Latest Odisha News

BREAKING NEWS

ମନୋଜ ମିଶ୍ରଙ୍କ ବାସନ୍ଦ ପ୍ରସଙ୍ଗ: ପୁଣି ସମାନ କଥା ଦୋହରାଇଲେ ନରସିଂହ, ବିଜେଡି କହିଲା ସେ କିଏ ଭାଗ କରିବାକୁ?

ଭୁବନେଶ୍ୱର: ଝିମିଟି ଖେଳରୁ ମହାଭାରତ ହେଲା ଭଳି ଏବେ କଳାକାର ମନୋଜ ମିଶ୍ରଙ୍କୁ ସିନେ ପ୍ରଯୋଜକ ସଂଘ ଦୁଇ ବର୍ଷ ପାଇଁ ବାସନ୍ଦ କରିବା ପ୍ରସଙ୍ଗ ପାଲଟିଛି। ଦୁଇ କଳାକାରଙ୍କ ମଧ୍ୟରେ ଥିବା ଆପୋଷ ବିବାଦ ଏବେ ଆଞ୍ଚଳିକ ବିବାଦ ଆଉ ପରେ ରାଜନୈତିକ ବିବାଦରେ ପହଁଚିଛି।

ଗତକାଲି ବଲାଙ୍ଗୀରରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ମନୋଜ ମିଶ୍ରଙ୍କୁ ବାସନ୍ଦ କଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାପରେ ଓଡ଼ିଶା ଭାଗ ଭାଗ ହେବ ବୋଲି କହି ଏହି ପ୍ରସଙ୍ଗରେ ନିଆଁରେ ଘିଅ ଢାଳି ଦେଇଥିଲେ। ଆଉ ଯାହାକୁ ନେଇ ଆଜି ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ନରସିଂହ ମିଶ୍ର ଜଣେ ଅଭିଜ୍ଞ ନେତା। ତେଣୁ ଏପରି ନକହିବା ଭଲ ବରଂ ସମାଧାନ ଦିଗରେ ମାର୍ଗ ଦର୍ଶନ ଦେବା ଉଚିତ ବୋଲି ବୁଦ୍ଧିଜୀବୀ ମତ ରଖୁଛନ୍ତି।

ହେଲେ ଆଜି ପୁଣିଥରେ ନରସିଂହ ମିଶ୍ର ସମାନ କଥା ମିଡିଆରେ କହି ଦୋହରାଇଛନ୍ତି। ଅଭିନେତା ମନୋଜ ମିଶ୍ରଙ୍କୁ ବାସନ୍ଦ କରିବା ଦୁର୍ଭାଗ୍ୟଜନକ । ଏଥିରୁ ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ସ୍ପଷ୍ଟ ହେଉଛି ବୋଲି ସେ କହିଛନ୍ତି। ସେହିପରି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି ହେଲେ ବିରୋଧ ହେଉଛି ।ବଲାଙ୍ଗିରରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବି ହେଲେ ବିରୋଧ ହେଉଛି । ପଶ୍ଚିମ ଓଡ଼ିଶା ସବୁବେଳେ ଅବହେଳିତ ହୋଇ ରହୁ ସରକାର ଚାହୁଁଛନ୍ତି ବୋଲି ନରସିଂହ ମିଶ୍ର କହିଛନ୍ତି।

ସ୍ୱତନ୍ତ୍ର ରାଜ୍ୟ ଦାବି କରିବା ନେଇ ଲୋକଙ୍କୁ ବାଧ୍ୟ କରାଯାଉଛି । ସ୍ୱତନ୍ତ୍ର କୋଶଳ ରାଜ୍ୟ ପ୍ରତିଷ୍ଠା ସପକ୍ଷରେ ମୁଁ ନଥିଲି, କି ଆଜି ବି ନାହିଁ । ସରକାରଙ୍କ ମନୋବୃତ୍ତି କିନ୍ତୁ ଓଡ଼ିଶାକୁ ଭାଗ ଭାଗ କରିବାକୁ ବାଧ୍ୟ କରୁଛି । ଯଦି ଓଡ଼ିଶା ଭାଗ ଭାଗ ହୁଏ ସରକାର ଦାୟୀ, ଉପକୂଳ ଲୋକେ ଦାୟୀ ରହିବେ ବୋଲି ବଲାଙ୍ଗୀର ବିଧାୟକ କହିଛନ୍ତି।

ସେହିପରି ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି, ନରସିଂହ ମିଶ୍ର ନିଜସ୍ୱ ମତ ରଖିଛନ୍ତି। କିନ୍ତୁ ନରସିଂହ ଚାହିଁଲେ ମଧ୍ୟ ଓଡ଼ିଶା ଦୁଇ ଭାଗ ହେବ ନାହିଁ। ସାରା ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି। ପଶ୍ଚିମ ହେଉ କି ପୂର୍ବ ଓଡ଼ିଶାର ଲୋକେ ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି । ପଶ୍ଚିମ ଓଡ଼ିଶାର କ୍ରୀଡାବିତ ହୁଅନ୍ତୁ କିମ୍ବା ଲେଖକ ଅନେକ ଜାତୀୟ ସ୍ତରରେ ବେଶ ସୁଖ୍ୟାତି ଅର୍ଜନ କରୁଛନ୍ତି। ସମସ୍ତଙ୍କୁ ସମାନ ସୁଯୋଗ ମିଳୁଛି।

Comments are closed.