Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ମୁମ୍ବାଇରୁ ଫେରିଲା ଓଡ଼ିଆ ଶ୍ରମିକଙ୍କ ମରଶରୀର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ମୁମ୍ବାଇରୁ ଫେରିଲା ଓଡ଼ିଆ ଶ୍ରମିକଙ୍କ ମରଶରୀର। ଆମ୍ବୁଲାନ୍ସ ଯୋଗେ ଜନ୍ମମାଟି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ସାହାପୁର ଗାଁରେ ପହଞ୍ଚିଛି ମୃତ ମୁରଲୀଧର ମହାକୁଡଙ୍କ ପାର୍ଥିବ ଶରୀର।

ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାହାପୁର ଗାଁ’ର ବାସିନ୍ଦା ମୁରଲୀଧର ମହାକୁଡ। ମୁରଲୀଧର ମୁମ୍ବାଇରେ ଶ୍ରମଜୀବୀ ଭାବେ କାର୍ଯ୍ୟ କରୁଥିଲେ। ଅସୁସ୍ଥତା ବଶତଃ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୁରଲୀଧରଙ୍କ ପରିବାର ଅତ୍ୟନ୍ତ ଗରିବ ଥିବାରୁ ମୁମ୍ବାଇରୁ ମୁରଲୀଧରଙ୍କ ମରଶରୀର ଆଣିବା ପାଇଁ ତାଙ୍କ ପାଖରେ ନଥିଲା ସମ୍ବଳ। ତେବେ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ମୁରଲୀଧରଙ୍କ ପରିବାର ଲୋକେ ଜଣାଇଥିଲେ। ମର ଶରୀରକୁ ତାଙ୍କ ଗ୍ରାମକୁ ଆଣି କ୍ରିୟାକର୍ମ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ପରିବାର ପକ୍ଷରୁ ନିବେଦନ କରିଥିଲେ।

ଏ ବିଷୟରେ ଅବଗତ ହେବା ପରେ ଜିଲ୍ଲା ପ୍ରଶାସନକୁ ଏହି ଅସହାୟ ପରିବାରକୁ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ତୁରନ୍ତ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ମୃତଦେହ ଆମ୍ବୁଲାନ୍ସ ଯୋଗେ ଜନ୍ମମାଟି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ସାହାପୁର ଗାଁରେ ପହଞ୍ଚିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉକ୍ତ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ଅନ୍ୟପଟେ ଦୈନନ୍ଦିନ କାର୍ଯ୍ୟ ବ୍ୟସ୍ତତା ଭିତରେ ଜଣେ ସମ୍ବେଦନଶୀଳ ମଣିଷ ଭାବେ ମୁଖ୍ୟମନ୍ତ୍ରୀ ଜଣେ ସାଧାରଣ ଲୋକର ଭାବାବେଗକୁ ଗୁରୁତ୍ବ ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ମୁରଲୀଧରଙ୍କ ପରିବାର କୃତଜ୍ଞତା ପ୍ରକାଶ କରିଛନ୍ତି।

Comments are closed.