଉଚିତ୍ ବୋଲି ବୈଜୟନ୍ତ ପଣ୍ଡା କହିଛନ୍ତି।

କେନ୍ଦ୍ର ଓ ରାଜ୍ୟର ତୁଳନାତ୍ମକ ଚିତ୍ର ଦେଇ ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ବିଶ୍ୱର ପଞ୍ଚମ ବୃହତ୍ ଅର୍ଥନୀତି ହୋଇପାରିଛି। ଏବେ ତୃତୀୟ ସ୍ଥାନରେ ରହିବାକୁ ଯାଉଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭାରତ ଏବେ ଶହ ଶହ ଦେଶକୁ ସହାୟତାର ହାତ ବଢ଼ାଉଛି। ବିଶ୍ୱସ୍ତରରେ ଭାରତର ସ୍ଥିତି ଏବେ ବଦଳି ଯାଇଛି। କିନ୍ତୁ ଓଡିଶାର ପ୍ରଗତି ଅଟକି ରହିଛି। ଦୁର୍ନୀତି ଓ ଲୁଟ୍ ଯୋଗୁଁ କେନ୍ଦ୍ର ସରକାରଙ୍କ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ।

ସାରା ଦେଶରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୋଟି କୋଟି ଘର ବଣ୍ଟନ କରାଯାଉଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ବଣ୍ଟନରେ ଅନିୟମିତତା ଓ ଦୁର୍ନୀତି ହେଉଛି କି ନାହିଁ ଲୋକଙ୍କୁ ପଚାରିଲେ ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି।

Comments are closed.