ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ତାଳସାରୀସ୍ଥିତ ଚନ୍ଦନେଶ୍ୱର ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ଏପ୍ରିଲ୍ ମାସରେ ହୋଇଥିବା ଲୁଟ୍ ଘଟଣାର ପର୍ଦ୍ଦାଫାସ କରି ପୁଲିସ ୬ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଅମର କୁମାର ଦେ, ତପନ କୁମାର ଜେନା, ପପୁ ଦାସ, ସାନ୍ତନୁ ମାଇତି, ଗୌତମ ରାଉତ, ଉତ୍ତମ ରାଉତ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ତିନି ଜଣ ବାଲେଶ୍ୱରର ହୋଇଥିବା ବେଳେ ଅନ୍ୟମାନେ ପଶ୍ଚିମବଙ୍ଗର ଦାନ୍ତନ ଓ ଜନପୁତ ଅଞ୍ଚଳର ବୋଲି ଜଣାପଡ଼ିଛି।
ଗିରଫ ଅଭିଯୁକ୍ତଙ୍କ ଠାରୁ ୩୦୦ ଗ୍ରାମ ସୁନା ଅଳଙ୍କାର, ୩ଟି ବନ୍ଧୁକ, ୯ଟି ମୋବାଇଲ, ୪ଟି ବାଇକ୍, ୬ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି ପୋଲିସ। ବାଲେଶ୍ୱର ଏସପି ସାଗରିକା ନାଥ କହିଛନ୍ତି, ଅଭିଯୁକ୍ତମାନେ ପୂର୍ବରୁ ବସ୍ତା ସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଓ ବରୋଦା ବ୍ୟାଙ୍କ, ଭୋଗରାଇ ୟୁକୋ ବ୍ୟାଙ୍କ, ପଶ୍ଚିମବଙ୍ଗର ସୁନା ଦୋକାନରେ ଡକାୟତି କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ବ୍ୟକ୍ତିଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି।
ଗତ ଏପ୍ରିଲ ୨୬ ତାରିଖରେ ବନ୍ଧୁକ ମୁନରେ ଦୁର୍ବୃତ୍ତମାନେ ବ୍ୟାଙ୍କ ଶାଖାରୁ ଅଳଙ୍କାର ସହ ପ୍ରାୟ ୪୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ପ୍ରବେଶ ଦ୍ୱାରକୁ ବାହାରୁ ତାଲା ପକାଇବା ପରେ ଲକର ରୁମରୁ ଟଙ୍କା ଓ ଗହଣା ସଂଗ୍ରହ କରୁଥିବା ବେଳେ ଲୁଟେରାମାନେ ବ୍ୟାଙ୍କ ଭିତରେ ଥିବା ସିସିଟିଭି କ୍ୟାମେରା କେବୁଲ କାଟି ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଦେଇଥିଲେ।
ପୁଲିସ ତଦନ୍ତରୁ ଛଅ ଜଣ ଅଭିୟୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନେ ଏହି ଘଟଣାରେ ସମ୍ପୃକ୍ତ ଥିବା ସ୍ୱୀକାର କରିଛନ୍ତି। ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସପି କହିଛନ୍ତି।
Comments are closed.