Latest Odisha News

BREAKING NEWS

ବିଜେପିରେ ରାଷ୍ଚ୍ରୀୟ ଉପାଧ୍ୟକ୍ଷ ଭାବେ ବୈଜୟନ୍ତ ପଣ୍ଡା ତୃତୀୟ ଥର ପାଇଁ ନିଯୁକ୍ତ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଶନିବାର ଏହାର କେନ୍ଦ୍ରୀୟ ପଦାଧିକାରୀଙ୍କ ତାଲିକା ପ୍ରକାଶ କରିଛି। ଯେଉଁଥିରେ କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ତୃତୀୟ ଥର ପାଇଁ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ବୈଜୟନ୍ତ ଏବେ ଦିଲ୍ଲୀର ପ୍ରଭାରୀ ସହିତ ଆସାମର ପ୍ରଭାରୀ ରହିଛନ୍ତି। ଏହା ପୂର୍ବରୁ ମଣିପୁର ପ୍ରଭାରୀ ଦାୟିତ୍ୱରେ ଥିଲେ। ସେ ପ୍ରଭାରୀ ଭାବେ ବିଜେପିକୁ ଆସାମ ଏବଂ ମଣିପୁରରେ ସଫଳତା ଦେଇଛନ୍ତି।

ମିଶନ ୨୦୨୪ ପାଇଁ ବିଜେପି ଏହି ଜାତୀୟ ଦଳ ଘୋଷଣା କରିଛି। ଛତିଶଗଡର ରମଣ ସିଂ, ରାଜସ୍ଥାନର ବୁସୁନ୍ଧରା ରାଜେ, ଝାଡଖଣ୍ଡର ରଘୁବର ଦାସ, ୟୁପିରୁ ଲକ୍ଷ୍ମଣ ବାଜପେୟୀ ଏବଂ ତାରିକ ମାନସୁରଙ୍କୁ ମଧ୍ୟ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ମୋଟ ୧୩ ନେତାଙ୍କୁ ଉପାଧ୍ୟକ୍ଷ ପଦ ଦିଆଯାଇଛି।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ଦଳର କେନ୍ଦ୍ରୀୟ ପଦାଧିକାରୀଙ୍କ ତାଲିକା ଘୋଷଣା କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଅମିତ ଶାହାଙ୍କ ସଭାପତିତ୍ୱ କାଳରେ ବୈଜୟନ୍ତ ପଣ୍ଡାଙ୍କୁ ପ୍ରଥମ ଥର ପାଇଁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ସାମିଲ କରାଯାଇଥିଲା। ୨୦୨୨ରେ ଜେପି ନଡ୍ଡାଙ୍କ ଦ୍ୱାରା ପଣ୍ଡାଙ୍କୁ ପୁନର୍ବାର ନିଯୁକ୍ତି ମିଳିଥିଲା। ତୃତୀୟ ଥର ପାଇଁ ତାଙ୍କୁ ଦଳର ସମାନ ପଦବୀରେ ଅବସ୍ଥାପିତ କରାଯାଇଛି।

ଓଡ଼ିଶାର ବରିଷ୍ଠ ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ ବ୍ୟତୀତ ଅନ୍ୟ ୧୨ ଜଣଙ୍କୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଆଲିଗଡ଼ ମୁସଲିମ୍ ୟୁନିଭର୍ସିଟିର ପୂର୍ବତନ କୁଳପତି ତଥା ଏମ୍ଏଲିସି ତାରିକ ମନସୁର ମଧ୍ୟ ଉପାଧ୍ୟକ୍ଷ ପଦରେ ନିଯୁକ୍ତ ହୋଇଛନ୍ତି।

ଜାତୀୟ ସଚିବ (ସଂଗଠନ)ର ଦାୟିତ୍ୱ ବିଏଲ ସନ୍ତୋଷ, ଅନ୍ୟପକ୍ଷରେ ଲକ୍ଷ୍ନୌରୁ ଶିବ ପ୍ରକାଶଙ୍କୁ ଜାତୀୟ ସହ-ସଂଗଠନର ସାଧାରଣ ସମ୍ପାଦକ ପଦ ଦିଆଯାଇଛି। ମହାରାଷ୍ଟ୍ରର ପଙ୍କଜା ମୁଣ୍ଡେ, ବିହାରର ରିତୁରାଜ ସିହ୍ନା, ୟୁପିରୁ ସୁରେନ୍ଦ୍ର ସିଂ ନାଗର, ମଧ୍ୟପ୍ରଦେଶର ଓମପ୍ରକାଶ ଧୁରଭେଙ୍କୁ ରାଷ୍ଚ୍ରୀୟ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି। ଏହି ଦାୟିତ୍ୱରେ ମୋଟ୍ ୧୩ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। ରାଷ୍ଚ୍ରୀୟ ମହାମନ୍ତ୍ରୀ ଭାବେ ୮ ଜଣଙ୍କୁ ଦାୟିତ୍ୱ ମିଳିଛି।

ତେଲେଙ୍ଗାନାର ପୂର୍ବତନ ବିଜେପି ସଭାପତି ବାନ୍ଦି ସଞ୍ଜୟ ଏବଂ ରାଜ୍ୟସଭା ସାଂସଦ ରାଧାମୋହନ ଅଗ୍ରଓ୍ୱାଲଙ୍କୁ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବେ ସାମିଲ କରାଯାଇଛି। ଅନ୍ୟ ସାଧାରଣ ସମ୍ପାଦକମାନେ ହେଲେ ଅରୁଣ ସିଂହ, ମଧ୍ୟପ୍ରଦେଶର କୈଳାସ ବିଜୟବର୍ଗୀୟ, ଦୁଷ୍ୟନ୍ତ କୁମାର ଗୌତମ, ତରୁଣ ଚୁଗ୍, ବିନୋଦ ତାବଡେ ଓ ସୁନୀଲ ବଂଶଲ।

Comments are closed.