Latest Odisha News

BREAKING NEWS

ରିମାଣ୍ଡରେ ଚାନ୍ଦିପୁର ଆଇଟିଆର ଘଟଣାର ଅଭିଯୁକ୍ତ, ସାମ୍ନାକୁ ଆସିଲା ଚାଂଚଲକ୍ୟର ତଥ୍ୟ

ବାଲେଶ୍ୱର: ଚାନ୍ଦିପୁରସ୍ଥିତ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ୍ ବା ଡିଆରଡିଓର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ଆଇଟିଆର)ର ବରିଷ୍ଠ ଅଧିକାରୀ ବାବୁରାମ ଦେ ପାକିସ୍ତାନୀ ଏଜେଣ୍ଟଙ୍କ ସହ ସମ୍ବେଦନଶୀଳ ତଥ୍ୟ ସେୟାର କରିଥିବା ଅଭିଯୋଗରେ ଶୁକ୍ରବାର ଗିରଫ ହୋଇଛି। ଶନିବାର ତାଙ୍କୁ ଚାରି ଦିନିଆ ରିମାଣ୍ଡରେ ନେଇଛି ପୋଲିସ।

ଆଇଟିଆର୍ ଚାନ୍ଦିପୁରରେ ବରିଷ୍ଠ ବୈଷୟିକ ଅଧିକାରୀ ଭାବେ କାମ କରୁଥିବା ବାବୁରାମ ଦେ (୫୭) ପାକିସ୍ତାନୀ ଗୁପ୍ତଚରଙ୍କୁ ଗୋପନୀୟ ତଥ୍ୟ ପ୍ରଦାନ ଅଭିଯୋଗରେ ଗିରଫ ହୋଇଛନ୍ତି। ପୁଲିସ ସୂଚନା ମୁତାବକ, ପାକିସ୍ତାନୀ ଏଜେଣ୍ଟ ବାବୁରାମ’ଙ୍କୁ ନଗ୍ନ ଭିଡିଓ ମାଧ୍ୟମରେ ହନି ଟ୍ରାପ୍ କରିଥିଲା। ଶନିବାର ବାଲେଶ୍ୱର ଏସଡିଜେଏମ୍ କୋର୍ଟ ବାବୁରାମ ଦେଙ୍କୁ ୪ ଦିନିଆ ରିମାଣ୍ଡରେ ନେବାକୁ ପୁଲିସକୁ ଅନୁମତି ଦେଇଛନ୍ତି।

ଅଭିଯୁକ୍ତ ଜଣଙ୍କ ଆଇଟିଆରରେ ବିଗତ ଦିନମାନଙ୍କରେ ହୋଇଥିବା କ୍ଷେପଣାସ୍ତ୍ର ଓ କ୍ଲଷ୍ଟର ବୋମା ପରୀକ୍ଷା ଉପରେ ନଜର ରଖିଥିଲେ। ତେଣୁ ହନିଟ୍ରାପରେ ପଡି ସେ କେତେ କଣ ସୂଚନା ଦେଇଛନ୍ତି ତାହା ଜାଣିବାକୁ ଚେଷ୍ଟା କରୁଛି ତଦନ୍ତକାରୀ ଟିମ୍। ୧୯୯୫ରୁ ଆଇଟିଆରରେ ଚାକିରି କରୁଥିବା ବାବୁରାମ କ୍ଲଷ୍ଟର ବୋମା ପରୀକ୍ଷା ସମୟରେ ଉପସ୍ଥିତ ଥିଲେ। ତେଣୁ ତଦନ୍ତ ଅଧିକାରୀ ଏହି ଘଟଣାର ମୂଳ ପର୍ଯ୍ୟନ୍ତ ଯାଇ ଡିଆରଡିଓ ପ୍ରତି ବିପଦ ରହିଛି କି ନାହିଁ ସ୍ପଷ୍ଟ କରିବେ।

ଆଇପିସି ଧାରା ୧୨୦ଏ ଏବଂ ୧୨୦ବି (ଅପରାଧିକ ଷଡଯନ୍ତ୍ର) ସହିତ ସରକାରୀ ଗୋପନୀୟତା ଆଇନ ଉଲ୍ଲଙ୍ଘନ କରିବା ପାଇଁ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ବର୍ତ୍ତମାନ ପୁଲିସ ତାଙ୍କ ଘର ଓ ସମ୍ପତ୍ତି ଯାଞ୍ଚ କରିବା ସହ ତାଙ୍କ ସହ ସମ୍ପର୍କ ରଖିଥିବା ବ୍ୟକ୍ତିଙ୍କୁ ମଧ୍ୟ ପଚରାଉଚରା କରୁଛି। ହନିଟ୍ରାପ ଘଟଣା ସମ୍ପର୍କରେ କେହି ଜାଣିଛନ୍ତି କି ନାହିଁ ସେନେଇ ଅଧିକ ଖୋଳତାଡ଼ ଜାରି ରହିଛି। କେବଳ ସେତିକି ନୁହେଁ, ବାବୁରାମ’ଙ୍କ ନିକଟରୁ ମିଳିଥିବା ଅର୍ଥର ଉତ୍ସ ଏବଂ ଆଇଟିଆରର ସମ୍ବେଦନଶୀଳ ତଥ୍ୟ ଲିକ୍ କରିବାରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ ସେ ନେଇ ମଧ୍ୟ ପୁଲିସ ତଦନ୍ତ କରୁଛି।

ସେହିପରି ଅଭିଯୁକ୍ତ ରାଓ୍ୱଲପିଣ୍ଡିର ମହିଳାଙ୍କ ସହ କେମିତି ଯୋଗାଯୋଗରେ ଆସିଲେ। ସେ ସୋଶିଆଲ ମିଡିଆରେ କେଉଁ ଆଇଡି ଜରିଆରେ ସଂପୃକ୍ତ ଆଇଏସଆଇ ଏଜେଣ୍ଟ ସହ ଯୋଡି ହୋଇଥିଲେ।

ତଦନ୍ତ ଅଧିକାରୀ ପ୍ରାଥମିକ ଭାବେ ଆର୍ଥିକ ନେଣଦେଣ ବିଷୟରେ ଜାଣିବାକୁ ଚେଷ୍ଟା କରିବେ। ପ୍ରାଥମିକ ଭାବେ ତାଙ୍କର ଏସବିଆଇ ଓ ଆକ୍ସିସ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବ ବୋଲି ଜଣାପଡ଼ିଛି। ତାଙ୍କ ଆକାଉଣ୍ଟର ତଥ୍ୟ ଦେବାକୁ ସମ୍ପୃକ୍ତ ବ୍ୟାଙ୍କଗୁଡ଼ିକୁ ତଦନ୍ତ ଅଧିକାରୀ ଅନୁରୋଧ କରାଯାଇଥିବା ବାଲେଶ୍ୱର ଏସପି ସାଗରିକା ନାଥ କହିଛନ୍ତି। ସେ ଜଳେଶ୍ୱରର ବାସିନ୍ଦା ହୋଇଥିବାରୁ ତାଙ୍କ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟଙ୍କ ନାମରେ ଥିବା ଜମିଜମା ସମ୍ପତ୍ତି ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ସମ୍ପୃକ୍ତ ତହସିଲଦାରଙ୍କୁ ଅନୁରୋଧ କରାଯାଇଛି ବୋଲି ଏସପି କହିଛନ୍ତି।

 

Comments are closed.