Latest Odisha News

BREAKING NEWS

ରିଷିକେସରେ ଅଦିନିଆ ରଥଯାତ୍ରା; ‘ଇସ୍କନ’କୁ ବ୍ୟାନ୍ ଦାବିରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଭୁବନେଶ୍ଵର: ଚଳିତ ମାସ ୭ ତାରିଖ ଦିନ ଶରଦ ପୂର୍ଣ୍ଣିମା ଅବସରରେ ଉତ୍ତରାଖଣ୍ଡର ମଧୁବନ ରିଷିକେସରେ ଇସ୍କନ୍ ପକ୍ଷରୁ ୨୮ତମ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ପୂର୍ବରୁ ଆମେରିକା, ଇଂଲଣ୍ଡ ଓ ସାଉଥ ଆଫ୍ରିକା ଭଳି ଦେଶରେ ଇସ୍କନ୍ ପକ୍ଷରୁ ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହେଲାପରେ ଜଗନ୍ନାଥ ମନ୍ଦିର ପ୍ରଶାସନ, ଶଙ୍କରାଚାର୍ଯ୍ୟ, ମହାରାଜା ଦିବ୍ୟସିଂହଦେବ, ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ସର୍ବୋପରି ଓଡ଼ିଶା ସରକାର ଅଦନିଆ ରଥଯାତ୍ରା ନ କରିବା ପାଇଁ ଇସ୍କନ୍ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ଏଭଳିକି ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଗତ ଦୁଇ ମାସ ତଳେ ଅନୁଷ୍ଠିତ ବୈଠକରେ ଅଦିନିଆ ରଥଯାତ୍ରା କଲେ ଓ ଜଗନ୍ନାଥ ସଂସ୍କୃତିକୁ ଅପମାନିତ କରୁଥିବା ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରସ୍ତାବ ପାସ୍ କରାଯାଇଥିଲା । ନିଜେ ଗଜପତି ମହାରାଜା ଇସ୍କନ୍ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଅଦିନିଆ ରଥଯାତ୍ରା ନ କରିବା ପାଇଁ ମଧ୍ଯ ଅନୁରୋଧ କରିଥିଲେ। କିନ୍ତୁ ଦୁଃଖର କଥା ଓଡ଼ିଶା ସରକାରଙ୍କର ଅନୁରୋଧକୁ ବେଖାତିର କରି ଇସ୍କନ୍ କର୍ତ୍ତୃପକ୍ଷ ମଧୁବନ ରିଷିକେସ, ଉତ୍ତରାଖଣ୍ଡଠାରେ ଅଦିନିଆ ରଥଯାତ୍ରା କରାଇବା ଓଡ଼ିଆ ଅସ୍ମିତା ପ୍ରତି ଓ ଜଗନ୍ନାଥ ସଂସ୍କୃତି ପ୍ରତି ଚରମ ଅପମାନ ବୋଲି ଓଡ଼ିଆ ଅସ୍ମିତା ପରିଷଦ ଅଭିଯୋଗ କରିଛି।

ପରିଷଦର ଆବାହକ ରବି ବେହେରାଙ୍କ ଅଧ୍ୟକ୍ଷତାରେ ଆଜି ସ୍ଥାନୀୟ ମାଷ୍ଟରକ୍ୟାଣ୍ଟିନ୍ ଛକଠାରେ ଇସ୍କନ୍‌ର ଏହି ଅଦିନିଆ ରଥଯାତ୍ରା ପ୍ରତିବାଦରେ ଏକ ଗଣ ବିକ୍ଷୋଭ ଅନୁଷ୍ଠିତ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଇସ୍କନ୍‌କୁ ଓଡ଼ିଶାରେ ବ୍ୟାନ୍‌ କରିବାକୁ ଏହି ସ୍ମାରକପତ୍ରରେ ଦାବି କରାଯାଇଛି। ଏଥିରେ କୁହାଯାଇଛି ଯେ, ବାରମ୍ବାର ଅନୁରୋଧ, ନିବେଦନ ସତ୍ତ୍ବେ ଇସ୍କନ୍ କର୍ତ୍ତୃପକ୍ଷ ଜାଣିଶୁଣି ଜଗନ୍ନାଥ ସଂସ୍କୃତିକୁ ଅପମାନିତ କରିଚାଲିଛନ୍ତି । ଇସ୍କନ୍‌ର ଅଦିନିଆ ରଥଯାତ୍ରା ବିଶ୍ବର କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କର ଭାବାବେଗ ପ୍ରତି ଚରମ ଆଘାତ। ଏପରିକି ସେ ଇସ୍କନକୁ ବ୍ୟାନ କରିବାକୁ ଦାବି କରିଛନ୍ତି।

ଏହି ଗଣବିକ୍ଷୋଭରେ ଅସ୍ମିତା ପରିଷଦ ପକ୍ଷରୁ ସର୍ବଶ୍ରୀ କରୁଣାକର ହୋତା, ନାରାୟଣ ଡାଳୁଆ, ଶଙ୍କର ଭୂୟାଁ, ନାରୀ ନେତ୍ରୀ ସାବିତ୍ରୀ ବେହେରା, ସୁଷମା ସାହୁ ଓ ଡଲି ମଲ୍ଲିକ ପ୍ରମୁଖ ନେତୃତ୍ଵ ନେଇଥିଲେ । ଆଗାମୀ ଦିନରେ ଯଦି ଇସ୍କନ୍ କର୍ତ୍ତୃପକ୍ଷ ତାଙ୍କର ଭୁଲ୍ ପାଇଁ ଯଦି କ୍ଷମା ନ ମାଗନ୍ତି ଏବଂ ଅଦିନିଆ ରଥଯାତ୍ରା ବନ୍ଦ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ନ ଦିଅନ୍ତି, ତାହେଲେ ଇସ୍କନ୍‌କୁ ରାଜ୍ୟ ସରକାର ଭୁବନେଶ୍ଵରରେ ମନ୍ଦିର ତିଆରି ପାଇଁ ଦେଇଥିବା ଜମି ପ୍ରତ୍ୟାହାର କରିନେବାକୁ ଓଡ଼ିଆ ଅସ୍ମିତା ପରିଷଦ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛି।

 

Comments are closed.